March 10, 2026

ପରଲୋକରେ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ। ନୀଳଗିରି ଉପଖଣ୍ଡରେ ଶୋକର ଛାୟା।

IMG-20260102-WA0052
Share

 

ନୀଳଗିରି ( ଦେବାଶିଷ ଦାଶ )

 

ନୀଳଗିରିର ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ୭୮ବର୍ଷ ବୟସରେ ନିଧନ ହୋଇଯାଇଛି। ତାଙ୍କ ବିୟୋଗ ଖବରପାଇ ସମଗ୍ର ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି। ସେ ଗତ କିଛିମାସ ହେବ କର୍କଟ ରୋଗରେ ପୀଡ଼ିତହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ। ଗୁରୁବାର ରାତ୍ରିପ୍ରାୟ ୧୨ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଶୁଚିକିତ୍ସା ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ରାତି ପ୍ରାୟ୨.୧୫ ମିନିଟ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ମୃତ୍ୟୁହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ଧର୍ମପତ୍ନୀ ଜୟନ୍ତୀ ଆଚାର୍ଯ୍ୟ, ପୁତ୍ର ଦିବ୍ୟଜ୍ୟୋତି, ଝିଅ, ଜ୍ୱାଇଁ, ଉପସ୍ଥିତ ଥିଲେ।ସ୍ବର୍ଗତ ଅକ୍ଷୟ ଆଚାର୍ଯ୍ୟ ନୀଳଗିରି ବ୍ଲକ ଜଡ଼ିଡାପଞ୍ଚାୟତ ଅଧିନ ଜଡ଼ିଡାଶାସନରେ ଜନ୍ମଗ୍ରହଣ କରିଥିଲେ। ଓକିଲାତି ପାଠପଢ଼ାପରେ ଖୁବ ଅଳ୍ପବୟସରୁ ନୀଳଗିରି କଂଗ୍ରେସର ମଙ୍ଗ ଧରିଥିଲେ।୧୯୮୦ମସିହାରେ ମାତ୍ର ୩୧ବର୍ଷ ବୟସରେ ନୀଳଗିରି ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକଟରୁ ଲଢି ଜୟଯୁକ୍ତ ହୋଇଥିଲେ। ନିକଟତମ ପ୍ରତିଦ୍ବନ୍ଦୀ ବିଶିଷ୍ଟ କମ୍ୟୁନିଷ୍ଟନେତା ବନମାଳୀ ଦାସଙ୍କୁ ୨୩ହଜାର ୧୩୯ଖଣ୍ଡ ଭୋଟରେ ପରାଜିତକରି ସର୍ବକନିଷ୍ଠ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ପରବର୍ତ୍ତୀ ସମୟରେ ୧୯୯୫ମସିହାରେ ପୁନର୍ବାର କଂଗ୍ରେସ ଟିକଟରୁ ଲଢି ଦ୍ଵିତୀୟଥର ବିଧାୟକ ହୋଇ ନୀଳଗିରିର ବିଭିନ୍ନ ବିକାଶମୂଳକ କାର୍ଯ୍ୟର କର୍ଣ୍ଣଧାର ସାଜିଥିଲେ। ନୀଳଗିରିର ବିକାଶଧାରାରେ ନିଜର କାର୍ଯ୍ୟକାଳ ସମୟରେ ବସଷ୍ଟାଣ୍ଡ, ନୀଳଗିରିକୁ ଏନଏସି ଗଠନ, ଡି. ଆଇ ଅଫିସ, ପାନ୍ଥନିବାସ ନିର୍ମାଣ, ଦମକଳ କେନ୍ଦ୍ର, ପ୍ରଥମ କଲ୍ୟାଣମଣ୍ଡପ, ସୋନନଦୀ ଉପରେ ଦୁଇଟି ପୋଲ ନିର୍ମାଣ, ଡ୍ୟାମ ,ଜଳସେଚନ, ଅନେକ ସ୍କୁଲ, କଲେଜ ନିର୍ମାଣକରିବାର ମୁଖ୍ୟବିନ୍ଧାଣୀ ଥିଲେ। ତାଙ୍କ ଉଦ୍ୟମରେ ପୋଡ଼ାଶୂଳ ଠାରେ ସି. ଟି ସ୍କୁଲ ସ୍ଥାପନ ହୋଇଥିଲେ ହେଁ ବିଭିନ୍ନକାରଣରୁ ଏହା କାର୍ଯ୍ୟକ୍ଷମ ହୋଇପାରିନଥିବାରୁ ଏହା ତାଙ୍କର ଅଧୁରା ସ୍ବପ୍ନ ହୋଇରହିଯାଇଛି। ଏତଦ୍ଭିନ୍ନ ତାଙ୍କ ପ୍ରଚେଷ୍ଟାରେ ସେତେବେଳର ଅବିଭକ୍ତ ରେମୁଣା ଅଞ୍ଚଳରେ ବହୁ ଶିଳ୍ପପ୍ରତିଷ୍ଠାନ ଗଢିଉଠିଥିଲା। ସେଥିପାଇଁ ତାଙ୍କୁ ନୀଳଗିରି ଅଞ୍ଚଳରେ ବିକାଶପୁରୁଷ ମଧ୍ୟ କୁହାଯାଏ। ମୃତ୍ୟୁଖବର ପ୍ରଚାରିତ ହେବାପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଫୋନଯୋଗେ ଶୋକବ୍ୟକ୍ତ କରିଥିଲେ।ନୀଳଗିରି ବିଧାୟାକ ସନ୍ତୋଷ ଖଟୁଆ, ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ପ୍ରଦୀପ୍ତ ପଣ୍ଡା, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ସାଂସଦଙ୍କ ବ୍ୟକ୍ତଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଦେବାଶିଷ ଆଚାର୍ଯ୍ୟ, ଚନ୍ଦ୍ରଶେଖର ନନ୍ଦ କାହାଳିଆ ସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବାସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ। ପରେ ତାଙ୍କ ପାର୍ଥିବ ଶରୀରକୁ ନୀଳଗିରି କଂଗ୍ରେସଭବନକୁ ଅଣାଯିବାପରେ

ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସଂଜୀବ ଗିରି, ନିଶିତ କୁମାର ବାରିକ, ପ୍ରଫୁଲ୍ଲ ରାଉଳ, ତୁଷାରିକାନ୍ତି ତାପସ୍ୱି, ଯୁବନେତା ଆଶିଷ ପଟ୍ଟନାୟକ, ତରୁଣ ଦାସ, ନିରଞ୍ଜନ ବେହେରା, କୃଷ୍ଣ ଗୋପାଳ ପଣ୍ଡା,ଅମିତ ଦାସ ମହାପାତ୍ର, ପୂର୍ଣଚନ୍ଦ୍ର ରାଜ,ନୀଳଗିରି କଂଗ୍ରେସର ଯୁବନେତା ତପନ ରାଉତ, ଯଶୋଦା ନନ୍ଦନ ସିଂହ, ଅନାଦି ରାଉତ,ଏନଏସି ସଭାପତି ଉପେନ୍ଦ୍ର ବେହେରାଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ, କର୍ମକର୍ତ୍ତା ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ପୈତୃକ ଜନ୍ମମାଟି ଜଡ଼ିଡା ଗ୍ରାମକୁ ନିଆଯାଇଥିଲା। ଶେଷରେ କାହାଳିଆ ଗ୍ରାମମଶାଣିରେ

ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଏକମାତ୍ର ପୁତ୍ର ଦିବ୍ୟଜ୍ୟୋତି ମୁଖାଗ୍ନି ଦେଇଥିଲେ।