ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ପାଳିତ

ବାରିପଦା, ତା:୦୩/୧୨/୨୦୨୫ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସହୀଦ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ପାଳିତ ହୋଇଯାଇଛି।
ଏହି ଦିବସ ପାଳନ ଅବସରରେ ସକାଳ ଘ. ୯-୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବିଭିନ୍ନ ସ୍ବତନ୍ତ୍ର ବିଦ୍ୟାଳୟରୁ ଆସିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ, ବିଭିନ୍ନ ଭିନ୍ନକ୍ଷମ ସଂଗଠନ ଓ ଅନ୍ୟାନ୍ୟ ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଇ ଏକ ସଚେତନତା ୱାକାଥନ ଆୟୋଜିତ ହୋଇଥିଲା। ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଶ୍ରୀ ଇଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରଣଜିତ ସୋରେନ ଓ ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଆ ଚଳଚିତ୍ର ଜଗତର ତାରକା ଶ୍ରୀ ସ୍ୱରାଜ ବାରିକ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ସହର ପରିକ୍ରମା କରି ସହୀଦ ସ୍ମୃତି ଭବନ ଠାରେ ସମାପନ ହୋଇଥିଲା।
ଏହା ପରେ ଏହି ଦିବସ ପାଳନ ଉପଲକ୍ଷେ ସହୀଦ ସ୍ମୃତି ଭବନ ଠାରେ ଭିନ୍ନକ୍ଷମଙ୍କୁ ସବୁ କ୍ଷେତ୍ରରେ ସମାନ ଭାବେ ଅଂଶ ଗ୍ରହଣ କରାଇ ଭିନ୍ନକ୍ଷମ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରଂଜିତ ସୋରେନଙ୍କ ସଭାପତିତ୍ବରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ବିଜୟ କୁମାର ଦାଶ ଓ ପ୍ରତିଧ୍ୱନି ସ୍ବେଛାସେବୀ ସଂଗଠନର ସମ୍ପାଦକ ଡ଼. ଶିରୀଶ ଚନ୍ଦ୍ର ଭୋଳ ପ୍ରମୁଖ ଯୋଗ ଦେଇଥିଲେ I
ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ଦେଶର ପ୍ରଗତି ପାଇଁ ଭିନ୍ନକ୍ଷମଙ୍କ ଅଧିକାରର ସୁରକ୍ଷା ତଥା ସେମାନଙ୍କ ସାମଗ୍ରୀକ ଉନ୍ନତି ନିତ୍ୟାନ୍ତ ଆବଶ୍ୟକ I ସମାଜ ପାଇଁ ସେମାନଙ୍କର ଅନେକ ଅବଦାନ ରହିଛି। ତେଣୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ନିମନ୍ତେ ସମସ୍ତ ଅଂଶଗ୍ରହଣକାରୀ ଏବଂ ସମର୍ଥକମାନଙ୍କୁ ଅଧିକ ଅନ୍ତର୍ଭୂକ୍ତ କରିବା ତଥା ସେମାନଙ୍କ ପାଇଁ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ଆମ ସମସ୍ତଙ୍କ ଦାୟିତ୍ୱ। ସେମାନେ କେବେବି ଦୟାର ପାତ୍ର ନୁହଁନ୍ତି, ବରଂ ଶ୍ରଦ୍ଧା, ସ୍ନେହ ଓ ସମ୍ମାନର ଅଧିକାରୀ।
ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ଓ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ। ସେହିପରି ଭିନ୍ନକ୍ଷମ ଶିଶୁଙ୍କ ମଧ୍ୟରେ ଥିବା ପ୍ରତିଭାର ଉନ୍ମେଷ ଓ ବିକାଶ ପାଇଁ ଅଭିଭାବକ, ଶିକ୍ଷକ ଓ ସାମାଜିକ କର୍ମୀ ଉଦ୍ୟମ କରିବା ଉଚିତ ବୋଲି ଶ୍ରୀମତୀ ହାଁସଦା କହିଥିଲେ।
