ବିନା କାର୍ଯ୍ୟାଦେଶରେ ରାତିଅଧିଆ ଡ୍ରେନ ଖୋଳା….! ସରପଞ୍ଚ–ଠିକାଦାର ମିଳିଭାଗରେ ହରିଲୁଟ୍ ଅଭିଯୋଗ….
କୁଜଙ୍ଗ / ତିର୍ତୋଲ
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଣିତୋ ଗ୍ରାମ ପଞ୍ଚାୟତର ଡଗରପଡା ଗ୍ରାମର ୧୧ ନମ୍ବର ୱାର୍ଡରେ ଚାଲିଥିବା ଜଳ ନିଷ୍କାସନ ପଥ (ଡ୍ରେନ) ନିର୍ମାଣ କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଏବେ ଚରମ ସୀମାରେ ପହଞ୍ଚିଛି । ବିନା ବ୍ୟୟ ଆକଳନ, ବିନା କାର୍ଯ୍ୟାଦେଶ ଓ ବିନା ସରକାରୀ ଅନୁମୋଦନରେ ସରକାରୀ ରାସ୍ତା ଖୋଳା ଯାଇଥିବା ଅଭିଯୋଗ ଉଠିଥିବା ବେଳେ ସମଗ୍ର ଘଟଣା ଏବେ ପଞ୍ଚାୟତ ପ୍ରଶାସନର ସ୍ୱଚ୍ଛତାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି…..।ଗ୍ରାମ ବାସୀ ଙ୍କ କହିବା ଅନୁଯାୟୀ, ଡ୍ରେନ କାର୍ଯ୍ୟଟି ଅକ୍ଷୟ ମିଶ୍ରଙ୍କ ଘରଠାରୁ ଶୁଣ୍ଢି ମୁହଁ ଛକ ପର୍ଯ୍ୟନ୍ତ ହେବାକୁ ଯୋଜନା ଥିଲା । କିନ୍ତୁ ବର୍ତ୍ତମାନ ତରବରିଆ ଭାବରେ ଗ୍ରାମର ମଝିଭାଗରୁ ଶୁଣ୍ଢି ଛକ ପର୍ଯ୍ୟନ୍ତ ଖନନ କାର୍ଯ୍ୟ କରା ଯାଉଛି । ଯାହା ଫଳରେ ପ୍ରକୃତ ଜଳ ନିଷ୍କାସନ ସମସ୍ୟାର ସମାଧାନ ହେବ ନାହିଁ, ବରଂ ସରକାରୀ ଅର୍ଥର ଖୋଲା ଖୋଲି ଅପବ୍ୟବହାର ହେଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆହୁରି ସଙ୍ଗୀନ ଯେ ସ୍ଥାନୀୟ ଲୋକଙ୍କ ସହ କୌଣସି ଆଲୋଚନା ନ କରି ସରପଞ୍ଚଙ୍କ ପରୋକ୍ଷ ନିର୍ଦ୍ଦେଶରେ ବାହାର ର ଜଣେ ଠିକାଦାରଙ୍କ ଦ୍ୱାରା ଉକ୍ତ କାମ କରାଯାଇଛି । ଦିନରାତି ଭେଦ ନ ରଖି ରାତି ୧୦ଟା ପର୍ଯ୍ୟନ୍ତ କାମ ଚାଲୁଥିବା ଓ ଖୋଳାଯାଇଥିବା ମାଟିକୁ ରାତିରେ ବିକ୍ରି କରାଯାଉଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ ଉଠିଛି । ଯଦି ଏହା ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ସରକାରୀ ସମ୍ପତ୍ତିର ଅପ ବ୍ୟବହାର ର ଗମ୍ଭୀର ଘଟଣା ହେବ ।
କାମ ଚାଲିଥିବା ବେଳେ ଗ୍ରାମକୁ ଜଳ ଯୋଗାଣ କରୁଥିବା ପାଣି ପାଇପ କ୍ଷତିଗ୍ରସ୍ତ ହୋଇଥିବାରୁ ଡଗରପଡାରେ ଏବେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି । ଖରା ଦିନରେ ଲୋକମାନେ ପାଣି ପାଇଁ ହା ହା କାର କରୁଥିବା ବେଳେ ପାଇପ ମରାମତି କିମ୍ବା ବିକଳ୍ପ ବ୍ୟବସ୍ଥା କରା ଯାଇନଥିବାରୁ ଲୋକଙ୍କ କ୍ଷୋଭ ଆହୁରି ବଢ଼ିଛି । ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନେ ସରପଞ୍ଚଙ୍କୁ ପଚାରିବାକୁ ଯାଇଥିଲେ ମଧ୍ୟ ସରପଞ୍ଚ କୌଣସି ମତା ମତ ଦେବାକୁ ଅସ୍ୱୀକାର କରିଥିଲେ । ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ଯୋଗା ଯୋଗ କରାଯାଇଥିବା ବେଳେ ସେ ସ୍ପଷ୍ଟ କହିଥିଲେ ଯେ, “ସେଠାରେ ବର୍ତ୍ତମାନ କୌଣସି ପ୍ରକଳ୍ପ ନାହିଁ।” ଏହି ଉତ୍ତର ସମଗ୍ର ଘଟଣାକୁ ଆହୁରି ସନ୍ଦେହ ଜନକ କରି ଦେଇଛି । ସବୁ ଠାରୁ ଚାଞ୍ଚଲ୍ୟକର ତଥ୍ୟ “ସୂଚନା ଅଧିକାର ଆଇନ (RTI) ମାଧ୍ୟମରେ ସାମ୍ନାକୁ ଆସିଛି ସରପଞ୍ଚ ଓ ଠିକାଦାର ଙ୍କ ମଧୁ ଚନ୍ଦ୍ରିକା ର ନିଦର୍ଶନ । ପ୍ରାପ୍ତ ତଥ୍ୟ ଅନୁଯାୟୀ, ଏହି ଡ୍ରେନ କାର୍ଯ୍ୟ ପାଇଁ ନା ଆକଳନ ନିର୍ଦ୍ଦେଶ ରହିଛି, ନା ଜାଗା ଚିହ୍ନଟ ହୋଇଛି, ନା କାର୍ଯ୍ୟାଦେଶ ଦିଆଯାଇଛି । ତଥାପି ଗ୍ରାମର ଗୋରାଚାନ୍ଦ ବେହେରାଙ୍କ ପୁଅ ରବି ନାରାୟଣ ବେହେରା ଓ ଜଇରାମ ଦାସଙ୍କ ପୁଅ ଅମର ଦାସ ଡ୍ରେନ ଖୋଳି ମୁକୁଳା ପକାଇଥିବା ଅଭିଯୋଗ ହୋଇଛି । ଖୋଳାଯାଇଥିବା ଡ୍ରେନ ମୁକୁଳା ଅବସ୍ଥାରେ ପଡ଼ି ରହିଥିବାରୁ ବୁଲା ଷଣ୍ଢ, ଗୋରୁ, ଛେଳି, ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ପଡ଼ି ଆହତ ହେଉଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଏହାକୁ ନେଇ ତିର୍ତ୍ତୋଲ ଥାନାରେ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଦାଖଲ ହୋଇଛି । ଘଟଣା ସମ୍ପର୍କରେ ଫୋନ ଯୋଗେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯାଇଥିବା ବେଳେ ସେ ମଧ୍ୟ କାର୍ଯ୍ୟ ବିଷୟରେ ଅବଗତ ନଥିବା କହିଛନ୍ତି ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ବୁଝି ପରେ ସୂଚନା ଦେବେ ବୋଲି ଜଣାଇଛନ୍ତି । ଗ୍ରାମବାସୀଙ୍କ ମତରେ ସରପଞ୍ଚ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଅସାଧୁ ବୁଝାମଣା ଯୋଗୁଁ ଏହି କାମ ମନମୁଖୀ ଭାବରେ କରାଯାଉଛି ଓ ସରକାରୀ ଅର୍ଥର ଖୋଲା ଖୋଲି ଅପବ୍ୟୟ ହେଉଛି । ବର୍ଷା ଋତୁରେ ବିନା କାର୍ଯ୍ୟାଦେଶରେ ସରକାରୀ ରାସ୍ତା ଖୋଳି ଲୋକମାନଙ୍କ ଜୀବନକୁ ବିପଦରେ ପକାଇ ଦିଆ ଯାଇଥିବାରୁ ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆଇନଗତ କଠୋର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ଗ୍ରାମ ବାସୀଙ୍କ ମୁଖ୍ୟ ଦାବି:
*ଡ୍ରେନ କାର୍ଯ୍ୟର ସମ୍ପୂର୍ଣ୍ଣ ଦସ୍ତାବେଜ ସାର୍ବଜନୀନ କରାଯାଉ
*ବିନା କାର୍ଯ୍ୟାଦେଶରେ ଖନନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଉ
*କ୍ଷତିଗ୍ରସ୍ତ ପାଣି ପାଇପ ତୁରନ୍ତ ମରାମତି କରାଯାଉ
*ରାସ୍ତା ଓ ଡ୍ରେନ ସୁରକ୍ଷିତ କରାଯାଉ
*ସରପଞ୍ଚ, କନିଷ୍ଠ ଯନ୍ତ୍ରୀ ଓ ସମ୍ପୃକ୍ତ ଠିକାଦାରଙ୍କ ଭୂମିକାର ତଦନ୍ତ କରାଯାଉ । ଡଗରପଡାର ଏହି ଘଟଣା ଏବେ କେବଳ ଗୋଟିଏ ଡ୍ରେନ ନିର୍ମାଣ ବିବାଦ ନୁହେଁ; ବରଂ ପଞ୍ଚାୟତ ସ୍ତରରେ ବିନା ଅନୁମୋଦନରେ ସରକାରୀ କାମ କିପରି ଚାଲୁଛି ତାହାର ଏକ ଚିନ୍ତାଜନକ ଉଦାହରଣ ଭାବେ ଦେଖାଯାଉଛି । ଏବେ ଜନ ସାଧାରଣଙ୍କ ନଜର ଜିଲ୍ଲା ପ୍ରଶାସନ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ଉପରେ l
