ଭବାନୀପାଟଣାରେ ସମ୍ବଲପୁରୀ ଦିବସ ପାଳନ।

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଆଜି ୧ ଅଗଷ୍ଟ ସମ୍ବଲପୁରର ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମତିଥି। ସମ୍ବଲପୁରୀ ଭାଷା, ସାହିତ୍ୟ, କଳା,ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ତାଙ୍କର ମହାନ ଅବଦାନ ଥିବାରୁ, ତାଙ୍କର ସମ୍ମାନରେ ଆଜିର ଦିନକୁ ସମ୍ବଲପୁରୀ ଦିବସ ରୂପେ ପାଳନ କରାଯାଏ।ଏହି ଅବସରରେ ଭବାନୀପାଟଣାର କିଛି ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ସମ୍ବଲପୁରୀ ଦିବସ ପାଳନ କରାଯାଇଛି। ଏହି ଅବସରରେ ଶିକ୍ଷାନୁଷ୍ଠାନ ମାନଙ୍କରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବଲପୁରୀ ପୋଷକ ପିନ୍ଧିବାକୁ ବାଧ୍ୟ କରାଯାଇଛି ଏବଂ ଏହି ଅବସରରେ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଭିନ୍ନ ସମ୍ବଲପୁରୀ ନୃତ୍ୟ, ସଂଗୀତ ଆଦିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ଏହାକୁ ନେଇ ଅନେକ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛି ଅଭିଭାବକ କହିଛନ୍ତି ଯେ କଳାହାଣ୍ଡିର ଶିକ୍ଷାନୁଷ୍ଠାନ ଗୁଡିକରେ ସମ୍ବଲପୁରୀ ଦିବସ ପାଳନ କରିବାର କୌଣସି ଯଥାର୍ଥତା ନାହିଁ ଏବଂ ସମ୍ବଲପୁରୀ ପୋଷକ ପରିଧାନ ବାଧ୍ୟତାମୂଳକ କରିବାର କୌଣସି କାରଣ ନାହିଁ। କାରଣ ସମସ୍ତ ଅଭିଭାବକଙ୍କ ଆର୍ଥିକ ସ୍ଥିତି ସମାନ ନାହିଁ। ଅଭିଭାବକ ମାନେ ଆହୁରି ଜଣାଇଛନ୍ତି ଯେ’ଆମେ ବିଭିନ୍ନ ଅଂଚଳର କଳା ସଂସ୍କୃତିକୁ ସମ୍ମାନ କିନ୍ତୁ କଳାହାଣ୍ଡିର କଳା ସଂସ୍କୃତି ବିଶ୍ୱଦରବାରରେ ସୁପ୍ରସିଦ୍ଧ ଥିବାବେଳେ, ପ୍ରଥମେ ନିଜ ଅଂଚଳର କଳା ସଂସ୍କୃତିକୁ ଗୁରୁତ୍ୱ ଦେଇ ୧ ନଭେମ୍ବର କଳାହାଣ୍ଡି ଦିବସ କଳାହାଣ୍ଡିର ସମସ୍ତ ଶିକ୍ଷାନୁଷ୍ଠାନରେ ପାଳନ କରାଯିବା କଥା।
