November 18, 2024

ନବମ ଦିନରେ ପଞ୍ଚ ଠାକୁରାଣୀ ଯାତ୍ରା , ଉତ୍ସବ ମୁଖର ବୁଗୁଡ଼ା ସହର 

Share

 

 

ବୁଗୁଡ଼ା : ତା ୦୪/୦୫/୨୩ : ଗତ ଏପ୍ରିଲ ୨୬ ତାରିଖରୁ ଆରମ୍ଭ ହୋଇଥିବା ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ନବମ ଦିନରେ ପହଞ୍ଚିଥିବା ବେଳେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ପଟୁଆରରେ ଅନୁଷ୍ଠିତ ହୋଇଯାଇଛି । ଆଜି ବଡଦାଣ୍ଡର “ତ୍ରିପତି ବାଲାଜୀ” ମେଢ ଲୋକାର୍ପିତ ହୋଇଯାଇଥିବା ବେଳେ ପୁରୁଣା ବସଷ୍ଟାଣ୍ଡର “ନୃସିଂହ” ମେଢଠାରେ ହୋମ କାର୍ଯ୍ୟ ଚାଲିଥିବା ସହ କେତେକ ସ୍ଥାନରେ ମେଢ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ହାଇସ୍କୁଲ ଛକଠାରୁ ଶକ୍ତିନଗରସ୍ଥିତ ପ୍ରବେଶ ତୋରଣ ପର୍ଯ୍ୟନ୍ତ ଆଲୋକ ସଜ୍ଜିକରଣ ବ୍ଯବସ୍ଥା ଲୋକଙ୍କ ମନ ମୋହୁଥିବା ବେଳେ ନୂଆଁ ବସଷ୍ଟାଣ୍ଡର “ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା” ମେଢ ଓ “କାମଧେନୁ” ମେଢ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହେବା ସହ ସନ୍ଧ୍ୟାରେ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ମାନସିକଧାରୀ ମହିଳା ସୂର୍ଯ୍ୟକାନ୍ତୀ ନାଇକ , କୁନି ନାଇକ , ନମିତା ନାଇକ , ରଞ୍ଜିତା ପାଢୀ , ସୁଦଷ୍ଣା ସାହୁ ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଆସ୍ଥାନରୁ ବାହାରି ବଳଦେବ ମନ୍ଦିର , ଯାଦବ ସାହି , ଫରେଷ୍ଟ କଲୋନୀ , ସବରେଜିଷ୍ଟର ଅଫିସ କଲୋନୀ , ପିଡବ୍ଲୁଡି କଲୋନୀ , ମହାପାତ୍ର ସାହି , ଅନ୍ଧାରିଆ ସାହି , ନୂଆଁ ସାହି , ଧୋବା ସାହି , ହରିଜନ ସାହି , ବିରଞ୍ଚି ନାରାୟଣ ମନ୍ଦିର ଗଳି ଆଦି ପରିକ୍ରମା କରିଥିଲେ। ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ବୁଗୁଡ଼ା ସହର ଉତ୍ସବ ମୁଖରିତ ହୋଇ ଉଠିଛି । ଜନ ଗହଳି ମଧ୍ୟରେ ଯାନବାହାନ ଚଳାଚଳରେ ନିୟନ୍ତ୍ରଣ ସାଙ୍ଗକୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ନିୟୋଜିତ ରହିଥିଲେ ।