ବନ୍ଧା ହେଲା ୫ ମହିଳାଙ୍କ ସ୍ଵାମୀ, ଲାଇନରେ ଥିଲେ ୪୯ ଜଣ
ଭୁବନେଶ୍ୱର ( ଦେବାଶିଷ ଦାଶ୍ )
ମିଛ କହି ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ବିବାହ କରି ସେମାନଙ୍କଠାରୁ ଟଙ୍କା ନେଇ ତଥା ସେମାନଙ୍କ ନାଁରେ ଲୋନ୍ ଉଠାଇ ବ୍ୟବସାୟ ସହିତ ମଉଜ କରୁଥିବା ଜଣେ ଠକଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍।
ତାଙ୍କ ନାଁ ସତ୍ୟଜିତ ମାନଗୋବିନ୍ଦ ସାମଲ (୩୪)।
ତାଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ। ଏବେ ସେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ରହୁଥିଲେ।
କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଅଭିଯୁକ୍ତଙ୍କ ନାଁରେ କ୍ୟାପିଟାଲ ଥାନାରେ ଦୁଇ ଜଣ ମହିଳା ଏତଲା ଦେଇଥିଲେ। ଜୀବନସାଥୀ ମାଟ୍ରିମୋନିଆଲ ସାଇଟ୍ ଜରିଆରେ ଅଭିଯୁକ୍ତଙ୍କ ସହିତ ସେମାନଙ୍କର ପରିଚୟ ହୋଇଥିଲା। ସେମାନଙ୍କ ସହିତ ଚାଟିଂ କରିବା ପରେ ସେ ସେମାନଙ୍କୁ ବାହା ହେବାକୁ ରାଜି ହୋଇଥିଲେ। ଏହା ପରେ ଅଭିଯୁକ୍ତ ସେମାନଙ୍କ ସହିତ ସଂପର୍କ ରଖିଥିଲେ ଓ ସେମାନଙ୍କଠାରୁ ପଇସାପତ୍ର ସହିତ ଗାଡ଼ି ନେଇଥିଲେ। ଏହି ଦୁଇ ମହିଳାଙ୍କ ମଧ୍ୟରୁ ଅଭିଯୁକ୍ତ ଜଣଙ୍କଠାରୁ ୩୬ ଲକ୍ଷ ଟଙ୍କା ଓ ବୋଲେନୋ କାର ନେଇଥିବା ବେଳେ ଅନ୍ୟ ଜଣଙ୍କଠାରୁ ୮ ଲକ୍ଷ ଟଙ୍କା ଓ ଏକ ବୁଲେଟ ନେଇଛନ୍ତି। ଏହି ଦୁଇ ମହିଳାଙ୍କ ଏତଲା ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାଟ୍ରିମୋନିଆଲ ସାଇଟ୍ରେ ଯାଞ୍ଚ କଲା ପରେ ଆମେ ଜାଣିବାକୁ ପାଇଲୁ ଯେ ମୋଟ ୪୯ ଜଣ ମହିଳାଙ୍କ ସହ ଚାଟିଂ ବା ବିଭିନ୍ନ ସ୍ତରରେ ଅଛନ୍ତି।