December 5, 2024

ଉମରକୋଟ ରେ ୫ ଖଣ୍ଡ ଗ୍ରାମ ବାସୀଙ୍କ ସାହା ଭରସା ଅସ୍ଥାୟୀ କାଠ ପୋଲ…… ସ୍ଥାୟୀ ପୋଲ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?

Share

  ଉମରକୋଟ(ଏମ୍.ଦିନା°ଶୁ ଆଚାରୀ) ଆଦିବାସୀଙ୍କ ବିକାଶ ନା ରେ କେନ୍ଦ୍ର ଆଉ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ତାହା କେତେ ଦୂର

ଫଳପ୍ରଦ ହେଉଛି ଏହାର ନଗ୍ନ ଉଦାହରଣ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଶୁକିଗାଁ ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବା ଡେପଗୁଡା ଗ୍ରାମ ଠାରେ ଥିବା ଅସ୍ଥାୟୀ କାଠ ପୋଲରୁ ବାରି ହେଇପଡୁଛି। ଆଜିକୁ ଦୀର୍ଘ ୫ ବର୍ଷ ହେଲା ସେହି ଅଞ୍ଚଳର ୫ ଖଣ୍ଡ ଗ୍ରାମର ଲୋକେ ପୋଲଟି ନ ଥିବାରୁ ନାନା ହଇରାଣ ର ସମ୍ମୁଖୀନ ହେଉଛନ୍ତି, ଗ୍ରାମବାସୀ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଆଦିବାସୀ ଅଭିଯୋଗ କରିଛନ୍ତି।

୫ ବର୍ଷ ତଳେ ବେହେଡା ଠାରୁ ବିରିଗୁଡା ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତାରେ ବେହଡା ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଢେପଗୁଡା ଗ୍ରାମ ଠାରେ ଭୀଷଣ ବର୍ଷାରେ ରାସ୍ତା ଧୋଇ ହେଇ ଯାଇଥିଲା। ବାରମ୍ବାର ଗୁହାରୀ କରିବା ପରେ ଓ ଖବର କାଗଜରେ ଖବର ପ୍ରକାଶ ପାଇବା ପରେ ଉମରକୋଟ ବ୍ଲକ ପ୍ରଶାସନ ସେଠାରେ ମାଟି ପକାଇ ନିଜ ଦାୟିତ୍ଵକୁ ସମ୍ପନ୍ନ କରି ଦେଇ ଚୁପ୍ ହେଇ ବସି ପଡ଼ିଲା। ବର୍ଷକ ପରେ ବର୍ଷାରେ ମାଟି ଧୋଇ ହେଇ ଯିବା ପରେ ପ୍ରଶାସନ କର୍ଣ୍ଣପାତ କରୁନାହିଁ ବୋଲି ଗ୍ରାମବାସୀ ନିଜ ଉଦ୍ୟମ ରେ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରି ଯାତାୟାତ କରୁଛନ୍ତି। ତେବେ ବର୍ଷା ଆସିବା ମାତ୍ରେ ଏହି ୫ ଖଣ୍ଡ ଗ୍ରାମ ର ଲୋକଙ୍କ ବାହ୍ୟ ଜଗତ ସହ ସମ୍ପର୍କ ବିଛିନ୍ନ ହେଇଯାଏ। ଏହି ୫ ଖଣ୍ଡ ଗ୍ରାମରେ ସ୍କୁଲ କିମ୍ଵା ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ ପିଲାମାନେ ବେହେଡା କୁ ଆସି ଥାଆନ୍ତି। ଏପରିକି ବାଇକ ମଧ୍ୟ ଏହି କାଠ ପୋଲ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରିଥାଏ ଓ ଛୋଟ ଛୋଟ ସ୍କୁଲ ଛାତ୍ର ଛାତ୍ରୀ ମାନେ ନିଜ ଜୀବନ କୁ ବାଜି ମାରି ଏହି ପୋଲ ଦେଇ ଯିବା ଆସିବା କରନ୍ତି। ଏହି ୫ ଖଣ୍ଡ ଗ୍ରାମ ବାସୀ ଙ୍କ ନିକଟସ୍ତ ବଜାର ହେଉଛି ବେହେଡା ଓ ବେହେଡା ଠାରେ ମଙ୍ଗଳବାର ଦିନ ବସୁଥିବା ସାପ୍ତାହିକ ହାଟ ଉପରେ ମଧ୍ୟ ଏହି ୫ ଖଣ୍ଡ ଗ୍ରାମ ର ଲୋକେ ନିର୍ଭର କରନ୍ତି। ଆମ୍ବୁଲାନ୍ସ ଯାଇ ପାରେ ନାହିଁ ଫଳରେ ଢେପଗୁଡା, ସାନ ଢେପଗୁଡା,

ବିରିଗୁଡା, ମାଟଗାଁ ରେ ଯଦି କାହାର ଦେହ ଖରାପ ହୁଏ କିମ୍ବା ଗର୍ଭବତି ମହିଳାଙ୍କୁ ଉମରକୋଟ ହସ୍ପିଟାଲ କୁ ଆଣିବାକୁ ହେଲେ ଖଟିଆ ରେ ବୁହା ହେଇ ଆମ୍ବୁଲାନ୍ସ ନିକଟକୁ ଆଣିବାକୁ ପଡ଼ିଥାଏ।

ଦୁଃଖର କଥା ଉମରକୋଟ ବ୍ଲକ ପ୍ରଶାସନ ଘଟଣା ପ୍ରତି ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି, କିନ୍ତୁ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଅବହେଳା ପ୍ରଦର୍ଶନ କରି ଚାଲିଛନ୍ତି। ତୁରନ୍ତ ନବରଙ୍ଗପୁର ଜିଲ୍ଲାପାଳ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ତୁରନ୍ତ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ନଚେତ ସ୍ଥାନୀୟ ଜନତାଙ୍କ ଦ୍ଵାରା ଏକ ବଡ଼ ଧରଣର ଆନ୍ଦୋଳନକୁ ଏଡାଯାଇ ନ ପାରେ ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।

You may have missed