ଜନ୍ମଦିନରେ ଗୋଟିଏ ଗଛ, ନିଶାରୁ ଦୁରେଇ ରୁହ’: ଆଦର୍ଶ ଯୁବ ପରିଷଦର ନିଶା ନିବାରଣ କାର୍ଯ୍ୟକ୍ରମରେ ଥାନାଧିକାରୀ ଦେଲେ ଗୁରୁମନ୍ତ୍ର
ବାଲେଶ୍ବର ( ଦେବାଶିଷ ଦାଶ )
ନିଶା ପାଇଁ ଆଜି ଯୁବ ବର୍ଗ କୁପଥଗାମୀ ହେବା ସହ ଆଗତ ଭବିଷ୍ୟତକୁ ଧ୍ବଂସ ଆଡ଼କୁ ଆପଣାଇ ନେଉଛି। ଏମିତି କିଛି ନିଶାରୁ ମୁକ୍ତି ସହ ନିଶା ନିବାରଣ ଓ ବୃକ୍ଷରୋପଣ ଉପରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅଗ୍ରଣୀ ସାମାଜିକ ସେବା ସଂଗଠନ ଆଦର୍ଶ ଯୁବ ପରିଷଦ ସହଯୋଗରେ ଶ୍ରୀନିବାସ ଡିଗ୍ରୀ ମହାବିଦ୍ୟାଳୟ, ମଙ୍ଗଳପୁରରେ ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଓଝା, ସୋର ଥାନାଧିକାରୀ ଅନୁରାଗ ମହାନ୍ତି, ସୋର ଅବକାରୀ ଭାରପ୍ରାପ୍ତ ଥାନାଧିକାରୀଣୀ ଅନିତା ସାହୁ,ସୋର ବନାଞ୍ଚଳ ଅଧୀନ ଔପଦା ଖୁଣ୍ଟାପଡା ଫରେଷ୍ଟ ରେଞ୍ଜର ମିନତୀ ମାଝୀ, ବାଘଆମ୍ପୁଡା ଫରେଷ୍ଟ ଗାର୍ଡ ପ୍ରମିଳା ସେଣ ପ୍ରମୁଖ ଉପସ୍ଥିତ ଥିଲେ। ମହାବିଦ୍ୟାଳୟ ପରିସରରେ ନିଶା ନିବାରଣ ଉପରେ ଏକ ଆଲୋଚନାରେ ଭାଗ ନେଇ ଆଜିର ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ସାମାଜିକ ଗଣମାଧ୍ୟମରେ ଅତ୍ୟଧିକ ସମୟ ଅପଚୟ ନଷ୍ଟ ନ କରି ପଢ଼ାପଢିରେ ଧ୍ୟାନ ଦେବା ସହ କୌଣସି ପ୍ରକାର ନିଶାରେ ଜଡ଼ିତ ନ ରହିବାକୁ ପରାମର୍ଶ ଦେଇଥିଲେ। ନିଜ ଜନ୍ମଦିନରେ ପ୍ରତେକ ଛାତ୍ରଛାତ୍ରୀ ଗୋଟିଏ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। କଲେଜ ଅଧ୍ୟକ୍ଷଙ୍କ ସହ ସମସ୍ତ ଅତିଥି ଆଜିର ଯୁବ ପୀଢ଼ି ନିଶାରୁ ଦୁରେଇ ରହିବା ସହ ପରିବେଶକୁ ସବୁଜିମା ଭରା କରିବା ପାଇଁ ସମସ୍ତେ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀଙ୍କୁ ଉଚିତ ପରାମର୍ଶ ଦେଇଥିଲେ। ପରିଷଦର ସଭାପତି ପୃଥିବୀ ରଞ୍ଜନ ବେହେରା ଯୁବ ପୀଢ଼ି ବାପା ମାଆଙ୍କ କଥାକୁ ସବୁବେଳେ ମାନି ନିଶା ଠାରୁ ଦୁରେଇ ରହିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଆଗାମୀ ଦିନରେ ଏପରି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପରିଷଦ ତରଫରୁ ପ୍ରକାଶ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପରିଷଦ ତରଫରୁ ସଦସ୍ୟ ଗିରିଜା ଶଙ୍କର ପ୍ରଧାନ,ତୁଷାର ରଞ୍ଜନ ଜେନା,କାର୍ତ୍ତିକ ରାଉଳ, ଯଦୁନାଥ ଧଡ଼ା,ପୁନମ ସାହୁ, ପ୍ରମିଳା ରାଉତ , ରଞ୍ଜିତା ଅଗସ୍ତି , ପ୍ରଭାବତୀ ପ୍ରଧାନ , ମମତା ସାହୁ, ସୁକାନ୍ତି ପ୍ରଧାନ,ଚନ୍ଦନ ପତି,ଦିବ୍ୟ ରଞ୍ଜନ ମହାନ୍ତି ସାହାଯ୍ୟ ସହଯୋଗ କରିଥିଲେ। ମହାବିଦ୍ୟାଳୟର ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି ସମସ୍ତ ଅତିଥିଙ୍କ ଉପାଦେୟ ସଚେତନତା ବାର୍ତ୍ତାକୁ ଶୁଣି ଆଗାମୀ ଦିନରେ ତାହାକୁ ନିଜ ଜୀବନରେ କାର୍ଯ୍ୟକ୍ଷମ କରିବାକୁ ସହମତି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟିକୁ ସରସ ସୁନ୍ଦର କରିଥିବାରୁ ପୂର୍ବତନ ଛାତ୍ର ରଞ୍ଜିତ ମହାକୁଡ଼ଙ୍କୁ ଭୁୟସୀ ପ୍ରଶଂସା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ଅଧ୍ୟାପକ ନିତ୍ୟାନନ୍ଦ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
