ଉମରକୋଟ ଅଞ୍ଚଳର ସମସ୍ୟା ଦୂର କରିବ କିଏ ? ପ୍ରଶାସନ ନା ସରକାର ???
ଉମରକୋଟ(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ର ଉମରକୋଟ ସହରକୁ ଜିଲ୍ଲା ର ଦ୍ବିତୀୟ ବୃହତ୍ତମ ସହର କହିଲେ ଅତ୍ୟୁକ୍ତି ହେବ ନାହିଁ।ଏହି ସହର ବ୍ୟବସାୟ ର ପେଣ୍ଠସ୍ଥଳୀ ଭାବେ ପରିଚିତ। କିନ୍ତୁ ଏହି ସହର ଅନେକ ସମସ୍ୟା ର ଘେର ରେ ଘେରି ହୋଇ ରହିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ଥାନୀୟ ପ୍ରଶାସନ କିମ୍ବା ଜନ ପ୍ରତିନିଧି କାହାରି ନଜର ପଡୁ ନାହିଁ। ସରକାରୀ କଳ ସ୍ଥାଣୁ ପାଲଟି ଯାଇଛି। ନିର୍ବାଚନ ଆସିଲେ ବିଭିନ୍ନ ରାଜନୈତିକ ଦଳ ର ନେତା ମାନେ ଅଞ୍ଚଳବାସୀଙ୍କୁ ବିଭିନ୍ନ ପ୍ରତିଶୃତି ଦେଇ ନିର୍ବାଚନ ଲଢ଼ନ୍ତି ଏବଂ ଜିତନ୍ତୀ ମଧ୍ୟ। କିନ୍ତୁ ପ୍ରତିଶୃତି କେବଳ କାଗଜ କଲମ ରେ ସୀମିତ ହୋଇ ରହିଯାଏ। ଉମରକୋଟ କୁ ସବଡ଼ିଭିଜନ ର ମାନ୍ୟତା ମିଳିଛି କିନ୍ତୁ ଏପର୍ଯ୍ୟନ୍ତ ଘୋଷଣା ହୋଇପାରିନାହିଁ। ଏହି ସହର ରେ ପ୍ରତ୍ୟେକ ବିଭାଗ ର କାର୍ଯ୍ୟାଳୟ ରହିଛି କିନ୍ତୁ ଅଧିକାରୀ ନାହାନ୍ତି। ଉମରକୋଟ ବ୍ଲକ ରେ ମୋଟ ୨୬ ଟି ପଂଚାୟତ ଥିବାବେଳେ ଏଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାହାନ୍ତି। ଯିଏ ଥିଲେ ତାଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯାଇଛି। ବର୍ତ୍ତମାନ ଦାୟିତ୍ବରେ ରାଇଘର ବିଡ଼ିଓ ଦୁଇ ଦୁଇଟି ବ୍ଲକ ସମ୍ଭାଳୁଥିବା ଦେଖିବାକୁ ମିଳିଛି। ପୌର ପରିଷଦ ର କଥା ନ କହିବା ଭଲ। ଗତ କିଛି ମାସ ମଧ୍ୟରେ ପାଞ୍ଚ ରୁ ଛଅ ଜଣ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟ ରେ ଯୋଗଦାନ ଦେଲେଣି। ଅନ୍ୟ ବିଭାଗ ରେ କିଛି ଅଧିକାରୀ ଅଛନ୍ତି କିନ୍ତୁ ସେମାନେ ଲୋକଙ୍କ ସହ ବ୍ୟବହାର ଠିକ ନ ରଖି ବରଂ ଲୋକଙ୍କୁ ନିରାଶ କରୁଥିବା ଦେଖିବାକୁ ମିଳିଛି। ଏ ଗଲା ବିଭାଗ ଗୁଡିକର ସମସ୍ୟା,ବର୍ତମାନ ଯିବା ସହର ର ମୁଖ୍ୟ ସମସ୍ୟା ଉପରେ। ସମସ୍ୟା ଭିତରେ ମୁଖ୍ୟ ସମସ୍ୟା ହେଲା