November 23, 2024

ସମ୍ବଲପୁରୀ ଡେରାରେ ନଭେମ୍ବର ୧୭ ରୁ ହେବ ଜାତୀୟ ସମ୍ବଲପୁରୀ ସମ୍ମିଲନୀ

Share

 

– ପ୍ରଦର୍ଶିତ ହେବ କୁମ୍ଭାରୀର ଭଗବାନ ସାହୁଙ୍କ ନାଟକ

 

– ସମ୍ବଲପୁରୀ ପ୍ରଦର୍ଶନୀ ହେବ ମୁଖ୍ୟ ଆକର୍ଷଣ

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ପାଞ୍ଚଦିନଆ ଜାତୀୟ ସମ୍ବଲପୁରୀ ସମ୍ମିଲନୀ ପାଇଁ ରବିବାର ସାକ୍ଷୀପଡା ସ୍ଥିତ ରଥ କମ୍ଲେକ୍ସ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ପଶ୍ଚିମାଞ୍ଚଲ ଏକତା ମଞ୍ଚର ସାହିତ୍ୟ ସଂଯୋଜକ ଅଧ୍ୟାପକ ଡ. ସ୍ବୟଂପ୍ରକାଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କାଯର୍ୟକ୍ରମର ରୁପରେଖ ଉପରେ ଆଳୋଚନା କରାଯାଇଥିଲା ଆସନ୍ତା ନଭେମ୍ବର ୧୭ ରୁ ୨୧ ତାରିଖ ପଯର୍ୟନ୍ତ ଜେଲ ଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଠାରେ ଏହି ଜାତୀୟ ସମ୍ବଲପୁରୀ ସମ୍ମିଲନୀ ଆୟୋଜନ କରାଯିବ। ସ୍କୁଲ ଛାତ୍ରଙ୍କୁ ସମ୍ବଲପୁରୀ ଭାଷା ସଂସ୍କୃତି ସହ ଯୋଡିବା ଚଲିତ ବର୍ଷର ସମ୍ମିଲନୀର ବିଷୟ ରଖା ଯାଇଛି। ଏହି କ୍ରମରେ ଚଲିତ ବର୍ଷର ଜାତୀୟ ସମ୍ବଲପୁରୀ ସମ୍ମିଲନୀରେ ବିଭିନ୍ନ ହାଇସ୍କୁଲ ସ୍ତରର ଛାତ୍ରୀଛାତ୍ରଙ୍କୁ ନେଇ ସମ୍ବଲପୁରୀ ବିଷୟରେ କୁଇଜ, ପ୍ରବନ୍ଧ, ବକୃତା,ସମ୍ବଲପୁରୀ ଶବ୍ଦ ପରିଚୟ ଆଦିର ଆୟୋଜନ କରାଯିବା ନେଇ ବୈଠକରେ ସ୍ଥିର କରାଯାଇଥିଲା। ଜାତୀୟ ସମ୍ବଲପୁରୀ ସମ୍ମିଲନୀରେ ପ୍ରଥମ ଦିନ ନଭେମ୍ବର ୧୭ ତାରିଖ ସନ୍ଧ୍ୟାରେ ସମ୍ବଲପୁରୀ ପ୍ରଦର୍ଶନୀ ଉଦଘାଟନ କରାଯିବା ସହ ଅଗଷ୍ଟ ଏକ ତାରିଖରେ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନରେ ସମ୍ବଲପୁରୀ ଦିନ କାଯର୍ୟକ୍ରମ ଆୟୋଜନ କରିଆସୁଥିବା ରାଜ୍ୟର ବିଭିନ୍ନ ସଙ୍ଗଠନ ଗୁଡିକୁ ସମ୍ବଦ୍ଧିତ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା।ଦ୍ୱିତିୟ ଏବଂ ତୃତିୟ ଦିନ ସନ୍ଧ୍ୟାରେ ସମ୍ବଲପୁରୀ ଭାଷା ସଂସ୍କୃତିର ଅନ୍ୟତମ ପ୍ରଚାରକ ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଲୀ ଅର୍ପଣ କରାଯିବା ସହ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ରଜେଶ୍ୱରୀ ନୃତ୍ୟକଳା ପରିଷଦ ଦ୍ୱାରା ସମ୍ବଲପୁରୀ ନାଟକ ଚୌହାନ ବୀର ସୁରେନ୍ଦର ସାଏ ଏବଂ ଟଣ୍ଢେଇ ପ୍ରଦଶିତ ହେବ। ସେହିପରି ସମ୍ବଲପୁରୀ ସମ୍ମିଲନୀରେ ସମ୍ବଲପୁରୀ ହାସ୍ୟ ବ୍ୟଙ୍ଗ କବିତା, ସାହିତ୍ୟ ଆଳୋଚନା ଏବଂ ସାଂସ୍କୃତିକ କାଯର୍ୟକ୍ରମ ର ଆୟୋଜନ କରାଯିବ। ୨୧ ତାରିଖ ଉଦଯାପନି ଉତ୍ସବରେ ସମ୍ବଲପୁରୀ ପିନ୍ଧନ ଉଢନ ପ୍ରଦର୍ଶନୀ ର ଆୟୋଜନ କରାଯିବା ନେଇ ବୈଠକରେ ସ୍ଥିର କରାଯାଇଥିଲା। ପାଞ୍ଚଦିନ ଧରି ସମ୍ବଲପୁରୀ ଭାଷା ସଂସ୍କତି ଉପରେ ଆଳୋଚନା ଚକ୍ର ସହ ବିଭିନ୍ନ କାର୍ୟକ୍ରମ କରାଯିବା ନେଇ ବୈଠକରେ ଆଳୋଚନା କରାଯାଇଥିଲା। ପୁର୍ବରୁ ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡରେ ତିନୋଟି ଜାତୀୟ ସମ୍ବଲପୁରୀ ସମ୍ମେିନଲନୀର ଆୟୋଜନ କରାଯାଇଥିବା ବେଲେ ଚଲିତ ବର୍ଷ ସମ୍ବଲପୁରରେ ଚତୁର୍ଥ ସମ୍ମିଳନୀର ଆୟୋଜନ କରାଯିବ। ବୈଠକରେ ପଶ୍ଚିମାଞ୍ଚଲ ଏକତା ମଞ୍ଚର ସମ୍ବଲପୁର ଶାଖାର ସଂଯୋଜକ ଭାବେ କିଶୋର ଧରେଇଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା ।ବୈଠକରେ ପଙ୍କଜିନୀ ବୈଠାରୁ, ଭୁମିସୂତା ମେହେର, ସୁଷମା ପ୍ରଧାନ, କାନ୍ତୀ ମେହେର, ସବ୍ୟସାଚୀ ମିଶ୍ର, ନିଶିକାନ୍ତ ବିଶ୍ୱାଳ, ସଙ୍ଘମିତ୍ରା ପଣ୍ଡା, ସ୍ବାସ୍ତିକା ନାୟକ, ପ୍ରଜ୍ଞା ପରିମିତା ସାହୁ, ରବି ପୂଜାରୀ, ବରିଷ୍ଠ ଉପଦେଷ୍ଠା ଡ. ପ୍ରମୋଦ ରଥ, ସଂଗଠନ ସଂଯୋଜକ ସୁବୋଧ ଦୋରା, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ଆବାହକ ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ।