March 12, 2026

ଗଜପତିରେ ପ୍ରକୃତିର କରାଳ ରୂପ…. ଅନେକ ସ୍ଥାନରେ ଭୂସ୍ଖଳନ, ୪ ମୃତ,ବ୍ୟାପକ କ୍ଷୟକ୍ଷତି ..

IMG-20251004-WA0097
Share

 

ପାରଳାଖେମୁଣ୍ଡି(ଗରୁଡ ଧ୍ଵଜ ଚୌଧୁରୀ)ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରକୃତିର କରାଳ ରୂପ ପ୍ରବଳ ବର୍ଷାରେ ବଡ଼ ବିପର୍ଯ୍ୟୟ ଘଟିଯାଇଛି।ତିନି ଦିନ ଧରି ଲାଗି ରହିଥିବା ମୂଷଳଧାରା ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଚାରିଟି ବ୍ଲକରେ ଭୂସ୍ଖଳନ ସହିତ ପାହାଡ଼ ଖସି ଏବଂ ପାହାଡ଼ରୁ ପ୍ରବଳ ପାଣି ସୁଅ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟିଛି।ଅନେକ ଅଞ୍ଚଳରେ ଚାଷ, ବାସ ଗୃହ,ଗୃହପାଳିତ ପଶୁ,ଘର ଦ୍ଵାର,ରାସ୍ତା ଘାଟ ଆଦିର ବିଶେଷ କ୍ଷତି ଘଟିଛି।ଏହି ଜିଲ୍ଲାର ପେକେଟ ଗାଁରେ ବାପା ପୁଅ ଦୁଇଜଣ ଚାଷ ଜମିରେ କାର୍ଯ୍ୟ କରୁଥିବା ବେଳେ ପାହାଡ଼ ଧସି ନିଖୋଜ ଅଛନ୍ତି।ଗତ ଦୁଇ ଦିନ ଧରି ଏମାନଙ୍କୁ ଉଦ୍ଧାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।ହେଲେ ଦୁଇ ଜଣଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ଖବର ଲେଖା ହେଲା ବେଳକୁ। ଅଞ୍ଚଳବାସୀ ପାହାଡ଼ ଧସିବା ଯୋଗୁଁ ପ୍ରବଳ ମାଟି ଅତଡ଼ା ଖସି ଦୁଇଙ୍କ ନିଶ୍ଚିତ ମୃତ୍ୟୁ ଘଟିଛି ବୋଲି ପ୍ରକାଶ କରି ଏହି ଗ୍ରାମବାସୀ ମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧିଙ୍କୁ ଜଣାଇଛନ୍ତି ଯେ,ଅତ୍ୟଧିକ ପରିମାଣରେ ପାହାଡ଼ ଧସିବା ଯୋଗୁଁ ପ୍ରବଳ ମାଟି ଅତଡ଼ା ଓ ପଥର ପ୍ରାୟ ୧୦ ଫୁଟରୁ ଉର୍ଦ୍ଧ ଉଚ୍ଚରେ ପଡିଛି। ପ୍ରଶାସନ ତରଫରୁ ଲଗାତାର ଭାବେ ବହୁ ଚେଷ୍ଟା କରାଯାଉଛି ହେଲେ ବାପା ପୁଅ ଦୁଇ ଜଣଙ୍କ କୌଣସି ସନ୍ଧାନ ମିଳିପାରୁ ନାହିଁ। ପ୍ରବଳ ମାଟି ଅତଡ଼ା ତଳେ ଦୁଇଙ୍କ ମୃତ୍ୟୁ ଘଟିଥିବା ନିଶ୍ଚିତ। କୁଏହି ଦୁଇ ଜଣ ରାୟଗଡ଼ ବ୍ଳକ ମାର୍ଲବା ପଞ୍ଚାୟତ ପେକଟ ଗାଁରେ ଚାଷ ଜମିରୁ ଫେରିବା ବେଳେ ବାପ କାର୍ତ୍ତିକ ଶବର ଓ ପୁଅ ରାଜିକ ଶବରଙ୍କୁ ପାଦତଳୁ ମାଟି ସହ ପାହାଡ଼ ଧସି ପଡିବା ଯୋଗୁଁ ଚାପି ହୋଇଯାଇଥିଲେ।