March 12, 2026

ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡିତା: ଓଡ଼ିଶା ଆସିବ ମୃତଦେହ

IMG-20250803-WA0022
Share

 

( ଦେବାଶିଷ ଦାଶ )

 

 

ଗତକାଲି ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଛନ୍ତି ବଳଙ୍ଗା ପୀଡିତା । ପୀଡିତାଙ୍କ ବାପାଙ୍କ ଅପିଲ୍‌ ରାଜନୀତି କରନି। ଗାଁରେ ଶୋକର ଛାୟା ।

 

ନିମାପଡ଼ା/ପୁରୀ/ଭୁବନେଶ୍ବର

 

15 ଦିନ ଧରି ଜୀବନ-ମରଣ ସହ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବଳଙ୍ଗା ପୀଡିତା । ଗତକାଲି(ଅଗଷ୍ଟ 2)ରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି 15 ବର୍ଷୀୟ ନାବାଳିକା । ଆଜି(ରବିବାର) ତାଙ୍କ ମୃତଦେହ ବ୍ୟବଚ୍ଛେଦ ହେବ । ଏହାପରେ ମରଶରୀର ଓଡ଼ିଶା ଆସିବ । ଏହି ଘଟଣାରେ ରାଜନୀତି ନକରିବାକୁ ଅପିଲ୍‌ କରିଛନ୍ତି ପୀଡିତାଙ୍କ ବାପା । ସେପଟେ ରାଜନୀତି ଜୋର ଧରିଥିବା ବେଳେ ଗାଁରେ ଖେଳି ଯାଇଛି ଶୋକର ଛାୟା ।

 

ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମଦାହ ଜନିତ ମୃତ୍ୟୁ ଖବର ମନରୁ ଲିଭି ନଥିବା ବେଳେ ପୁଣି ରାଜ୍ୟ ପାଇଁ ଆସିଛି ଆଉ ଏକ ଦୁଃଖଦ ଖବର।

 

ଜୁନ 19ରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ 15 ବର୍ଷୀୟ ନାବାଳିକା ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ 3 ଦୁର୍ବୃତ୍ତ । ଏମ୍ସ ଭୁବନେଶ୍ୱର ଓ ପରେ ଏମ୍ସ ନୂଆଦିଲ୍ଲୀରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ନାବାଳିକାର ଗତକାଲି ମୃତ୍ୟୁ ହୋଇଛି । ଆଜି(ଅଗଷ୍ଟ 3)ରେ ନୂଆଦିଲ୍ଲୀ ଏମ୍ସରେ ନାବାଳିକାଙ୍କର ମୃତଦେହ ବ୍ୟବଚ୍ଛେଦ ହେବ । ଏହା ପରେ ମୃତଦେହକୁ ଓଡ଼ିଶା ଅଣାଯିବ ।

 

[[[[[[ ଅଶୁଭ ଶନିବାର ଜାଳିଦେଲେ, ଶନିବାର ଆଖି ବୁଜିଲେ ]]]]]]

 

ତେବେ ସେଦିନ ଥିଲା ଜୁଲାଇ 19, ବାର ଶନିବାର ପୀଡିତାଙ୍କୁ ଜାଳିଦେବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ତେବେ ଦୀର୍ଘ 15 ଦିନ ଧରି ଚିକିତ୍ସିତ ହେବା ପରେ ଅଗଷ୍ଟ 2(ଶନିବାର) ପ୍ରାଣ ହରାଇଛନ୍ତି ପୀଡିତା । ତେବେ ଜୁଲାଇ 19 ଦିନ ପୀଡିତାଙ୍କୁ ପ୍ରଥମେ ପିପିଲିରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ନାବାଳିକାଙ୍କ 75 ପ୍ରତିଶତ ଶରୀର ଜଳିଯାଇଥିଲା । ଭୁବନେଶ୍ବର ଏମ୍ସର ବର୍ଣ୍ଣ ୱାର୍ଡରେ ନାବାଳିକା ଚିକିତ୍ସିତ ହେଉଥିଲା । ଅଧିକ ଚିକିତ୍ସା ଲାଗି ଜୁଲାଇ 20ରେ ନାବାଳିକାକୁ ନୂଆଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଥିଲା । ଅପରାହ୍ନ 4.20ରେ ଦିଲ୍ଲୀ ଏମ୍ସର ବର୍ନ ଆଣ୍ଡ ପ୍ଲାଷ୍ଟିକ୍ ବିଭାଗର ବର୍ଣ୍ଣ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ପୀଡିତାଙ୍କ ବିଭିନ୍ନ ପର୍ଯ୍ୟାୟରେ ଅସ୍ତ୍ରୋପଚାର କରାଯାଇଥିଲା । କୁହାଯାଉଥିଲା ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ହେଲେ ଗତକାଲି ସେ ଆଖି ବୁଜିଛନ୍ତି ।

 

ଚିକିତ୍ସାଧିନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ପରେ ରାଜ୍ୟରେ ରାଜନୀତି ସରଗରମ । ଏହାକୁ ନେଇ ପୀଡିତାଙ୍କ ବାପା ଭିଡିଓ ବାର୍ତ୍ତା ଯୋଗେ ରାଜନୀତି ନକରିବାକୁ ଅପିଲ୍‌ କରିଛନ୍ତି । ସେ କହିଛନ୍ତି, ‘ଝିଅ ପାଇଁ ସରକାର ଯେତିକି ସହଯୋଗ କରିବା କଥା କରିଛନ୍ତି । ମୋ ପାଖରେ ମୋ ଝିଅ ନାହିଁ । ମାନସିକ ଚିନ୍ତା ଯୋଗୁଁ ଜୀବନ ନେଇଛି । ଏହାକୁ ନେଇ ରାଜନୀତି ନକରି ମୋ ଝିଅ ପାଇଁ ପ୍ରାର୍ଥନା କରନ୍ତୁ । ତା ଆତ୍ମା ଶାନ୍ତି ହେଉ ।’

 

ପୀଡିତାଙ୍କ ଗାଁରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିଲା । ଗାଁରେ ପୋଲିସ ମୁତୟନ କରାଯାଇଥିଲା । ପୀଡ଼ିତାଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ଏନେଇ ଗ୍ରାମବାସୀ କହିଛନ୍ତି, ‘ଯାହା ଘଟିଲା ଏଥିପାଇଁ ମନ ବହୁତ ଦୁଃଖ ଝିଅଟି ପାଇଁ ଅନେକ ପ୍ରାର୍ଥନା କରିଥିଲୁ । ହେଲେ ଖବର ପାଇଲୁ ଝିଅଟି ଆଉ ନାହିଁ । ଏଥିପାଇଁ ଆମେ ଦୁଃଖିତ । ସରକାର ପରିବାର କଥା ବୁଝନ୍ତୁ ସେମାନେ କିପରି ଭଲରେ ରହିବେ ।’