ଟ୍ରାଫିକ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା, ପରିଷ୍କାର ପରିଛନ୍ନର ସମସ୍ୟା । ସହରରେ ଦିନକୁ ଦିନ ଜନ ଗହଳି ବଢ଼ିବାରେ ଲାଗିଛି, ଦିନକୁ ଶହ ଶହ ଛୋଟ ବଡ଼ ଗାଡି ର ଯାତାୟାତ ରହୁଥିବା ବେଳେ ଟ୍ରାଫିକ ସମସ୍ୟା ଦୂର ହୋଇ ପାରିନାହିଁ। ଦିନେ ଏହି ଟ୍ରାଫିକ ରେ ପୂର୍ବତନ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ୨୦ ରୁ ୨୫ମିନିଟ ପର୍ଯ୍ୟନ୍ତ ଫସି ରହିଥିଲେ।କିନ୍ତୁ ଟ୍ରାଫିକ ସମସ୍ୟା ଦୂର କରିପାରିନଥିଲେ। ଯାହାର ପ୍ରମୁଖ କାରଣ ହେଲା ମୁଖ୍ୟ ରାସ୍ତା ଉପରରେ କିଛି ଦୋକାନୀ ନାଳ ଉପରେ ସିମେଣ୍ଟ ପ୍ଲେଟ ପକାଇ ରାସ୍ତା ଉପରେ ସାମାନ ରଖିବା ଦ୍ୱାରା ଗାଡି ପାର୍କିଙ୍ଗ ନିମନ୍ତେ ଟ୍ରାଫିକ ହେଉଥିବା ଦେଖିବାକୁ ମିଳିଛି, ରାସ୍ତା ଉପରେ ବଡ଼ ବଡ଼ ଗାଡି ରଖି ସାମାନ ଲୋଡିଂ ଅନଲୋଡିଂ କରାଯାଉଛି କିନ୍ତୁ ପୌର ପରିଷଦ କିମ୍ବା ପୋଲିସ ପ୍ରଶାସନ ଏହା ପ୍ରତି ଧ୍ୟାନ ଦେଉନାହାନ୍ତି। ସହର ରେ ମୋଟ ୧୪ଟି ୱାର୍ଡ ରହିଛି, ପ୍ରାୟ ଅଧିକାଂଶ ୱାର୍ଡ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇ ପଡିଛି, ପୌର ପରିଷଦ ନିରବଦ୍ରଷ୍ଟା ସାଜିଛି। ପନିପରିବା ଦର ଦିନକୁ ଦିନ ଆକାଶଛୁଆଁ ହେଲାଣି ।ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳରେ ଅମଳ ହେଉଥିବା ପନିପରିବା ଅନ୍ୟ ଜିଲ୍ଲାକୁ ପ୍ରତ୍ୟେକ ଦିନ ପିକ ଅପ ଗାଡି ଓ ବିଭିନ୍ନ ଘରୋଇ ବସରେ ଯାଉଥିବା ଦେଖିବାକୁ ମିଳିଛି। ପୌର ପରିଷଦ ସବୁ ଦେଖି ନ ଦେଖିଲା ଭଳି ରହିଛି। ସେପଟେ ଆମିଷ ଦୋକାନ ହେଉ କିମ୍ବା ରାସନ ଦୋକାନ କୌଣସି ଦୋକାନ ରେ ଦରଦାମ ର କୌଣସି ଦର ତାଲିକା ନାହିଁ। ଯାହାଫଳରେ ଚଢ଼ା ଦରରେ ଦୋକାନୀ ସାମାନ ବିକ୍ରୟ କରୁଛନ୍ତି। ସହରରେ କେତେ ଜଳଖିଆ ଦୋକାନ ର ଲାଇସେନ୍ସ ଅଛି ତାହାର ତଦନ୍ତ କରିବା ଆବଶ୍ୟକ ଏବଂ ପୌର ପରିଷଦ ଜଳଖିଆ ର ଦରଦାମ ଉପରେ ଅଙ୍କୁଶ ଲଗାଇ ଠିକ ଦରରେ ବିକ୍ରି କରିବାକୁ ନିର୍ଦେଶଦେବା ଆବଶ୍ୟକ। ସବୁଠାରୁ ମୁଖ୍ୟ ସମସ୍ୟା ରହିଛି ସ୍ୱାସ୍ଥ୍ୟ ସମସ୍ୟା।