ଆଜିକୁ କିଛି ଦିନ ଧରି ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବ୍ରହ୍ମପୁର ଅଗ୍ନିଶମ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ଓଡ୍ରାଫ୍ ଓ ପୁଲିସର କର୍ମଚାରୀଙ୍କ ସହ ମିଳିତ ଭାବେ ଛଅଟି ଟିମ୍‌ରେ ବିଭକ୍ତ ହୋଇ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ସେହିପରି ମୋହନା ବ୍ଲକର ବନ୍ଧାଗୁଡ଼ାର ଲକ୍ଷ୍ମଣ ମଲ୍ଲିକ ନିଜ ଗାଈକୁ ବଞ୍ଚାଇବାକୁ ଯାଇ ଲୁଡୁରୁ ନଦୀରେ ଭାସି ପ୍ରାଣ ହରାଇଛନ୍ତି। ଅନ୍ୟ ପଟେ ରା.ଉଦୟଗିରି ବ୍ଳକ ବସ୍ତ୍ର୍ତିଗୁଡ଼ା ଗ୍ରାମର ତ୍ରିନାଥ ନାୟକ ପାଣି ସୁଅରେ ଭାସିଯିବା ବେଳେ ଏକ ପଥର ସନ୍ଧିରେ ଆଶ୍ରୟ ନେଇଥିବା ବେଳେ ପଥର ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।ପରିବହନ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ।ପ୍ରତ୍ୟକ୍ଷଦର୍ଶୀ ଲାବାଣ ରାଇକାଙ୍କ କହିବା ଅନୁସାରେ ହଠାତ୍ ପାହାଡ଼ ଭୂସ୍ଖଳନ ହେବାରୁ ସବୁଆଡେ ଧୁଆଁମୟ ହୋଇ ଅନ୍ଧାର ହୋଇ ଯାଇଥିଲା।ପାହାଡ଼ରୁ ପାଣି ମାଡି ଆସିଥିଲା।କ୍ଷଣିକ ଭିତରେ ନଦୀର ଗତିପଥ ବଦଳି ସବୁ ଧୋଇ ନେଇଥିଲା।ସେ ଠିଆ ହୋଇଥିବା ସ୍ଥାନର ପାଦତଳୁ ମାଟି ଧୋଇ ହୋଇଯିବାରୁ ଦୌଡି ପଳାଇଥିବା ବେଳେ ତା ପରେ ଆଉ କଣ ଘଟିଲା ଜାଣି ପାରିନଥିଲେ।ସେଠାରେ ତିନି ଜଣ ଥିଲେ।ତାଙ୍କ ବୟାନ ଅନୁସାରେ ଜଣକୁ ମାଟି ପାଣି ସହ ଚାପି ଦେଇଥିଲା।ଘଟଣାକୁ ବହୁ ଘଣ୍ଟା ବିତିଛି ଓ ସର୍ଚ୍ଚ ଅପରେସନ୍‌କୁ ମଧ୍ୟ ବହୁ ଘଣ୍ଟା ବିତିଲାଣି,ନିଖୋଜ ଦୁଇ ଜଣଙ୍କ ସନ୍ଧାନ ମିଳିନାହିଁ।

ମୂଷଳ ଧାରାରେ ବର୍ଷା ସମଗ୍ର ଜିଲ୍ଲାରେ ବିପର୍ଯ୍ୟୟ ଘଟାଇଛି। କଟାମା ପଞ୍ଚାୟତ ବାଲିଗଣ୍ଡାରେ ଅତଡ଼ା ଖସି ବଡ଼ବଡ଼ ପଥର ଓ ଗଛ ପଡ଼ି ୨୦ ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବର୍ଷା ବିତ୍ପାତରୁ ସମଗ୍ର ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କାଶୀନଗର ବ୍ଲକ୍ର ଖଣ୍ଡାବା ଓ ବୁଦୁରା ପଞ୍ଚାୟତ ମଧ୍ୟରେ ଥିବା ପାଲସିଂ, ସାରା,ବଡ଼ିଗାଁ,ଖାଣ୍ଡବା,ବୋଥଭା, କୀତିଙ୍ଗି,ବୁଦୁରା ଓ ଇଦୁଡ଼ି ଗ୍ରାମ ଠାରେ ନଦୀର ଜଳସ୍ତର ଅହେତୁକ ଭାବେ ବଢ଼ି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କାଶୀନଗର ନିକଟରେ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳର ତଳି ଅଞ୍ଚଳରେ ନଦୀ ପାଣି ପଶିଯାଇଥିଲା।ଅନେକ ଗାଁରେ ଚାଷଜମି ଜଳମଗ୍ନ ହୋଇଯାଇଛି।ରା.ଉଦୟଗିରିରେ ରାସ୍ତା ଉପରେ ଚାଲିଲା ୬ ଫୁଟ ଉଚ୍ଚତାର ନଦୀଜଳ ପ୍ରବାହିତ ହୋଇଥିବା ବେଳେ ରା.ଉଦୟଗିରି ଠାରୁ ରାମଗିରି ରାସ୍ତା ଧୋଇ ଯିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ନଦୀରେ ଅତ୍ୟଧିକ ବର୍ଷା ଜଳ ଆସି ତଳି ଅଞ୍ଚଳ ଗାଁରେ ଅନେକ ଘରେ ପାଣି ପଶିବା ଫଳରେ ଅନେକ ପରିବାର ପ୍ରଭାବିତ ହୋଇ କ୍ଷତିଗ୍ରସ୍ତ ହୋଇଛନ୍ତି।ରା.ଉଦୟଗିରିରେ ନଦୀଜଳ ରାସ୍ତା ଉପରେ ୬ ଫୁଟ ଉଚ୍ଚତାରେ ପ୍ରବାହିତ ହେବାରୁ ଦୁଇଟି ବୋଲେରୋ ନଦୀ ସୁଅରେ ଭାସି ଚାଲି ଯାଇଥିଲା।ଗୁମ୍ମା ବ୍ଳକର ସେରଙ୍ଗ ଅଜୟଗଡ ରାସ୍ତାର ଅଙ୍ଗେଡା ଠାରେ ମାଟି ଅତଡା ଓ ବଡବଡ ଗଛପଡି ବହୁ ସମୟ ଧରି ରାସ୍ତା ଅବରୋଧ ହୋଇଥିବା ବେଳେ ପ୍ରଶାସନ ପହଞ୍ଚି ରାସ୍ତାକୁ ସଫା କରିଥିବା ଜଣାପଡ଼ିଛି।ସେହିଭଳି ତରଙ୍ଗଡା ପଞ୍ଚାୟତର ଅଡରସିଂ ଠାରେ ରାସ୍ତା ଧୋଇ ହୋଇ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା।ଆଶ୍ରୟଗଡ ଠାରୁ ବୁରୁଡିଂ ରାସ୍ତାରେ ଏକ ପୋଲ ଭାସିଯାଇ ଗମନାଗମନରେ ବାଧା ଉପୁଜୁଛି।ଏପଟେ ଗୋଷାଣୀ ବ୍ଳକର ମହେନ୍ଦ୍ରତନୟା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ନଦୀ କୂଳରେ ଥିବା ବାଘଶାଳା ଓ ବାପୁଜୀ ପେଣ୍ଠ ଗାଁ ଭିତରେ ନଦୀର ବଢିପାଣି ପଶିଯାଇଛି।ଗଜପତିରେ ପ୍ରକୃତିର ଏହି କରାଳ ରୂପକ ପ୍ରବଳ ବର୍ଷା ଓ ପାହାଡ଼ ଧସିବା ଘଟଣାରେ ଦୁଇ ଜଣ ମୃତ ଘୋଷିତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।ନିଖୋଜ ଥିବା ଦୁଇ ଜଣଙ୍କ ପତ୍ତା କିଛି ଦିନ ବିତି ଯିବାକୁ ବସି ଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନ ଥିବା ନେଇ ଅଞ୍ଚଳବାସୀ ଏମାନଙ୍କ ନିଶ୍ଚିତ ମୃତ୍ୟୁ ଘଟିଥିବା ଅନୁମାନ କରୁଛନ୍ତି।ହେଲେ ସରକାରୀ ଘୋଷଣା ପରେ ହିଁ ଏହା ସ୍ପଷ୍ଟ ହେବ।