November 21, 2024

ଗଜପତି:- ଆଦିମ ଜନଜାତିଙ୍କ ସ୍ଥାୟୀ ଜୀବନ ଜୀବିକା ଅର୍ଜନ ପାଇଁ ଉଦ୍ଧିଷ୍ଟ ବନ୍ଦ ପ୍ରକଳ୍ପକୁ ପୁନଃ ଆରମ୍ଭ କରିବାକୁ ଦାବୀ

Share

ଗଜପତି ଜିଲ୍ଲାର ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଳକାଞ୍ଚଳରେ ବର୍ଷ ବର୍ଷ ଧରି ବସବାସ କରି ଆସୁଥିବା ଆଦିମ ଜନଜାତିଙ୍କ ସାମୁହିକ ବିକାଶ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ଗତ ୭ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଓପିଇଏଲଆଇପି: ପ୍ରକଳ୍ପ ହଠାତ କିଛି ମାସ ହେଲା ସମ୍ପୂର୍ଣ ଭାବେ ବନ୍ଦ ହୋଇପଡିଛି । ସେହି ପ୍ରକଳ୍ପ ବନ୍ଦ ହୋଇ ପଡିଥିବା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ସ୍ଥାୟୀ ଜୀବନ ଜୀବିକା ଅର୍ଜନର ରାହା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡ଼ିଛି । ତେଣୁ ସେହି ଓ:ପି:ଇ:ଏଲ:ଆଇ:ପି: ପ୍ରକଳ୍ପକୁ ପୁନଃ ଆରମ୍ଭ କରି କାର୍ଯ୍ୟକ୍ଷମ କରିବା ସହ ସେହି ପ୍ରକଳ୍ପକୁ ସମ୍ପ୍ରସାରିତ କରିବା ପାଇଁ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ଅଜୟଗଡ , କୁଜାସିଂ ଓ ଭୁବନି ପଞ୍ଚାୟତର ଆଦିମ ଜନଜାତି ଅଧିବାସୀ ମାନେ ଦାବୀ କରି ମିଳିତ ଭାବେ ଏକ ସ୍ମାରକପତ୍ର ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସଙ୍କୁ ପ୍ରଦାନ କରିଛନ୍ତି ।
ସଂପୃକ୍ତ ଅଧିବାସୀ ମାନେ ସେମାନଙ୍କ ଦାବୀ ପତ୍ରରେ ଦର୍ଶାଇଛନ୍ତି ଯେ , ଗତ ୭ ବର୍ଷ ପୂର୍ବେ ଯେତେ ବେଳେ ଏହି ଓପିଇଏଲଆଇପି: ପ୍ରକଳ୍ପ ଆରମ୍ଭ ହେଲା , ସେତେବେଳେ ସଂପୃକ୍ତ ଅଞ୍ଚଳର ୩୨ ଟି ଗ୍ରାମ୍ୟ ଉନ୍ନୟନ କମିଟି ଗଠନ ହୋଇ ସେରଙ୍ଗ ସ୍ଥିତ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ମାଧ୍ୟମରେ ଏହି ପ୍ରକଳ୍ପକୁ ଅନୁଦାନ ଟଙ୍କା ଆସିଥିଲା । ସେହି ଦିନଠାରୁ ଏ ସମସ୍ତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ କମିଟି ଏଲଏସଡିଏ: , ଏଫଏନଜିଓ: , ଜେକେପି: ଓ ପିଏମୟୁ: ପ୍ରମୁଖ ଓପିଇଏଲଆଇପି: ପ୍ରକଳ୍ପ ସହଯୋଗରେ ସମସ୍ତ କାର୍ଯ୍ୟ ଅତ୍ୟନ୍ତ ଦକ୍ଷତାର ସହ ପରିଚାଳନା କରି ଆସୁଥିଲେ ଏବଂ ଏବଂ ଏଭଳି ଏକ ସ୍ଥାୟୀ ଜୀବିକା ଅର୍ଜନ ଦ୍ଵାରା ସଂପୃକ୍ତ ଅଂଚଳର ଜନଜାତି ସମ୍ପ୍ରଦାୟ ଲୋକଙ୍କ ବେଶ୍ ଉନ୍ନତି ପରିଲକ୍ଷିତ ହୋଇ ପାରୁଥିଲା ।
ତେଣୁ ଏହି ପ୍ରକଳ୍ପକୁ ସ୍ଥାୟୀ ଭାବେ ଗଜପତି ଜିଲ୍ଲାରେ ପୁଣି କାର୍ଯ୍ୟକ୍ଷମ କଲେ ଲାଞ୍ଜିଆ ସୌରା ତଥା ଜନଜାତି ଲୋକମାନଙ୍କ ସ୍ଥାୟୀ ଜୀବନ ଜୀବିକାର ବିକାଶ ହୋଇପାରନ୍ତା ।
ଏତଦ୍ବ୍ୟତୀତ ଏହି ୩ ପଞ୍ଚାୟତର ଜନଜାତି ଲୋକମାନେ ସ୍ମାରକପତ୍ର ରେ ଦର୍ଶାଇ ଜଣାଇଛନ୍ତି ଯେ , ଆମର ଏହି ଭୁବନି, କୁଜାସିଙ୍ଗି ଓ ଅଜୟଗଡ ତିନୋଟି ପଞ୍ଚାୟତର ୫୭ଟି ଗ୍ରାମରେ ୩୧୦୩ ଟି ପରିବାରର ୧୩୧୫୦ ଜଣ ହିତାଧିକାରୀଙ୍କୁ ନେଇ ୨୦୧୭ ମସିହା ଜୁଲାଇ ୧୭ ତାରିଖ ଠାରୁ ଓପିଇଏଲଆଇପି: ପ୍ରକଳ୍ପ ଆରମ୍ଭ ହେବା ନେଇ ତ୍ରି-ପାକ୍ଷିକ ଚୁକ୍ତିନାମା ହୋଇଥିଲା ଏବଂ ପ୍ରକଳ୍ପ ଅହୁଭାରମ୍ଭ ଓ କାର୍ଯ୍ୟକ୍ଷମ ହେଲା ପରେ ପରେ ଗ୍ରାମ୍ୟ ଉନ୍ନୟନ କମିଟି ଗଠନ ହେବା ସହ ଏସଏଚଜି: ଗଠନ ହୋଇ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇ ସଶକ୍ତିକରଣ ଯୋଗୁଁ ସମସ୍ତ ପରିବାରରେ ସାମାଜିକ ଆର୍ଥିକ ଦୃଷ୍ଟିରୁ କ୍ରମାଗତ ଉନ୍ନତି ପରିଲିକ୍ଷିତ ହେଉଛି ।
ଏଥି ସମେତ ସଂପୃକ୍ତ ଏହି ୩ ଟି ପଞ୍ଚାୟତର ମାଇକ୍ରୋ ପ୍ରକଳ୍ପ ଅଞ୍ଚଳରେ ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ , କୃଷି , ଜଳ ସେଚନ , ବିଶୁଦ୍ଧ ପାନୀୟ ଜଳ , ଗୋସମ୍ପଦ ସୁରକ୍ଷା ଓ ଉନ୍ନତି , ଆୟଜନିତ ପନ୍ଥା , ପକ୍କା ଘର ଯୋଜନା , ଗୋଷ୍ଠୀ ଗୃହ , ଖଳା , ଗୋଷ୍ଠୀ କାର୍ଯ୍ୟସ୍ଥଳ ପ୍ରଭୃତି କ୍ଷେତ୍ରରେ ବେଶ୍ ଉନ୍ନତି ହୋଇ ପାରିଥିଲା ।
ଅନ୍ୟପକ୍ଷରେ ଜଙ୍ଗଲ ଜମି ପଟ୍ଟା ମାଧ୍ୟମରେ ୫୨୫ ପରିବାର ଉପକୃତ ହୋଇଛନ୍ତି । ୧୫୦ ଏକର ଜମିରେ ବୋର-ୱେଲ ସୁବିଧା ବ୍ୟବସ୍ଥା , ଝରଣା ପାଣି ମାଧ୍ୟମରେ ଜଳ ସେଚନ ସୃଷ୍ଟି କରାଯାଇ କୃଷି ଉତ୍ପାଦନ ଦୁଇ ଗୁଣା ବଢ଼ିଛି । ପନିପରିବା ଚାଷ ଦ୍ବାରା ୧୩୧୩ ଚାଷୀ ଉପକୃତ ହୋଇ ତାଙ୍କର ଆୟ ଦୁଇ ଗୁଣ ବଢ଼ିଛି । ତାଲିମ ମାଧ୍ୟମରେ କୃଷିରେ ଧାନ, ମାଣ୍ଡିଆ, ପନିପରିବା ଚାଷରେ ୧୩୭୫ ଏକରରେ ଚାଷୀ ପରିବାର ମାନଙ୍କୁ ଉପକୃତ ହୋଇ ପାରୁଛନ୍ତି । ଆୟ ଜନିତ ପନ୍ଥା କାର୍ଯ୍ୟକ୍ରମ ମାଧ୍ୟମରେ ୫୧୫ ପରିବାର ନିଜର ପରିବାରର ଭରଣପୋଷଣ କରି ପାରୁଛନ୍ତି । ସେହିଭଳି ଛେଳି ଓ କୁକୁଡ଼ା ପାଳନ ମାଧ୍ୟମରେ ୨୭୫୫ ପରିବାର ନିଜର ଗୋ-ସମ୍ପଦ ଉତ୍ପାଦନକୁ ସୁରକ୍ଷିତ କରିବା ସହ ଲାଭଜନକ ହୋଇ ପାରିଛନ୍ତି । ମନରେଗା ଯୋଜନାରେ ମାଧ୍ୟମରେ ୧୨୦୦ ଦିନ ମଜୁରିଆ ୧୫୦ ଦିନର କାମ ପାଇ ଏବଂ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନ ଯାଇ ନିଜ ପରିବାର ପୋଷିବାରେ ସକ୍ଷମ ହୋଇ ପାରୁଛନ୍ତି । ଗୋଷ୍ଟି ପୁଷ୍ଟି ସାଧନ କେନ୍ଦ୍ର ଦ୍ଵାରା ୧୦୦ ଜଣ ଶିଶୁ ଉପକୃତ ହୋଇ ପାରୁଛନ୍ତି । ଏଥିସହ ଶିଶୁ ମାନେ ଆଗ୍ରହ ସହ ନିୟମିତ ଭାବେ ସ୍କୁଲ ମୁହାଁ ହୋଇଛନ୍ତି ଏବଂ ଏଥିରେ ଅଭିଭାବକ ମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି । ଅଞ୍ଚଳରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ରହିଥିବା ତାରତମ୍ୟ ଅନେକାଂଶରେ ହ୍ରାସ ପାଇଛି ।
ଏ ସମସ୍ତ ଦିଗରେ ସରକାରଙ୍କ ଓଏଲଏମ: , କୃଷି ଉଦ୍ୟାନ , ପଶୁସମ୍ପଦ , ଗ୍ରାମ୍ୟ ଜଳଯୋଗାଣ , କୃଷି ଓ ରାଜସ୍ବ ବିଭାଗ ପ୍ରମୁଖଙ୍କ ସମେତ ଭିଡ଼ିସି: ତଥା ଗ୍ରାମ୍ୟ ଉନ୍ନୟନ କମିଟି ସମସ୍ତ କାର୍ଯ୍ୟ କରିବା ଜାରୀ ରଖିଛନ୍ତି ।
ତେବେ , ଏତେ ସବୁ ଉନ୍ନୟନ ତଥା ବିରଳ କାର୍ଯ୍ୟକ୍ରମ ଜନଜାତି ଲୋକଙ୍କ ସାମଗ୍ରିକ ବିକାଶ ଉଦ୍ଦେଶ୍ୟରେ ସରକାର , ଗୋଷ୍ଟି ଓ ସ୍ୱେଚ୍ଛାସେବୀ ସଂସ୍ଥା ମାନଙ୍କ ମିଳିତ ଉଦ୍ୟମରେ ଚାଲିଥିବା ବେଳେ ସରକାର ଏହାକୁ ହଠାତ୍ ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ଠପ୍ କରି ଦେଇଛନ୍ତି ।
ପ୍ରକଳ୍ପ କାର୍ଯ୍ୟକ୍ରମ ହଠାତ୍ ଠାପ ହୋଇଯିବା ଫଳରେ ଆଦିମ ଜନଜାତି ମାନଙ୍କ ସ୍ଥାୟୀ ଜୀବନ ଜୀବିକା ଅର୍ଜନର ରାହାର ବିକଳ୍ପ ଆଉ କିଛି ପାଉ ନ ଥିବା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟକ୍ରମକୁ ତୁରନ୍ତ ଚାଲୁ ରଖିବା ସହ କାର୍ଯ୍ୟକ୍ଷମ କରିବାକୁ ଜନଜାତି ସମ୍ପ୍ରଦାୟ ଲୋକେ ଦୃଢ଼ ଦାବୀ ରଖିଛନ୍ତି ।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————

You may have missed