May 13, 2025

ଏକ ପ୍ରବଞ୍ଚନା ପୂର୍ଣ୍ଣ କେନ୍ଦ୍ର ବଜେଟ୍ ୨୦୨୫-୨୬..

Share

 

ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟରେ ଦେଶର ଚାଷୀ/ଶ୍ରମିକଙ୍କ ପାଇଁ କୌଣସି ଆଶ୍ୱସ୍ତି ନାହିଁ, କେବଳ ଦିଲ୍ଲୀ ନିର୍ବାଚନକୁ ଆଖିରେ ରଖି ସରକାର ଭୟଙ୍କର ଦରବୃଦ୍ଧି ଓ ବେକାରୀ ଦ୍ଵାରା ଆକ୍ରାନ୍ତ ଦେଶର ମଧ୍ୟବିତ୍ତ ଶ୍ରେଣୀ ପାଇଁ ଆୟକର ସୀମାକୁ ବଢାଇ ଯଦିଓ ସାମାନ୍ୟ ଆଶ୍ବସ୍ତି ଦେବାକୁ ଚେଷ୍ଟା କରିଛନ୍ତି । ଅଥଚ ଦରବୃଦ୍ଧି ଓ ବେକାରୀକୁ କମାଇବା ପାଇଁ କୌଣସି ଠୋସ ପଦକ୍ଷେପର ଘୋଷଣା କରିନାହାନ୍ତି ।

କେନ୍ଦ୍ରୀୟ ବଜେଟରେ ଚଳିତ ଆର୍ଥିକ ବର୍ଷରେ କୃଷି ଉତ୍ପାଦନ ଏବଂ ଲୋକଙ୍କ ଆୟ ବୃଦ୍ଧି, ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି, ପୁଷ୍ଟିକର ସହାୟତା ବିସ୍ତାର, ମୁଦ୍ରାସ୍ଫୀତି ଚାପ ହ୍ରାସ କିମ୍ବା କୃଷକଙ୍କ ଋଣଭାରକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ନିଜର ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ଦର ପାଇଁ ଆଇନ କରିବାକୁ ଦେଶର କୃଷକମାନେ ଲଗାତାର ଆନ୍ଦୋଳନ କରୁଥିବା ବେଳେ ସରକାର ବଜେଟରେ ସେନେଇ ଏକଦମ୍ ନୀରବ ରହିଛନ୍ତି ।
କୃଷି ପାଇଁ ଥିବା KCCର ବ୍ୟକ୍ତିଗତ ଋଣ ସୀମାକୁ 3 ରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଯେଉଁ ଘୋଷଣା କରିଛନ୍ତି ତାହା ମୂଳତଃ କର୍ପୋରେଟ୍ କ୍ଷେତ୍ର ଦ୍ୱାରା ମହଙ୍ଗା ସାମଗ୍ରୀ ବିକ୍ରୟକୁ ବଜାୟ ରଖିବା ଏବଂ କୃଷି ଋଣ ବୃଦ୍ଧି କରିବ। ଏହା ଆର୍ଥିକ ଅଭିବୃଦ୍ଧିକୁ ପୁନରୁଦ୍ଧାର କରିବା ବିଷୟରେ ସୂଚନା ପାଇନାହିଁ।

