July 31, 2026

ସରକାରୀ ଓକିଲ ଓ ପୋଲିସ ବିଭାଗ ସମନ୍ୱୟ ବୈଠକ ମାମଲାର ସଠିକ ପରିଚାଳନା ଓ ଦଣ୍ଡାଦେଶ ବୃଦ୍ଧିକୁ ଗୁରୁତ୍ୱ*

IMG-20260731-WA0040
Share

 

ସମାଜରେ ବୃଦ୍ଧି ପାଉଥିବା ଅପରାଧର କିପରି ହ୍ରାସ ଘଟିବ ତଥା ସମସ୍ତ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ସେ କଥାକୁ ଚିନ୍ତା କରି ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ସକ୍ରିୟ ନେତୃତ୍ୱରେ ସ୍ଥାନୀୟ ମୋହନା ଥାନା ପରିସରରେ ପୋଲିସ୍-ଅଭିଯୋଜନ (ପ୍ରସିକ୍ୟୁସନ) ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଖାପାଖି ଏକ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ମୋହନା ଥାନାର ଥାନାଧିକାରୀ ଓମ୍ ନାରାୟଣ ପାତ୍ର ଓ ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ମୋହନା ଓ ଆର୍. ଉଦୟଗିରି କୋର୍ଟର ସରକାରୀ ଓକିଲ ଯଥାକ୍ରମେ ସୁଶାନ୍ତ ମଲ୍ଲିକ ଓ ଦୁର୍ଯ୍ୟୋଧନ କରଡ ଉପସ୍ଥିତ ରହିଥିଲେ। ଉକ୍ତ ବୈଠକରେ ମୁଖ୍ୟତଃ ମାମଲାର ତଥ୍ୟାବଳୀ କିପରି ପ୍ରସ୍ତୁତ କରାଯିବ ଏବଂ ତଦନ୍ତ ପ୍ରକ୍ରିୟାରେ ଥିବା ତ୍ରୁଟି-ବିଚ୍ୟୁତିକୁ କିପରି ସୁଧାରାଯିବ, ସେ ସମ୍ପର୍କରେ ଏକ ଫଳପ୍ରଦ ଆଲୋଚନା କରାଯାଇଥିଲା। ଏହା ସହିତ ଜନସାଧାରଣଙ୍କ ନିକଟତର ହୋଇ କିପରି ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରାଯାଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।

 

ଏତଦବ୍ୟତୀତ ଏହି ସମନ୍ୱୟ ବୈଠକରେ ବିଭିନ୍ନ ସଙ୍ଗିନ ମାମଲାରେ ଅଭିଯୋଜକ ତଥା ପୋଲିସ ବିଭାଗର କର୍ମଚାରୀମାନେ ନ୍ୟାୟାଳୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ସେହିପରି ଏହି ପ୍ରସଙ୍ଗରେ ବିଶେଷ ଭାବେ ମାନ୍ୟବର ସୁପ୍ରିମକୋର୍ଟଙ୍କର ବିଭିନ୍ନ ଦିଶା ନିର୍ଦ୍ଦେଶ ଉପରେ ମଧ୍ୟ ଆଲୋଚନା କରାଯାଇ କିପରି ଦଣ୍ଡ ହାର ବୃଦ୍ଧି କରାଯାଇପାରିବ ତଥା ମଟର ଯାନ ଅଧିନିୟମର କଡା ପାଳନ କରାଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଶୃଙ୍ଖଳାଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ସର୍ବଶେଷରେ ଏହି ବୈଠକର ସଫଳ ଆୟୋଜନ ନିମନ୍ତେ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଲୋକଙ୍କ ଆସ୍ଥାଭାଜନ ହୋଇ ଜନହିତରେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ।

You may have missed