November 25, 2024

ବୁଗୁଡ଼ା ବ୍ଲକରେ ବାଟ ହୁଡିଛି ସ୍ବଚ୍ଛ ଭାରତ ଅଭିଯାନ , ଧୃତରାଷ୍ଟ୍ର ସାଜିଛି ପ୍ରଶାସନ, ଶୌଚାଳୟ ନିର୍ମାଣ ଅଧାରୁ ଠିକାଦାର ଛୁ…

Share

.
ବୁଗୁଡ଼ା : ତା ୧୦/୦୬/୨୩ : ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁ ସ୍ଥାନରେ ବାହ୍ୟ ମଳ ମୁକ୍ତ କରିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଆନୁକୂଲ୍ୟରେ ଘରେ ଘରେ ପାଇଖାନା ନିର୍ମାଣ ପାଇଁ ହିତାଧିକାରୀ ଚିହ୍ନଟ କରାଯାଇ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି l ତେବେ କେଉଁଠି ପାଇଖାନା ଗୋଦାମ ଘର ପାଲଟିଥିବା ବେଳେ ଆଉ କେଉଁଠି ଠିକାଦାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରି ଅଧାରୁ ଛାଡି ଦେଇ ଥିବାରୁ ପରିବାର ଲୋକେ ପୂର୍ବ ଭଳି ବାଟ,ଘାଟ ଓ ପୋଖରୀ ହୁଡାରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି l ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମରେ l ଗୋଳାବନ୍ଧ ଖାଦାଳ ସାହିର ଅଭିମନ୍ୟୁ ନାୟକ, ଚିତ୍ରସେନ ନାୟକ, ମିଥୁନ ନାୟକଙ୍କ ବାରି ପଟେ ସ୍ୱଚ୍ଛ ଭାରତ ଅଭିଯାନ ଆନୁକୂଲ୍ୟରେ ତିନୋଟି ପାଇଖାନା ନିର୍ମାଣ ହୋଇଛି ହେଲେ ସେଠି ଲାଟିନ ପ୍ୟାନ ବସିନି, ଟାଙ୍କି ପାଇଁ ଗାତ ଖୋଳା ଯାଇ ଗୋଟିଏ ପାଇଖାନା ପଛରେ ତିନୋଟି ନନ୍ଦ ବସିଛି ବାକି ୨ ଟି କେବଳ ଗାତ ଖୋଳି ଛାଡି ଦିଆ ଯାଇଥିବାରୁ ତାହା ଏବେ ପୋତି ହୋଇ ଗଲାଣି, ପାଇଖାନାର ଛାତ ନାହିଁ କି ଶୌଚାଳୟର କବାଟ ଲାଗିନି । ଦୀର୍ଘ ୨ ବର୍ଷ ହେଲା ଏମିତି ଅଧାପନ୍ତରିଆ ଅବସ୍ଥାରେ ଛାଡି ଚାଲି ଯାଇଛି ଠିକାଦାର l ଫଳରେ ଖରା, ବର୍ଷା ଓ ରାତ୍ରି ସମୟରେ ଜୀବନକୁ ବିପଦରେ ପକାଇ ଶୌଚ ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଥିବା କହିଛନ୍ତି ଚିତ୍ରସେନଙ୍କ ପତ୍ନୀ ନୟନୀ ନାୟକ l ଗ୍ରାମର କେବଳ ଏହି ୩ଟି ଘର ନୁହେଁ ଆହୁରି ଅନେକ ପରିବାର ଲୋକ ମଧ୍ୟ ଏମିତି ଅବସ୍ଥା ଭୋଗୁଛନ୍ତି l ପ୍ରତ୍ୟେକ ଗ୍ରାମକୁ ବାହ୍ୟ ମଳ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଇଛି। ତେବେ କିଛି ସ୍ଥାନରେ ହିତାଧିକାରୀଙ୍କୁ ଦାୟିତ୍ୱ ନ ଦେଇ ଠିକାଦାର ହାତରେ ପାଇଖାନା ନିର୍ମାଣ କାର୍ଯ୍ୟ ଟେକି ଦେଇ ବିଭାଗୀୟ କର୍ତ୍ତୃପକ୍ଷ ତଦାରଖ ନ କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି l ଏ ନେଇ ବିଭାଗୀୟ ଯନ୍ତ୍ରୀ ରାମା ରାଓଙ୍କୁ ପଚରାଯିବାରେ ସେ କହିଛନ୍ତି ଯେ ଏହି ଯୋଜନା ୨୦୧୯ରୁ ବନ୍ଦ ହୋଇ ଗଲାଣି ଏବଂ ଏ ବିଷୟ ତାଙ୍କ ନଜରକୁ ଆସି ନ ଥିବାରୁ ସୋମବାର ଦିନ ତାହା ବୁଝିବେ । ତେବେ ଏ ଦିଗରେ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।