ଭୟଙ୍କର ସଙ୍କଟରେ ଥିବା ଦେଶର ଗ୍ରାମୀଣ କ୍ଷେତ୍ର ଏବେ ଏକ କୃଷକ ଓ କୃଷି ଶ୍ରମିକ ସପକ୍ଷବାଦୀ ସଂସ୍କାର ଆବଶ୍ୟକ କରୁଛି । କିନ୍ତୁ ସେଥିପାଇଁ ଯେଉଁ କ୍ଷେତ୍ର ଗୁଡ଼ିକରେ ବ୍ୟୟବରାଦ ଆବଶ୍ୟକ ସେଥିପାଇଁ ଆବଣ୍ଟନରେ କୌଣସି ଆଖିଦୃଶିଆ ବୃଦ୍ଧି କରାଯାଇ ନାହିଁ। ଗ୍ରାମୀଣ ବିକାଶ ପାଇଁ ୨.୬୫ ଲକ୍ଷ ଟଙ୍କାରୁ ୨.୬୬ ଲକ୍ଷ ଟଙ୍କା ଏବଂ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୧ ଲକ୍ଷ ଟଙ୍କାରୁ ୧.୭୧ ଲକ୍ଷ ଟଙ୍କା କରାଯାଇଛି । ଯେଉଁ ସାମାନ୍ୟତମ ବୃଦ୍ଧି କରାଯାଇଛି ତାହା ମୁଦ୍ରାସ୍ଫୀତିକୁ ହିସାବକୁ ନେଲେ ଅତ୍ୟନ୍ତ ନଗନ୍ୟ ମନେହୁଏ । ଏହାବ୍ୟତୀତ ଖାଦ୍ୟ ସବସିଡି ପାଇଁ ଗତ ବଜେଟରେ ୨.୦୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଚଳିତ ବର୍ଷ ୨.୦୩ ଲକ୍ଷ ଟଙ୍କା, ସାର ବାବଦରେ ୧.୬୪ ଲକ୍ଷ ଟଙ୍କାରୁ ୧.୬୭ ଲକ୍ଷ ଟଙ୍କା ଏବଂ
ଶିକ୍ଷା ଓ ସ୍ଵାସ୍ଥ୍ୟସେବା ପରି ସାମାଜିକ କ୍ଷେତ୍ରରେ ବ୍ୟୟବରାଦରେ ମଧ୍ୟ ଯେଉଁ ନାମକୁ ମାତ୍ର ବୃଦ୍ଧି କରାଯାଇଛି । ଦେଶର ମୁଦ୍ରାସ୍ଫୀତିକୁ ଦେଖିଲେ ବ୍ୟୟବରାଦରେ ଏହି ସାମାନ୍ୟତମ ବୃଦ୍ଧି ପ୍ରକୃତରେ ନାକାରାତ୍ମକ ଅଟେ ।
ଅତ୍ୟନ୍ତ ଦୁର୍ଦ୍ଦଶାରେ ରହିଥିବା ଦେଶର କୋଟି କୋଟି ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଧିଷ୍ଟ ମାସିକ ଭତ୍ତାରେ କେନ୍ଦ୍ର ସରକାରଙ୍କ ଭାଗ ୨୦୦୬ ମସିହାରୁ ମାତ୍ର ୨୦୦ ଟଙ୍କା ରହିଥିବା ବେଳେ ଚଳିତ ବଜେଟରେ ବି ସେଥିରେ କୌଣସି ବୃଦ୍ଧି କରି ନାହାନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀଥାରାମନ ନିଜର ବଜେଟ୍ ଭାଷଣରେ ଆମେ ପର୍ଯ୍ୟାପ୍ତ ତୈଳବୀଜ ଏବଂ ଡାଲି ଉତ୍ପାଦନ କରୁଛୁ ବୋଲି ଭୁଲ ଦାବି କରିଛନ୍ତି । ଦେଶ ଖାଇବା ତେଲ ଓ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରଶୀଳ ହେବାର ପାଖାପାଖି ପହଞ୍ଚିଛି ବୋଲି କହିଥିବା ବେଳେ ଆମେ ବିଶ୍ୱରେ ସବୁଠାରୁ ବଡ଼ ଖାଦ୍ୟ ତେଲ ଆମଦାନୀକାରୀ ଦେଶ ରୂପେ ଏବେ ବି ରହିଆସିଛୁ ଏବଂ ଗତ ବର୍ଷ ଡାଲି ଆମଦାନୀ ସର୍ବାଧିକ 6.53 ନିୟୁତ ଟନ୍ ଥିଲା ।
ସରକାରୀ ଅର୍ଥନୈତିକ ଅଭିବୃଦ୍ଧିର ଦାବି ଭୁଲ। ସରକାରୀ ରାଜସ୍ୱର ୨୨% (୧୪.୩୮ ଲକ୍ଷ ଟଙ୍କା) ଆୟକରରୁ ଆସିଥାଏ ଯେତେବେଳେ ନିଗମଗୁଡ଼ିକ କେବଳ ୧୭% (୧୦.୮୨ ଟଙ୍କା) ଏବଂ ସର୍ବାଧିକ ୨୪% (୧୨.୭୬ ଲକ୍ଷ ଟଙ୍କା) ଋଣରୁ ଆସିଥାଏ। ସୁଧ ଦେୟ ଉପରେ ସରକାରୀ ଖର୍ଚ୍ଚ ବହୁତ ଅଧିକ ଏବଂ ଗତ ବର୍ଷ ସୁଧହାର ମୋଟ ଖର୍ଚ୍ଚର ୨୪.୧୨% ରୁ ବୃଦ୍ଧି ପାଇ ୨୫.୧୯% ହୋଇଛି । ଏହା ସରକାରୀ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତି ଉଭୟକୁ ଆହୁରି ଚାପ ପକାଇବ।

ସରକାର ଦେଶର ୧ କୋଟି ଗିଗ୍ କର୍ମଚାରୀଙ୍କୁ ସହାୟତା ପାଇଁ ପାଇଁ ବଜେଟରେ ଘୋଷଣା କରିଛନ୍ତି । କିନ୍ତୁ ସହାୟତା ନାଁରେ କେବଳ ସେମାନଙ୍କୁ ପଞ୍ଜିକୃତ କରିବାକୁ ଏବଂ ସେମାନଙ୍କୁ କେବଳ ଆୟୁଷ୍ମାନ ଯୋଜନାରେ ସାମିଲ କରିବାକୁ ଏବଂ ପ୍ରଧାନମନ୍ତ୍ରୀ ଜନ ଆବାସ କାର୍ଡ ଦେବାକୁ ଘୋଷଣା କରିଛନ୍ତି ।

*ଭାଲଚନ୍ଦ୍ର ଷଡ଼ଙ୍ଗୀ*
ଜାତୀୟ ସମ୍ପାଦକ
ଏଆଇକେଏମଏସ୍