November 5, 2026

ସଂପର୍କ ଓ ମାଇଁ ଭାରତ ପକ୍ଷରୁ ‘ବିକଶିତ ଭାରତ ଯୁବ ସମ୍ବାଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20261104-WA0143
Share

 

 

**ବିକଶିତ ଭାରତ ଗଠନରେ ଯୁବଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ : ସାଂସଦ ଡ଼ଃ ସମ୍ବିତ ପାତ୍ର l

ପୁରୀ, ୪ ନଭେମ୍ବର ୨୦୨୬ : ପୁରୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ‘ସଂପର୍କ’ ଏବଂ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମାଇଁ ଭାରତ’ର ମିଳିତ ଆନୁକୂଲ୍ୟରେ ପୁରୀସ୍ଥିତ ସୁରଜମଲ ସାହା ମହାବିଦ୍ୟାଳୟ ପରିସରରେ ‘ବିକଶିତ ଭାରତ ଯୁବ ସମ୍ବାଦ’ କାର୍ଯ୍ୟକ୍ରମ ‘ନିଜ ଭୋଟ୍‌କୁ ଜାଣନ୍ତୁ’ ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପୁରୀର ମାନ୍ୟବର ସାଂସଦ ଡ଼ଃ ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସଚେତନ ନାଗରିକତା ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ। ଡ଼ଃ ପାତ୍ର କହିଥିଲେ ଯେ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଭାରତର ଯୁବଶକ୍ତି ରାଷ୍ଟ୍ର ନିର୍ମାଣରେ ନୂତନ ଆୟାମ ସ୍ଥାପନ କରୁଛି। ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ, ଆତ୍ମନିର୍ଭରଶୀଳ, ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ କେବଳ ସରକାରଙ୍କ ସଂକଳ୍ପ ନୁହେଁ, ବରଂ ଦେଶର ପ୍ରତ୍ୟେକ ଯୁବକଯୁବତୀଙ୍କ ସାମୂହିକ ଦାୟିତ୍ୱ ଓ ସକ୍ରିୟ ଭାଗିଦାରୀର ଆହ୍ୱାନ। ଶିକ୍ଷା, ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ, ଷ୍ଟାର୍ଟଅପ୍, ଉଦ୍ୟୋଗିତା, ଗବେଷଣା, କ୍ରୀଡ଼ା ଏବଂ ସାମାଜିକ ନେତୃତ୍ୱ ସମେତ ପ୍ରତ୍ୟେକ କ୍ଷେତ୍ରରେ ଯୁବବର୍ଗଙ୍କ ସକ୍ରିୟ ଅଂଶଗ୍ରହଣ ଭାରତକୁ ପ୍ରଗତିର ନୂତନ ଶିଖରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଯୁବ ଆଇକନ୍ ଆୟୁଶ୍ରୀ ପ୍ରଧାନ ଯୁବ ସମ୍ବାଦ କାର୍ଯ୍ୟକ୍ରମରେ ଏସଆଇଆର ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରି ଗଣତନ୍ତ୍ରରେ ଯୁବପିଢ଼ିଙ୍କ ଭୂମିକା, ମତଦାନର ଗୁରୁତ୍ୱ, ସମ୍ବିଧାନ ପ୍ରତି ସମ୍ମାନ, ନାଗରିକ କର୍ତ୍ତବ୍ୟବୋଧ ଏବଂ ରାଷ୍ଟ୍ର ପ୍ରତି ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଯୁବପିଢ଼ି ସଚେତନ ହେବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।

ସୁରଜମଲ ସାହା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଧନୁର୍ଦ୍ଧର ମୁଦୁଲି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ସାମାଜିକ ଦାୟିତ୍ୱ, ଗଣତାନ୍ତ୍ରିକ ଚେତନା ଓ ଜାତୀୟ ଏକତା ପ୍ରତି ସଚେତନ ହେବାକୁ ଆହ୍ୱାନ ଜଣାଇଥିଲେ।

