ମିଡ଼ିଆ ନାଁ ରେ ପି.ସି ମଗା ଓ ହତ୍ୟା ଧମକ। ସରପଞ୍ଚ ଜିଲ୍ଲାପାଳ ଓ ଏସ. ପି ଙ୍କ ଦ୍ୱାରସ୍ଥ।

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ଅନ୍ତର୍ଗତ, ଜୟପାଟଣା ଥାନା ଅଧିନସ୍ଥ ବଡ଼କର୍ଲାକୋଟ ର ମହିଳା ସରପଞ୍ଚ ପି.ସି ଓ ହତ୍ୟା ଧମକକୁ ନେଇ କଳାହାଣ୍ଡି ଜିଲ୍ଲାପାଳ ଓ ଏସ. ପି ଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ପଞ୍ଚାୟତର ମହିଳା ସରପଞ୍ଚ ଶ୍ରୀମତୀ ଚଞ୍ଚଳା ନାଏକଙ୍କୁ ଗତ ତିନି ବର୍ଷରୁ ଉର୍ଦ୍ଧ ହେବ ଜଣେ ବ୍ୟକ୍ତି ମିଡ଼ିଆ ନାମରେ ବିଭିନ୍ନ ସମୟରେ ପି.ସି ମାଗିଆସୁଥିଲେ ଏବଂ ଟଙ୍କା ନ ଦେଲେ ଅନେକଥର ଫେସବୁକ ଜରିଆରେ ସରପଞ୍ଚଙ୍କ ବିରୋଧରେ ବିଭିନ୍ନ ମିଥ୍ୟା ଖବର ପ୍ରଚାର କରିବା ସହ ଅଶ୍ଳୀଳ ଭାଷାରେ କମେଣ୍ଟ କରି ଆସୁଥିଲା। ଏନେଇ ମହିଳା ସରପଞ୍ଚ ଚଞ୍ଚଳା ନାଏକ ଓ ତାଙ୍କ ସ୍ୱାମୀ ବଳଧର ନାଏକ ଜଣାଇଛନ୍ତି ଯେ’, ଏପରିକି ସରପଞ୍ଚଙ୍କ ନାମରେ ମିଥ୍ୟା ଅପପ୍ରଚାର ନକରିବା ପାଇଁ ବେନାମୀ ମିଡ଼ିଆବାଲାକୁ ପଞ୍ଚାୟତର ଗାଁସାଥି, ୱାର୍ଡମେମ୍ବର, ଠିକାଦାର ଓ ନିଜେ ସରପଞ୍ଚ କେତେଥର ଟଙ୍କା ମଧ୍ୟ ଦେଇଛନ୍ତି। କିନ୍ତୁ ଘଟଣାଟି ଏତିକିରେ ନରହି ଗତ ୨୮ ତାରିଖରେ ଉଗ୍ରରୂପ ଧାରଣ କରିଥିଲା। ସ୍ଥାନୀୟ ଖେଳପଡିଆରେ ମହିଳା ସରପଞ୍ଚ ଓ ବେନାମୀ ମିଡ଼ିଆ ବାଲା ମଧ୍ୟରେ ବାରମ୍ବାର ଟଙ୍କା ମଗା ଓ ମିଥ୍ୟା ପ୍ରଚାରକୁ ନେଇ ଜୋରଦାର ଯୁକ୍ତିତର୍କ ହୋଇଥିଲା। ଏପରିକି ବେନାମୀ ମିଡ଼ିଆବାଲା ଏକ ବନ୍ଧୁକ କାଢି ସରପଞ୍ଚଙ୍କ ଛାତିରେ ଲଗାଇ ହତ୍ୟା ଧମକ ମଧ୍ୟ ଦେଇଥିଲା। ସରପଞ୍ଚଙ୍କ ସ୍ୱାମୀ ଆହୁରି ମଧ୍ୟ କହିଛନ୍ତି ଯେ’, ଏହି ଆତ୍ମଘୋଷିତ ମିଡ଼ିଆବାଲା ପୂର୍ବରୁ ନିଜ ସ୍ତ୍ରୀକୁ ମଧ୍ୟ ହତ୍ୟା କରି ଜେଲ ଯାଇ ଫେରିଛି ଏବଂ ଏକଥା ଆଖପାଖ ଅଞ୍ଚଳରେ ସମସ୍ତେ ଜାଣନ୍ତି କିନ୍ତୁ ବ୍ୟକ୍ତି ଜଣକ କେଉଁ ମିଡ଼ିଆର ପ୍ରତିନିଧି ଏକଥା କାହାକୁ ଜଣାନାହିଁ। ଏହା ପରେ ଭୟଭିତ ସରପଞ୍ଚ ଓ ପଞ୍ଚାୟତ ସମିତିର ସମସ୍ତ ସଦସ୍ୟ ବେନାମୀ ମିଡ଼ିଆବାଲା ବିରୋଧରେ ଜୟପାଟଣା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୋଗ କରିବାର ସାତ ଦିନ ବିତିଯିବା ପରେ ମଧ୍ୟ ଜୟପାଟଣା ପୋଲିସ ଏହି ଘଟଣା ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ, ଶେଷରେ ଆଜି ମହିଳା ସରପଞ୍ଚ ଓ ପଞ୍ଚାୟତ ସମିତିର ସମସ୍ତ ସଦସ୍ୟ ଭବାନୀପାଟଣା ଆସି କଳାହାଣ୍ଡି ଜିଲ୍ଲାପାଳ ଓ ଏସ.ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ମହିଳା ସରପଞ୍ଚ କହିଛନ୍ତି ଯେ’ ଏଠାରେ ଯଦି ଉଚିତ ନ୍ୟାୟ ନମିଳେ ତେବେ ଏଠାରେ ହିଁ ଆତ୍ମହତ୍ୟା କରିବେ।
