September 16, 2026

ମୃତ ଡ୍ରାଇଭରଙ୍କ ପରିବାରକୁ ବେଲଗୁଣ୍ଠା ଡ୍ରାଇଭର ମହାସଂଘର ସହାୟତା

IMG-20260915-WA0046
Share

 

ପୁଅର ପାଠପଢ଼ା ପାଇଁ ୧୫ ହଜାର ଟଙ୍କା ଜମା କରାଯିବ

ବେଲଗୁଣ୍ଠା, ୧୫/୯: ବେଲଗୁଣ୍ଠା ବ୍ଲକ୍ ସୁତୁମୁସର ଗ୍ରାମର ମୃତ ଡ୍ରାଇଭର ଶେଖର ସ୍ୱାଇଁ (୩୬)ଙ୍କ ପରିବାର ପ୍ରତି ସହଯୋଗର ହାତ ବଢ଼ାଇଛି ବେଲଗୁଣ୍ଠା ଡ୍ରାଇଭର ମହାସଂଘ। ଅଚାନକ ସ୍ୱାସ୍ଥ୍ୟ ଖରାପ ହେବାରୁ କିଛି ଦିନ ତଳେ ଶେଖରଙ୍କ ଅକାଳ ମୃତ୍ୟୁ ଘଟିଥିଲା। ତାଙ୍କ ଅକାଳ ବିୟୋଗରେ ପରିବାର ଏକମାତ୍ର ରୋଜଗାରିଆଙ୍କୁ ହରାଇ ଦୁର୍ଦ୍ଦିନ ମଧ୍ୟରେ ପଡ଼ିଥିବାବେଳେ ମହାସଂଘର ଏହି ସହାୟତା ପରିବାର ପାଇଁ ଆଶ୍ୱସ୍ତି ଆଣିଛି। ମହାସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଶେଖରଙ୍କ ସୁତୁମୁସରସ୍ଥିତ ବାସଭବନରେ ପହଞ୍ଚି ପରିବାରକୁ ସମବେଦନା ଜଣାଇଥିଲେ। ଏହି ଅବସରରେ ମୃତ ଶେଖରଙ୍କ ପତ୍ନୀ ଅନିତା ସ୍ୱାଇଁଙ୍କୁ ନଗଦ ୧୦,୦୦୧ ଟଙ୍କା, ୨୫ କିଲୋଗ୍ରାମ ଚାଉଳ ଓ ଲୁଗା ପ୍ରଦାନ କରାଯାଇଥିଲା। ଏଥିସହ ତାଙ୍କ ୩ ବର୍ଷର ପୁଅ ଅଭ୍ୟାସ ସ୍ୱାଇଁଙ୍କ ପାଇଁ ଡ୍ରେସ ମଧ୍ୟ ପ୍ରଦାନ କରାଯାଇଥିଲା। କେବଳ ତତ୍କାଳୀନ ସହାୟତା ନୁହେଁ, ଶେଖରଙ୍କ ପୁଅର ଭବିଷ୍ୟତ ଶିକ୍ଷାକୁ ନେଇ ମଧ୍ୟ ମହାସଂଘ ଦାୟିତ୍ୱବୋଧ ପ୍ରକାଶ କରିଛି। ଅଭ୍ୟାସଙ୍କ ପାଠପଢ଼ାରେ ଭବିଷ୍ୟତରେ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ତାଙ୍କ ନାମରେ ୧୫,୦୦୦ ଟଙ୍କା ବ୍ୟାଙ୍କ ଖାତାରେ ଜମା କରାଯିବ ବୋଲି ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି। ସହାୟତା ପ୍ରଦାନ ସମୟରେ ମହାସଂଘ ସଭାପତି ମଧୁସୂଦନ ଜେନା, ଉପସଭାପତି ସନ୍ତୋଷ କୁମାର ଡାକୁଆ, କୋଷାଧ୍ୟକ୍ଷ ବୁଲୁ ବିଷୋୟୀ, ସମ୍ପାଦକ ଚିନ୍ତାମଣି ପ୍ରଧାନ, ସହସମ୍ପାଦକ ଭିକାରୀ ନାୟକ, ଉପଦେଷ୍ଟା ମଣ୍ଟୁ ସ୍ୱାଇଁ, ପିତାମ୍ବର ବିଷୋୟୀ, ଆଡମିନ୍ ପ୍ରସନ୍ନ ଚନ୍ଦ୍ର ବିଷୋୟୀ,ସହଯୋଗୀ ନିଲୁ ପରିଡ଼ା, ସୁର୍ଯ୍ୟ ମହାନ୍ତିଙ୍କ ସମେତ ୭୦ ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ। ସଙ୍କଟ ସମୟରେ ମୃତ ସହଯୋଗୀଙ୍କ ପରିବାର ପାଖରେ ଠିଆ ହୋଇ ମହାସଂଘ ନିଜର ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇଛି। ଏଭଳି ମାନବିକ ପଦକ୍ଷେପକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