ଜିଲ୍ଲା ଯୁବ ଅଧିକାରୀ ସୁଶ୍ରୀ ସଙ୍ଗୀତା ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସେ ‘ମାଇଁ ଭାରତ’ ମାଧ୍ୟମରେ ଯୁବକଯୁବତୀମାନଙ୍କୁ ବିଭିନ୍ନ ରାଷ୍ଟ୍ର ନିର୍ମାଣମୂଳକ କାର୍ଯ୍ୟକ୍ରମ, ସ୍ୱେଚ୍ଛାସେବା, ନେତୃତ୍ୱ ବିକାଶ ଏବଂ ସାମାଜିକ କାର୍ଯ୍ୟକଳାପରେ ସାମିଲ ହେବାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।

‘ସଂପର୍କ’ର ସାଧାରଣ ସମ୍ପାଦକ ଶ୍ରୀ ସୌମେନ୍ଦ୍ର ଦାସ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା ଓ ସଂଯୋଜନା କରିଥିଲେ। ସେ ଯୁବବର୍ଗଙ୍କ ମଧ୍ୟରେ ନେତୃତ୍ୱ ବିକାଶ, ସ୍ୱେଚ୍ଛାସେବା ମନୋଭାବ, ଗଣତାନ୍ତ୍ରିକ ସଚେତନତା ଓ ସକ୍ରିୟ ନାଗରିକ ଭାଗିଦାରୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଯୁବଶକ୍ତିର ସୃଜନଶୀଳତା, ଦକ୍ଷତା ଓ ସେବା ମନୋଭାବକୁ ରାଷ୍ଟ୍ରର ବିକାଶ ସହିତ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଶ୍ରୀ ମଧୁସୂଦନ ସିଂହାରୀ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପୂର୍ବତନ ସଭାପତି ଶ୍ରୀ ଉମାକାନ୍ତ ନାୟକ ଏବଂ ଶ୍ରୀ ହରିହର ମହାପାତ୍ର ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ମଧ୍ୟରେ ମତଦାନର ଗୁରୁତ୍ୱ, ଗଣତନ୍ତ୍ରର ସୁରକ୍ଷା, ଜାତୀୟ ଏକତା, ଅଖଣ୍ଡତା ଏବଂ ‘ବିକଶିତ ଭାରତ–୨୦୪୭’ର ସଂକଳ୍ପ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ଶ୍ରୀ ଶୁଭପ୍ରସାଦ ଶର୍ମା, ଶ୍ରୀ ବାସୁଦେବ ସେନାପତି, ଶ୍ରୀ ଓମ୍ ପ୍ରକାଶ ପ୍ରଧାନ, ଶ୍ରୀ ରାକେଶ ସେଠୀ, ଶ୍ରୀ ଦୁର୍ଗା ପ୍ରସାଦ ବିଶୋଇ, ଶ୍ରୀ ନବଘନ ସାହୁ, ରାଜଲକ୍ଷ୍ମୀ ବେହେରା ଏବଂ ବର୍ଷା ଭଟ୍ଟାଚାର୍ଯ୍ୟ ସହଯୋଗ କରିଥିଲେ।

ଯୁବବର୍ଗଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରିବା ଏବଂ ସେମାନଙ୍କୁ ଦାୟିତ୍ୱବାନ, ସଚେତନ ଓ ରାଷ୍ଟ୍ରନିଷ୍ଠ ନାଗରିକ ଭାବେ ଗଢ଼ିତୋଳିବାର ସଂକଳ୍ପ ନେଇ ଛାତ୍ରଛାତ୍ରୀମାନେ ଶପଥ ପାଠ କରିଥିଲେ। ପରିଶେଷରେ ସମୂହ ‘ବନ୍ଦେ ମାତରମ୍’ ଗାନ ସହିତ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଥିଲା। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