ବେଦାନ୍ତ କମ୍ପାନୀ ଲାଞ୍ଜିଗଡ଼ ବାସୀଙ୍କୁ ଦେଇଥିବା ପ୍ରତିଶୃତି ପାଣିର ଗାର
ଲାଞ୍ଜିଗଡ଼ – ବେଦାନ୍ତ କମ୍ପାନୀ 2003 ମସିହାରେ ଯେତେବେଳେ ପାଦ ଦେଲା, ଅଞ୍ଚଳବାସୀଙ୍କୁ ଅନେକ ରଙ୍ଗୀନ ସ୍ବପ୍ନ ଦେଖାଇଥିଲା l କିନ୍ତୁ ପରେ ସବୁ କଥା ଭୁଲିଗଲା l କମ୍ପାନୀ ତାର ପ୍ରୋଜେକ୍ଟ ରିପୋର୍ଟରେ ଦର୍ଶାଇଥିଲା ଯେ ତାର ପ୍ରକଳ୍ପର ଚତୁର୍ଦ୍ଦିଗରେ ପଚିଶ କିଲୋମିଟର ଯାଏଁ ପାରିପାର୍ଶ୍ଵିକ ବିକାଶ କରିବ l ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ସମ୍ପୂର୍ଣ୍ଣ ବିକାଶ ହେବ l କିନ୍ତୁ ଆଜିଯାଏ ଦୀର୍ଘ କୋଡ଼ିଏ ବର୍ଷ ହେଲା ବିକାଶର ନାଁ ନାହିଁ l କେବଳ ବିକାଶ ନାଁରେ ମିଥ୍ୟା ପ୍ରଚାର କରିଚାଲିଛି l ବେଦାନ୍ତ କମ୍ପାନୀର ମାଲିକ ଅନିଲ ଅଗ୍ରୱାଲ କହିଲେ, ଲାଞ୍ଜିଗଡ଼ରେ କମ୍ପାନୀ ଦ୍ୱାରା ଗୋଟାଏ ବଡ଼ ହାର୍ଟ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ଏବଂ ଗୋଟିଏ ଗାର୍ଲ ସ୍କୁଲ କରାଯାଇଛି ଯେଉଁଠାରେ ତିନି ହଜାର ଝିଅ ପାଠ ପଢୁଛନ୍ତି l କିନ୍ତୁ ସେ ସବୁ ମିଥ୍ୟା ପ୍ରଚାର ବ୍ୟତୀତ ଆଉ କିଛି ନୁହେଁ l ବିଜ୍ଞାନ କଲେଜ କରିବ ବୋଲି ପନ୍ଦର ବର୍ଷ ହେଲା ଗୋଟାଏ ଜାଗାକୁ ପାଚେରୀ ଘେରାଉ କରି ରଖିଛି ଏବଂ କଲେଜରେ ପାଠ ପଢ଼ା ହେଉଛି ବୋଲି ବିଜ୍ଞାପନ ମଧ୍ୟ ଦିଆଗଲା, କିନ୍ତୁ ଆଜିଯାଏଁ ତଥାକଥିତ କଲେଜର ଚି଼ହ୍ନ ମଧ୍ୟ ନାହିଁ l ରାସ୍ତା ଘାଟର ଅବସ୍ଥା କହିଲେ ନ ସରେ l ଲାଞ୍ଜିଗଡ଼ର ଚତୁର୍ଦ୍ଦିଗରେ ତିରିଶି କିଲୋମିଟର ପର୍ଯ୍ୟନ୍ତ ରାସ୍ତା ସବୁର ଯେଉଁ ଶୋଚନୀୟ ଅବସ୍ଥା ନିଜେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ l ନିଯୁକ୍ତି ବିଷୟରେ ଅବା କଣ କହିବା l ସ୍ଥାନୀୟ ଲୋକଙ୍କର କମ୍ପାନୀରେ ନିଯୁକ୍ତିର ନାମ ନାହିଁ କହିଲେ ଚଳେ l ଏ ଅଞ୍ଚଳର ଲୋକେ କାମ ନ ପାଇ ଦାଦନ ଖଟିବାକୁ ସୁଦୂର ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳ, ଗୁଜୁରାଟ ଓ ରାଜସ୍ଥାନକୁ ଯାଉଛନ୍ତି ଏବଂ ସେଠାରେ କାର୍ଯ୍ୟ କରିବା ସମୟରେ ଅନେକ ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି ଅନେକଙ୍କର ଜୀବନ ମଧ୍ୟ ଚାଲିଯାଉଛି l ତେଣୁ କମ୍ପାନୀ ଦ୍ୱାରା ଲୋକଙ୍କର କଣ ଲାଭ ହେଉଛି ?
ଏପଟେ କମ୍ପାନୀ ଦ୍ୱାରା ପରିବେଶ ଉପରେ କୁପ୍ରଭାବ ପଡୁଛି l ଚାରିଆଡ଼େ କୁଢ଼ କୁଢ଼ ଆବର୍ଜନା l ଆହୁରି ମଧ୍ୟ ପ୍ରକଳ୍ପର ରେଡ଼ମଡ଼ ପଣ୍ଡ ଏବଂ ଆଶପଣ୍ଡ ଯାହା କି ଜନବସତି ଠାରୁ ଆଠ କିମ୍ବା ଦଶ କିଲୋମିଟର ଦୂରରେ ରହିବା କଥା, ତାହା ଲୋକାଳୟର ନିକଟବର୍ତ୍ତୀ ସ୍ଥାନରେ ରହିଛି l ଏଥିପାଇଁ ସ୍ଥାନୀୟ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି l ଏଣେ କମ୍ପାନୀ ଖଣି ନ ପାଇ ମଧ୍ୟ ନିୟମଗିରି ଅଞ୍ଚଳରୁ ପ୍ରଚୁର ଜଙ୍ଗଲ କାଟି ଚାଲିଛି l ବିରାଟ ଗଛ ସବୁ ହଜାର ହଜାର ସଂଖ୍ୟାରେ ଜଙ୍ଗଲ ବିଭାଗର ବିନା ଅନୁମତିରେ କାଟି ଜଙ୍ଗଲ ଧ୍ବଂସ କରିବା ଯୋଗୁଁ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଚାଲିଛି l ତେଣୁ ଏଠାରେ ଏ ଆଲୁମିନା ପ୍ରକଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ଏ ଅଞ୍ଚଳର କଣ ଲାଭ ହେଲା ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନାଙ୍କ ରିପୋର୍ଟ, ନିଉନ ଉପାନ୍ତ ଖବର