August 16, 2026

ସ୍ୱାଧୀନତା ଦିବସ ଅବସରରେ ମାଲକାନଗିରିରେ ଆକର୍ଷଣୀୟ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ: ପୋଲିସ ଏକାଦଶ ଚାମ୍ପିୟନ, ବାର୍ ଏକାଦଶ ରନର୍ସ-ଅପ୍..

IMG-20260815-WA0090
Share

 

*ମାଲକାନଗିରି:*

 

ସ୍ୱାଧୀନତା ଦିବସର ଶୁଭ ଅବସରରେ ମାଲକାନଗିରି ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ତତ୍ତ୍ୱାବଧାନରେ ଏକ ଆକର୍ଷଣୀୟ ତଥା ରୋମାଞ୍ଚକର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆନନ୍ଦଉଲ୍ଲାସର ସହ ଆୟୋଜିତ ହୋଇଯାଇଛି।

 

ଏହି ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ମୋଟ ୪ଟି ପ୍ରମୁଖ ଦଳ ପ୍ରଶାସନ ଏକାଦଶ, ପୋଲିସ ଏକାଦଶ, ବାର୍ ଏକାଦଶ ଏବଂ ମିଡିଆ ଏକାଦଶ ଅଂଶଗ୍ରହଣ କରି ନିଜ ନିଜର ଉଚ୍ଚକୋଟୀର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିଥିଲେ।

 

ସଦର ସ୍ପୋର୍ଟସ କମ୍ପ୍ଲେକ୍ସ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ତଥା ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରି ପୋଲିସ ଏକାଦଶ ଚାମ୍ପିୟନ ଆଖ୍ୟା ହାସଲ ସହ ବିଜେତା ଟ୍ରଫି ନିଜ ନାମରେ କରିଥିଲା। ଅପରପକ୍ଷରେ କଡ଼ା ଟକ୍କର ଦେଇ ବାର୍ ଏକାଦଶ ରନର୍ସ-ଅପ୍ ହୋଇ ସନ୍ତୋଷ ପ୍ରକାଶ କରିଥିଲା।

 

ଏହି ଟୁର୍ଣ୍ଣାମେଣ୍ଟରେ ବ୍ୟକ୍ତିଗତ ଉତ୍କୃଷ୍ଟ ଯୋଗଦାନ ପାଇଁ ଖେଳାଳିମାନଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରତିଯୋଗିତାରେ ଚମତ୍କାର ଗୋଲକିପିଂ ପ୍ରଦର୍ଶନ କରି ସି.ଜେ.ଏମ୍. ପ୍ରଦୀପ ପ୍ରଧାନ ଶ୍ରେଷ୍ଠ ଗୋଲକିପର ପୁରସ୍କାର ଅର୍ଜନ କରିଥିବା ବେଳେ ମୈଦାନରେ ପ୍ରଭାବଶାଳୀ ଖେଳ ପ୍ରଦର୍ଶନ କରି ଜିଲ୍ଲାପାଳ ଶ୍ରେଷ୍ଠ ଖେଳାଳି ସମ୍ମାନରେ ସମ୍ମାନିତ ହୋଇଥିଲେ। ସେହିପରି ଆକ୍ରମଣାତ୍ମକ କ୍ରୀଡ଼ାଶୈଳୀ ପାଇଁ ଆରକ୍ଷୀ ଅଧୀକ୍ଷକ ଙ୍କୁ ଶ୍ରେଷ୍ଠ ଫରୱାର୍ଡ ପୁରସ୍କାର ପ୍ରଦାନ କରାଯାଇଥିଲା।

 

ଏହି ଅବସରରେ ଜିଲ୍ଲାପାଳ କହିଥିଲେ, ପ୍ରଶାସନିକ ଦାୟିତ୍ୱ ସହିତ ଖେଳପଡ଼ିଆରେ ଏକାଠି ହୋଇ ଖେଳିବା ଦ୍ୱାରା ଆମ ମଧ୍ୟରେ ସୌହାର୍ଦ୍ଦ୍ୟ, ଏକତା ଓ ବନ୍ଧୁତା ଅଧିକ ସୁଦୃଢ଼ ହୋଇଥାଏ। କ୍ରୀଡ଼ା ହିଁ ସମାଜର ବିଭିନ୍ନ ଅଙ୍ଗକୁ ଏକାଠି ବାନ୍ଧି ରଖିବାର ସବୁଠାରୁ ବଡ଼ ମାଧ୍ୟମ।

 

ପ୍ରଶାସନ, ପୋଲିସ, ନ୍ୟାୟପାଳିକା ଏବଂ ଗଣମାଧ୍ୟମ ଭଳି ସମାଜର ଚାରୋଟି ମୁଖ୍ୟ ସ୍ତମ୍ଭର ପ୍ରତିନିଧିମାନେ ଏକାଠି ହୋଇ ସ୍ୱାଧୀନତା ଦିବସ ପାଳନ କରିବା ସହ ଉଚ୍ଚ ଖେଳାତ୍ମକ ମନୋଭାବ ଓ ଆନ୍ତରିକ ବନ୍ଧୁତା ପ୍ରଦର୍ଶିତ କରିଥିବାରୁ ପଡ଼ିଆରେ ଉପସ୍ଥିତ ସମସ୍ତ କ୍ରୀଡ଼ାପ୍ରେମୀ, କର୍ମଚାରୀ ତଥା ସାଧାରଣ ଜନସାଧାରଣ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହ ପ୍ରକାଶ କରିଥିଲେ।