ସେହିପରି ସମ୍ମାନିତ ଅତିଥି ବୃନ୍ଦ କହିଥିଲେ ଯେ ବର୍ତ୍ତମାନ ଭିନ୍ନକ୍ଷମମାନେ ସମାଜର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଜନ୍ମରୁ ହେଉ ଅବା ସମୟ କ୍ରମେ କୌଣସି ଦୁର୍ଘଟଣା ବଶତଃ ହେଉ ଭିନ୍ନକ୍ଷମଙ୍କ ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ବିକାଶ କରି ସମାଜର ସବୁ ସ୍ତରରେ ସାମାଜିକ ସୁରକ୍ଷା ଯୋଗାଇ ଦେଇ ସେମାନଙ୍କୁ ସ୍ୱାବଲମ୍ବୀ ତଥା ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସମ୍ମାନ ସହ ଜୀବନ ନିର୍ବାହ ପାଇଁ ସକ୍ଷମ କରିବା ବର୍ତ୍ତମାନର ସବୁଠାରୁ ବଡ ଆବଶ୍ୟକତା I
କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରଣଜିତ ସୋରେନ ଭିନ୍ନକ୍ଷମଙ୍କ କଲ୍ୟାଣ ନିମନ୍ତେ ଜିଲ୍ଲାରେ ଚାଲିଥିବା ଯୋଜନା ଯଥା ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ବ୍ୟକ୍ତିଙ୍କ ପାଇଁ ମାସିକ ପେନସନ ଯୋଜନା, ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଜରିଆରେ ଭିନ୍ନକ୍ଷମତା ପ୍ରମାଣ ପତ୍ର ଓ ସହାୟତା ଉପକରଣ ଯୋଗାଇବା, ଛାତ୍ରବୃତ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ଲାପଟପ୍ ବଣ୍ଟନ ଆଦି ଉପରେ ସୂଚନା ପ୍ରଦାନ କରିଥିଲେ I ଏତଦ ବ୍ୟତୀତ ଭିନ୍ନକ୍ଷମଙ୍କ ଉପଚାର ପାଇଁ ବାରିପଦା ଠାରେ ଜିଲ୍ଲା ପୁନର୍ବାସ କେନ୍ଦ୍ର ଓ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର କାର୍ଯ୍ୟ କରୁଛି ବୋଲି ଉଲ୍ଲେଖ କରିଥିଲେ।
ଏହି ଅବସରରେ, ମୁଖ୍ୟ ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ବୃନ୍ଦ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନମାନଙ୍କୁ ସମ୍ମାନିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ Transgender Association, ମୟୂରଭଞ୍ଜ ତରଫରୁ ଟ୍ରାନ୍ସଜେଣ୍ଡର ମାନେ ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ ଦିବସ ପାଳନ ଉପଲକ୍ଷେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିବିଧ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପରିଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଲକ୍ଷ୍ମୀପୋଷୀ ର ଦୃଷ୍ଟିବାଧିତ ଓ ଶ୍ରବଣ ବାଧିତ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ବତନ୍ତ୍ର ବିଦ୍ୟାଳୟ, ଅନ୍ୟାନ୍ୟ ଅନୁଷ୍ଠାନ ଯେପରିକି ରୋଜ, ମନୋବିକାଶ, ଭାରତଜ୍ୟୋତି, ପରିବର୍ତନ, ଆର.ଡି.ଏ.ସି, ସାଧନା, ପ୍ରତିଧ୍ଵନି, ଆଶା, ବସୁଧା, ମଦର ଟେରେସା ସେବା ସଂଘ, ଶ୍ରବଣବାଧିତ ସଂଘ, ଶ୍ରୀ ଶ୍ରୀ ଜଡିମହଲ ଯୁବ ସଂଘର ସଦସ୍ୟ ଇତ୍ୟାଦି ଉପସ୍ଥିତ ଥିଲେ।