ଏହି ସହର ରେ ଥିବା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଝରୀଗାଁ, ରାଇଘର, ଚନ୍ଦାହାଣ୍ଡି ଓ ଡାବୁଗାଁ ର ରୋଗୀ ନିର୍ଭର କରନ୍ତି। ଏହି ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅଭିଜ୍ଞ ଡାକ୍ତର ର ସ୍ଥାନ ନାହିଁ। ଅଭିଜ୍ଞ ନ ଥିବା ଡାକ୍ତର ରହିବା ଫଳରେ ଏଠାରେ ପ୍ରାୟ ସମସ୍ତ ରୋଗୀ ଙ୍କୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଉଛି। ତତ୍କାଳୀନ ବିଜେଡି ସରକାର ଏହି ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ରକ୍ତ ଭଣ୍ଡାର ଖୋଲିବା ପାଇଁ ପ୍ରତିଶୃତି ଦେଇ ଦେଇ ଶେଷରେ ସରକାର ଚାଲିଗଲା। କିନ୍ତୁ ରକ୍ତ ଭଣ୍ଡାର ହୋଇପାରିଲା ନାହିଁ। ରକ୍ତ ଭଣ୍ଡାର ଅଛି କିନ୍ତୁ ରକ୍ତ ଭଣ୍ଡାର କାମରେ ଆସୁନି। ଏବେ ମଧ୍ୟ ରୋଗିକୁ ରକ୍ତ ଦରକାର ପଡ଼ିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରକ୍ତ ଆଣିବାକୁ ପଡୁଛି।ରକ୍ତ ଭଣ୍ଡାର ନିମନ୍ତେ ଗତଥର ର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜ କର୍ମୀ ମାନଙ୍କ ସହ ମିଶି ଧାରଣା ରେ ବସିବା ସହ ବିଭିନ୍ନ ଆନ୍ଦୋଳନ ମଧ୍ୟ କରିଥିଲେ। କିନ୍ତୁ ରକ୍ତ ଭଣ୍ଡାର ହୋଇପାରିନଥିଲା। କାରଣ ସେ ସମୟରେ ସରକାର ବିଜେଡି ର ଥିଲା କିନ୍ତୁ ବର୍ତମାନ ଓଡିଶା ରେ ଡବଲ ଇଞ୍ଜିନ ସରକାର ଅଛି। ବିଧାୟକ ମଧ୍ୟ ସେହି ନିତ୍ୟାନନ୍ଦ ଗଣ୍ଡ ବିଜେପି ର ପୁଣି ସେ ରାଜ୍ୟ ର ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ସେ ନିଜ ପ୍ରଚେଷ୍ଟା ରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରକ୍ତ ଭଣ୍ଡାର ସମସ୍ୟା ଦୂର କରିଲେ ଅଞ୍ଚଳବାସି ରକ୍ତ ପାଇଁ ନବରଙ୍ଗପୁର କୁ ଧାଇଁବା ବନ୍ଦ କରି ଦେବେ। ଏଭଳି ଅନେକ ସମସ୍ୟା ଘେରରେ ଘେରି ହୋଇ ରହିଛି ଉମରକୋଟ ଅଞ୍ଚଳ।ଏହି ସମସ୍ୟା ଗୁଡିକ କୁ କିଏ ଦୂର କରିବ ? ପ୍ରଶାସନ ନା ସରକାର? ତାହା ଦେଖିବାକୁ ବାକି ରହିଲା।