April 28, 2026

ଭାରତ ନିର୍ବାଚନ ଆୟୋଗ ଇ.ସି.ଆଇ.ନେଟ୍ ଆପକୁ ଅଧିକ ଉନ୍ନତ କରିବା ପାଇଁ ଜାନୁଆରୀ ୧୦ ଯାଏଁ ନାଗରିକ ମାନଙ୍କଠାରୁ ମତାମତ ଆମନ୍ତ୍ରଣ କରିଛନ୍ତି

IMG-20260103-WA0027
Share

 

 

ଭୁବନେଶର ତା. ୦୩.୦୧.୨୦୨୬

ଇ.ସି.ଆଇ.ନେଟ୍ ଆପ୍ ର ବ୍ୟବହାର ଓ କାର୍ଯ୍ୟକାରିତାକୁ ଉନ୍ନତ କରିବାପାଇଁ ଭାରତ ନିର୍ବାଚନ ଆୟୋଗ ନାଗରିକମାନଙ୍କୁ ଏହି ଆପ୍ ଡାଉନଲୋଡ୍ କରି, ଏହା ମଧ୍ୟରେ ଥିବା ‘Submit a Suggestion’ ଟ୍ୟାବ୍ ବ୍ୟବହାର କରି ସେମାନଙ୍କର ସୁଚିନ୍ତିତ ମତାମତ ଦେବା ପାଇଁ ଅନୁରୋଧ କରିଛନ୍ତି । ନାଗରିକ ମାନେ ଏ ସମ୍ପର୍କିତ ମତାମତ ୧୦ ଜାନୁୟାରୀ, ୨୦୨୬ ସୁଦ୍ଧା ଦେଇପାରିବେ ।

ଏହି ଆପ୍ ର ପରୀକ୍ଷାମୂଳକ ସଂସ୍କରଣଗୁଡ଼ିକ ଉନ୍ନତ ଭୋଟର ସେବା, ମତଦାନ ପ୍ରତିଶତ ଧାରାଗୁଡ଼ିକର ତ୍ୱରିତ ଉପଲବ୍ଧତା ଏବଂ ନିର୍ବାଚନ ଫଳା-ଫଳ ଘୋଷଣାର ୭୨ ଘଣ୍ଟା ମଧ୍ୟରେ ଇଣ୍ଡେକ୍ସ କାର୍ଡ ପ୍ରକାଶନକୁ ସକ୍ଷମ କରିପାରିଥିଲା, ପୂର୍ବରୁ ଏହି ସବୁ ପ୍ରକ୍ରିୟା ଶେଷ ହେବା ପାଇଁ ଅନେକ ଦିନ ଲାଗି ଯାଉଥିଲା। ଏହି ଆପ୍‌କୁ ପରୀକ୍ଷାମୂଳକ ଭାବେ ୨୦୨୫ ବିହାର ବିଧାନସଭା ନିର୍ବାଚନ ଏବଂ ଉପ-ନିର୍ବାଚନ ସମୟରେ ବ୍ୟବହାର କରାଯାଇଥିଲା।

ପ୍ଲାଟଫର୍ମର କାର୍ଯ୍ୟକାରିତାକୁ ଆହୁରି ଉନ୍ନତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ଜିଲ୍ଲା ନିର୍ବାଚନ ଅଧିକାରୀ (DEO), ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO), ପର୍ଯ୍ୟବେକ୍ଷକ ଏବଂ ଅନ୍ୟ କ୍ଷେତ୍ର ଅଧିକାରୀଙ୍କ ମତାମତକୁ ଅନ୍ତର୍ଭୁକ୍ତ କରାଯାଉଛି। ନାଗରିକମାନଙ୍କର ପରାମର୍ଶଗୁଡ଼ିକୁ ଯାଞ୍ଚ କରାଯାଇ ତଦନୁସାର ପ୍ଲାଟଫର୍ମକୁ ଅଧିକ ବ୍ୟବହାରଯୋଗ୍ୟ କରାଯିବ ଏବଂ ପ୍ଲାଟଫର୍ମକୁ ଏହି ମାସରେ ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯିବ ବୋଲି ଯୋଜନା କରାଯାଇଛି ।

ଇ.ସି.ଆଇ.ନେଟ୍ ଆପ୍ ର କାର୍ଯ୍ୟକାରିତା ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀଙ୍କ ଦ୍ୱାରା ନିଆଯାଇଥିବା ପ୍ରମୁଖ ପଦକ୍ଷେପ ମଧ୍ୟରୁ ଅନ୍ୟତମ ଅଟେ । ଏହାର ମୂଳ-ଉଦ୍ଦେଶ୍ୟ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଭୋଟରଙ୍କ ସୁବିଧାକୁ ଉନ୍ନତ କରିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି କରିବା । ଇ.ସି.ଆଇ.ନେଟ୍ ଆପ୍ ର ପ୍ରସ୍ତୁତି କାର୍ଯ୍ୟ ୪ ମଇ, ୨୦୨୫ ରୁ ଆରମ୍ଭ ହୋଇଥିଲା।

ଇ.ସି.ଆଇ.ନେଟ୍ ଆପ୍ ହେଉଛି ଭୋଟର ହେଲପଲାଇନ୍ ଆପ୍ (VHA), cVIGIL, SAKSHAM, ପୋଲିଂ ଟ୍ରେଣ୍ଡ୍ସ (Voter Turnout App), ନୋ ୟୋର କ୍ୟାଣ୍ଡିଡେଟ୍ (KYC) ଆପ୍ ଭଳି ପୂର୍ବରୁ ବ୍ୟବହାର ହେଉଥିବା ୪୦ ଟି ପୃଥକ ନିର୍ବାଚନ ସମ୍ବନ୍ଧୀୟ ଆପ୍ଲିକେସନ୍ / ୱେବସାଇଟ୍ ର ଏକକ ସଂଯୋଜିତ ଇଣ୍ଟରଫେସ । ଏହି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର ଉଭୟରୁ ଡାଉନଲୋଡ୍ କରାଯାଇପାରିବ ।