September 24, 2026

ଜିଲ୍ଲାପାଳଙ୍କ ବିରୋଧରେ ସଙ୍ଗିନ ଅଭି‌ଯୋଗ: ଆଣି ଛନ୍ତି ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀ

IMG-20250203-WA0028
Share

 

 

କୋଲନରା: ରାୟଗଡ଼ା ଜିଲ୍ଲାର ପ୍ରଶାସନିକ ବ୍ୟବସ୍ଥା କୁ କିଏ ବା ନ ଜାଣେ ।୬ ମାସ ଧରି କାର୍ଯ୍ୟକୁ ପ୍ରଶଂସା କରୁଥିଲେ। କିନ୍ତୁ ୭ ଦିନର କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇଗଲେ। ଏକ ନିର୍ଦ୍ଦିଷ୍ଟ ଫାଇଲ୍‌ରେ ଦସ୍ତଖତ ନ କରିବା କାରଣରୁ ବାରମ୍ବାର ପ୍ରକୋଷ୍ଠକୁ ଡାକି ତାଗିଦ୍‌ କରୁଥିଲେ। କେବଳ ସେତିକି ନୁହେଁ, ୬ଟି କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରିଥିଲେ। ଫଳରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲି। ରାୟଗଡ଼ା ଜିଲ୍ଲାପାଳ ପାରୁଲ୍ ପଟାୱରୀଙ୍କ ବିରୋଧରେ ଏପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ରାୟଗଡ଼ାର ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ। ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସମେତ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଅସୀମାଙ୍କ କହିବା ଅନୁଯାୟୀ, ୨୦୨୪ ଡିସେମ୍ବର ୧୧ରେ ସେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। କାମ ଯୋଗଦାନ ସଂକ୍ରାନ୍ତୀୟ ଅନୁମତିପତ୍ର ଗ୍ରହଣ ପାଇଁ ଜିଲ୍ଲାପାଳ ଦିନତମାମ ବୁଲାଇବା ପରେ ରାତିରେ ଗ୍ରହଣ କରିଥିଲେ। ଗ୍ରହଣ କରିବା ସଙ୍ଗେ ସଙ୍ଗେ ମଙ୍ଗଳ ବିଭାଗ ଅନ୍ତେବାସୀଙ୍କ ସାମଗ୍ରୀ କିଣା ଫାଇଲ୍ ଦସ୍ତଖତ କରି ଆଣିବାକୁ କହିଥିଲେ। ଡିସେମ୍ବର ୧୨ ତାରିଖରେ ପୁଣି ଫୋନ୍‌ କରି ଫାଇଲ୍ ଆଣିବାକୁ କହିଥିଲେ। କିନ୍ତୁ ଫାଇଲ୍ ସମ୍ପର୍କରେ କିଛି ଜାଣି ନ ଥିବାରୁ ଅନୁଧ୍ୟାନ କରିବା ପରେ ଦସ୍ତଖତ କରି ଜିଲ୍ଲାପାଳଙ୍କୁ ଦେବା ପାଇଁ ମନସ୍ଥ କରିଥିଲେ ଅସୀମା। ଯେଉଁଥି ପାଇଁ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲେ ଜିଲ୍ଲାପାଳ। ବାରମ୍ବାର ଚାପ ପ୍ରୟୋଗ କରିବା ପରେ ଫାଇଲ୍ ପଛର ଗୁମର ସମ୍ପର୍କରେ ଅସୀମା ଅବଗତ ହୋଇଥିଲେ। ସରକାର ନିର୍ଦ୍ଧ‌ାରିତ କରିଥିବା ଦରଠାରୁ ଦୁଇ ଗୁଣା ଅଧିକା ଦରରେ ଅନ୍ତେବାସୀଙ୍କ ସାମଗ୍ରୀ କିଣା ଫାଇଲ୍ ପ୍ରସ୍ତୁତ କରାଯାଇଥିଲା।

 

ଯାହାର ଆନୁମାନିକ ମୂଲ୍ୟ ଥିଲା ୧କୋଟି ୩୧ଲକ୍ଷ ୪୪ହଜାର ୪ଶହ ଟଙ୍କା। ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଅସୀମା ଛୁଟିରେ ରହିଥିଲେ। ଏହି ସମୟରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସମସ୍ତ କାର୍ଯ୍ୟ ତୁଲାଇଥିଲେ। ଛୁଟିରୁ ଫେରିବା ପରେ ଅସୀମା ବିଭାଗୀୟ ଅଧସ୍ତନ କର୍ମଚାରୀଙ୍କ ସମୀକ୍ଷା ବୈଠକ ଡାକିଥିଲେ। ବୈଠକ ପରେ ଜିଲ୍ଲାପାଳ ପୁଣି ଅସୀମାଙ୍କୁ ଡାକି ମନଇଚ୍ଛା ଗାଳି କରିଥିଲେ। କାର୍ଯ୍ୟଧାରା ଠିକ୍ ନଥିବା ନେଇ ତାଗିଦ କରିଥିଲେ। ସେହିପରି ବିଭାଗରେ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ପାଇଁ କମିଟି ଦ୍ୱାରା ଅନୁମୋଦନ ହୋଇଥିବା ଏକ ଫାଇଲର ଶେଷ ଆଦେଶ ପାଇଁ ଜିଲ୍ଲାପାଳଙ୍କ ଦସ୍ତଖତ ଆବଶ୍ୟକ ଥିଲା। ହେଲେ ଆଲୋଚନା ପାଇଁ ଜିଲ୍ଲାପାଳ କୌଣସି ସୁଯୋଗ ନ ଦେଇ ଓଲଟା ଗାଳିଗୁଲଜ ଏବଂ ଧମକ ଦେଇଥିବା ଅସୀମା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଭାଗୀୟ ସଚିବଙ୍କୁ ପ୍ରଦାନ କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଅସୀମାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ପାରୁଲ୍ ପଟାୱରୀ। ସେ କହିଛନ୍ତି, ପ୍ରାଶାସନିକ କାର୍ଯ୍ୟରେ ଗୋପନୀୟତା ରହିଥାଏ। କିଏ କଣ ଅଭିଯୋଗ କରିଛି, ସେହି ବିଷୟରେ ମୁଁ କିଛି ଜାଣିନାହିଁ। ସୂଚନାଯୋଗ୍ୟ, କାର୍ଯ୍ୟରେ ଅବହେଳା ଏବଂ ବିଭାଗୀୟ ବୈଠକରେ ବାରମ୍ବାର ଅନୁପସ୍ଥିତ ଯୋଗୁଁ ଜାନୁଆରି ୨୮ରେ ଅସୀମା ରାଓଙ୍କୁ ଦାୟିତ୍ବରୁ ମୁକ୍ତ କରିଥିଲେ ଜିଲ୍ଲାପାଳ। ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦାୟିତ୍ୱ ଦେବା ଲାଗି ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୨୨୮/୨୮.୧.୨୦୨୫ରେ ନିର୍ଦ୍ଦେଶ ହୋଇଥିଲା।

ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