ବେଲଗୁଣ୍ଠା, ୧ ଡିସେମ୍ବର ୨୪: ଦିନକୁ ଦିନ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣ, ଉତ୍ତାପ ବୃଦ୍ଧି, ସ୍ଵଳ୍ପ ବୃଷ୍ଟିପାତ, ଅନୀୟମିତ ବୃଷ୍ଟି , ବଜ୍ରପାତ, ବାତ୍ୟା ଓ ବୃକ୍ଷର ଅଭାବ କୁ ଭରଣା କରିବା ଏବଂ…..
ଭଂଜନଗର/ବେଲଗୁଣ୍ଠା, ୧ ଡିସେମ୍ବର ୨୪: ଦିନକୁ ଦିନ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣ, ଉତ୍ତାପ ବୃଦ୍ଧି, ସ୍ଵଳ୍ପ ବୃଷ୍ଟିପାତ, ଅନୀୟମିତ ବୃଷ୍ଟି , ବଜ୍ରପାତ, ବାତ୍ୟା ଓ ବୃକ୍ଷର ଅଭାବ କୁ ଭରଣା କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ତଥା ଏଥିରୁ ରକ୍ଷାପାଇବା ଉଦ୍ଦେଶ୍ୟରେ ଅଣ୍ଟା ଭିଡିଛନ୍ତି ଗଞ୍ଜାମ ଜିଲ୍ଲାର ଭଂଜନଗର ସବଡିଭିଜନ ଅନ୍ତର୍ଗତ ବେଲଗୁଣ୍ଠା ବ୍ଳକ ନେଟଙ୍ଗା ଗ୍ରାମର ସବୁଜ ବାହିନୀ। ବିଗତ ଦିନରେ ନେଟଙ୍ଗା ଗ୍ରାମର ଶ୍ମଶାନରେ ବୃକ୍ଷ ଚାରା ରୋପଣ କରି ଏକ ମିନି ଫରେଷ୍ଟ ସୃଷ୍ଟି କରିବା ପରେ ଏବେ ଦୁଇ ବର୍ଷ ଧରି ମନ୍ଦିର ପ୍ରାଙ୍ଗଣ, ମନ୍ଦିର ପାର୍ଶ୍ୱ, ରାସ୍ତା କଡ ତଥା ବନ୍ଧ ହୁଡା ଏବଂ ଆଖପାଖ ଅଞ୍ଚଳରେ ବୃକ୍ଷ ଚାରା ରୋପଣ କରିଆସୁଛନ୍ତି ନେଟଙ୍ଗା ଗ୍ରାମରେ ଗଢ଼ି ଉଠିଥିବା ନେଟଙ୍ଗା ସବୁଜ ବାହିନୀ। ନିଜ ଗ୍ରାମ ପରିବେଶକୁ ସ୍ଵଚ୍ଛ, ସବୁଜ, ସୁନ୍ଦର ତଥା ଆକର୍ଷଣୀୟ କରିବା ଲକ୍ଷ୍ୟରେ ଲାଗି ପଡିଛନ୍ତି ଏହି ଯୁବ ସ୍ଵେଚ୍ଛାସେବୀ ଗୋଷ୍ଠୀ। ଆଗକୁ ନାମ ଯଜ୍ଞ ଆୟୋଜନ ହେବାକୁ ଥିବା ବେଳେ ଏବେଠାରୁ ଏହାର ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ। ଆଜକୁ ଦୁଇଦିନ ହେଲା ନେଟଙ୍ଗା ଗ୍ରାମର ଏହି ବୃକ୍ଷ ବନ୍ଧୁ, ସବୁଜ ପ୍ରେମୀ ତଥା ପରିବେଶ ଯୋଦ୍ଧା ମାନେ ପରିବେଶ ସୁରକ୍ଷା, ସ୍ଵଚ୍ଛ ଭାରତ ଅଭିଯାନ ଓ ବୃକ୍ଷ ସୁରକ୍ଷା କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ନିଜସ୍ବ ଅନୁଦାନରେ ଏହି ଯୁବକ ଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଏହା ଅନୁଭବ କରି ଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତି, ବୁଦ୍ଧିଜୀବୀ, ଅବସରପ୍ରାପ୍ତ କର୍ମଚାରୀ ଓ ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଓ ସହଯୋଗ କରୁଛନ୍ତି ଏବଂ ଗ୍ରାମର ଉତ୍ସାହୀ, ଆଗ୍ରହୀ ଲୋକଙ୍କ ଶାରିରୀକ ଶ୍ରମ ଦାନ, ମାନସିକ ଓ ନୈତିକ ସହଯୋଗ ଓ ସମର୍ଥନ ମିଳୁଛି। ଯୁବଗୋଷ୍ଠୀଙ୍କ ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ସ୍ଵାଗତ କରିବା ସହିତ ଉତ୍ସାହିତ କରୁଛନ୍ତି। ବିଦେଶରେ ରହୁଥିବା ନେଟଙ୍ଗା ଗ୍ରାମର ପ୍ରବାସୀ ମାନେ ଏହି କାର୍ଯ୍ୟକ୍ରମ ପାଇଁ ନିଜର ଖୁସୀ ବ୍ୟକ୍ତ କରୁଛନ୍ତି ଏବଂ ଜନ୍ମ ମାଟିର ବିକାଶ ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିବା ପାଇଁ ପଛଘୁଞ୍ଚା ଦେବେ ନାହିଁଁ ବୋଲି ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି, ଗତ ଦୁଇବର୍ଷ ହେଲା ନେଟଙ୍ଗା ସବୁଜ ବାହିନୀ ତରଫରୁ ବିଭିନ୍ନ ପର୍ବପର୍ବାଣୀ, ଜାତୀୟ ଦିବସ, ଜାତୀୟ ଉତ୍ସବ ତଥା ଉତ୍ସାହୀ ଓ ଆଗ୍ରହୀ ବ୍ୟକ୍ତିଙ୍କ ପରିବାରଜନଙ୍କ ଜନ୍ମୋତ୍ସବ, ଶ୍ରାଦ୍ଧବାର୍ଷିକୀ, ବିବାହ ଉତ୍ସବ ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟରେ ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ, ବୃକ୍ଷ ଚାରା ରୋପଣ ତଥା ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି। ଗତ ଶ୍ରୀ ରାମ ନବମୀ, ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ, ପବିତ୍ର ରଥଯାତ୍ରା, ପବିତ୍ର ମହାଶିବରାତ୍ରି, ସ୍ବାଧୀନତା ଦିବସ ପାଳନ, ସାଧାରଣ ତନ୍ତ୍ର ଦିବସ ପାଳନ, ରାକ୍ଷୀ ପୂର୍ଣିମା, କାରଗିଲ ବିଜୟ ଦିବସ, ସଦାଶିବ ଲେଙ୍କାଙ୍କ ଶ୍ରାଦ୍ଧ ଦିବସ, କାର୍ଯ୍ୟରତ ସିପାହୀ ମାଧବ ନାୟକଙ୍କ ବିବାହ ଉତ୍ସବ ଏବଂ ସ୍ଵର୍ଗତ ପ୍ରମୋଦ ନାୟକଙ୍କ ଅମର ଆତ୍ମାର ସଦଗତି ପାଇଁ ନେଟଙ୍ଗା ସବୁଜ ବାହିନୀ ତରଫରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଓ ସ୍ଵଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ କରାଯାଇଥିଲା। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଜରିଆରେ ମା ପାଇଁ ଗଛଟିଏ, ବାପା ନାମରେ ଗଛଟିଏ, ରଥ ପାଇଁ ଗଛଟିଏ, ଦାରୁ ବ୍ରହ୍ମ ପାଇଁ ଗଛଟିଏ, ଗାଁ ପାଇଁ ଗଛଟିଏ ଏବଂ ଭଉଣୀ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି।
ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଦୁଇଥର ପ୍ରକୃତି ବନ୍ଧୁ ସମ୍ମାନୀତ ବିଜ୍ଞାନ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ପ୍ରେରଣା ଓ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗ୍ରାମ, ସନାତନ, କାର୍ତ୍ତିକ, ସାଲୁ, ରାଜେନ୍ଦ୍ର, ମହେଶ୍ୱର, ନିହାର, ଅମୂଲ୍ୟ, ଶୁଭମ୍, ଅର୍ଜ୍ଜୁନୀ, ସୂର୍ଯ୍ୟ, ଶୁଭମ୍ ୨, ରୁଦ୍ର, ଭିକା, ବସନ୍ତ, ରମା ବଲ୍ଲଭ, ସୁକୁଟା, ଅରୁଣ, ଭୋଳା, ସୁଧୀର, କେଦାର, ମୋଚିଆ, ସାନବାପ, ସାନିଆ, ନେକୁଳ, ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ତଥା ପରିବେଶ ପ୍ରେମୀ ମାନେ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ନେଟଙ୍ଗା ଗ୍ରାମର ବସନ୍ତ ଓ ଭିକାରୀ ଶ୍ରମଦାନ ଦେଇ ନିଜର ଟ୍ରାକ୍ଟର ଗାଡ଼ି ଦ୍ଵାରା ସ୍ଵଚ୍ଛତା ଅଭିଯାନକୁ ତ୍ଵରାନିତ କରିଥିଲେ।