May 26, 2025

ବେଦାନ୍ତ କମ୍ପାନୀର ବିଷ ବଳୟରେ ଲାଞ୍ଜିଗଡ଼ ..

Share

ଲାଞ୍ଜିଗଡ଼(ପୁରନ୍ଦର ଦଣ୍ଡସେନା)ବେଦାନ୍ତ କମ୍ପାନୀ ୨୦୦୩ ମସିହାରେ ତାର ଆଲୁମିନା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲା ଲାଞ୍ଜିଗଡ଼ରେ।ସେ ସମୟରେ ଲାଞ୍ଜିଗଡ଼ ଅଞ୍ଚଳବାସୀଙ୍କୁ ବେଦାନ୍ତ କମ୍ପାନୀ ଅନେକ ସୁନେଲି ସ୍ବପ୍ନ ଦେଖାଇଥିଲା।ଲାଞ୍ଜିଗଡ଼କୁ ଦ୍ଵିତୀୟ ବମ୍ବେ କରିଦେବ ବୋଲି କହିଥିଲା। ଲୋକେ ଖୁସିରେ ବେଦାନ୍ତକୁ ସ୍ୱାଗତ କରିଥିଲେ।କିନ୍ତୁ ବେଦାନ୍ତ କମ୍ପାନୀ ତାର ଆଲୁମିନା କାରଖାନା ଗଢି ଚାଲିବା ସହିତ ଅଞ୍ଚଳବାସୀଙ୍କ ଆଶା କ୍ରମେ ମଉଳିଗଲା।ଲୋକେ ଭାବିଥିଲେ ଯେ ଏଠାରେ କାରଖାନା ହେଲେ ସେମାନଙ୍କୁ କାମ ମିଳିବ। ସେମାନଙ୍କୁ ଆଉ କେରଳ, ତାମିଲନାଡୁ,ଆନ୍ଧ୍ର କିମ୍ବା ଗୁଜୁରାଟ ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ।କିନ୍ତୁ ଦୀର୍ଘ ୨୨ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଆଶା ଆଶାରେ ହିଁ ରହିଗଲା lଏବେ ବି ଲୋକେ ଦାଦନ ଖଟିବାକୁ ଯାଇ କେହି ଅକର୍ମଣ୍ୟ ବା କେହି ଶବ ହୋଇ ଫେରୁଛନ୍ତି।

ବେଦାନ୍ତ କମ୍ପାନୀ କଥା ଆଉ କାମରେ ଅନେକ ଫରକ ଅଛି। ପ୍ରକଳ୍ପ ଚତୁର୍ଦ୍ଦିଗରେ ପଚାଶ କିଲୋମିଟର ମଧ୍ୟରେ ପାରିପାର୍ଶ୍ଵିକ ଉନ୍ନୟନ କଥା କହିଥିଲା।କିନ୍ତୁ କି ପ୍ରକାର ବିକାଶ ହୋଇଛି।ଯେଉଁ ସ୍ଥାନରେ ତାର କାରଖାନା ହୋଇଛି, ସେଇ ଲାଞ୍ଜିଗଡ଼ ଅଞ୍ଚଳକୁ ନଜର ପକାଇଲେ ତାର ବିକାଶର କଥା ସ୍ପଷ୍ଟ ଭାବେ ଜଣା ପଡ଼ିଯିବ। ରାସ୍ତାଟିଏ ମଧ୍ୟ ହୋଇ ପାରିନାହିଁ l ସବୁ ଆଡ଼େ ଖାଲ ଖମା ରାସ୍ତା ସହିତ କୁଢ଼ କୁଢ଼ ଆବର୍ଜନା।ସ୍ୱାସ୍ଥ୍ୟ ସେବା ତ ଶୂନ।ପାଣି ଓ ଆଲୁଅ ମଧ୍ୟ ସେପରି।ନିଯୁକ୍ତି କଥା ନ କହିଲେ ଭଲ।ଦୀପତଳ ଅନ୍ଧାର ଭଳି ଲାଞ୍ଜିଗଡ଼ର ଅବସ୍ଥା ସେହିଆ ରହିଛି।

ନିୟମ ଦୃଷ୍ଟିରୁ ପ୍ରକଳ୍ପର ଆଶ ପଣ୍ଡ ଓ ରେଡ଼ମଡ଼ ପଣ୍ଡ ଜନବସତି ଠାରୁ ଅତି କମରେ ଦଶ କିଲୋମିଟର ଦୂରରେ ରହିବା କଥା। କିନ୍ତୁ କମ୍ପାନୀ ଲୋକ ଙ୍କୁ ନିରାପତ୍ତା ପ୍ରତି ଦୃଷ୍ଟି ନ ଦେଇ ଜନବସତି ମଧ୍ୟରେ ହିଁ ତାହା ସ୍ଥାପନ କରିଛି।ତାହା ଫଳରେ ଅଞ୍ଚଳବାସୀ ଯେ କି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା କହିବା ବାହୁଲ୍ୟ।କିଛି ମାସ ତଳେ ରେଡ଼ମଡ଼ ପଣ୍ଡ ଭାଙ୍ଗି ଯାଇ କଷ୍ଟିକ ଯୁକ୍ତ ଲାଲ ପାଣି କାଦୁଅ ବିସ୍ତୃତ ଅଞ୍ଚଳରେ ମାଡ଼ି ଯାଇ ଅନେକ କ୍ଷତି କରିଥିଲା।ଗ୍ରାମ ମଧ୍ୟରେ ଓ ଶହ ଶହ ଏକର ଚାଷ ଜମିରେ ସେଇ ଲାଲ କଷ୍ଟିକ ଯୁକ୍ତ କାଦୁଅ ପାଣି ମାଡ଼ି ଯାଇ ଲୋକଙ୍କର ଯେଉଁ ସବୁ କ୍ଷତି ହୋଇଥିଲା, ତାହାର କ୍ଷତିପୂରଣ ଏ ପର୍ଯ୍ୟନ୍ତ ଲୋକେ ପାଇନାହାନ୍ତି।ଅନେକ ସମୟରେ ରେଡ଼ମଡ଼ ପଣ୍ଡର ବିଷାକ୍ତ ଲାଲ ଧୂଳି ଓ ଆଶପଣ୍ଡର ପାଉଁଶ ସବୁ ପବନରେ ଉଡ଼ି ଲାଞ୍ଜିଗଡ଼ ସହିତ ଅନ୍ୟ ଗ୍ରାମମାନଙ୍କୁ ମଧ୍ୟ ବ୍ୟାପି ଯିବା ଦ୍ୱାରା ଲୋକେ ଅଣନିଶ୍ୱାସୀ ହୋଇ ପଡୁଛନ୍ତି।ଆଖି ଓ ନାକ କାନରେ ଏଇ ଲାଲ ଓ ଧୂଳି ପଶି ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।ଏହା ଦ୍ୱାରା ଲାଞ୍ଜିଗଡ଼ ସହିତ ଆଖ ପାଖରେ ଥିବା ଗ୍ରାମ ଗୁଡିକ ହେଲା ବସନ୍ତପଡ଼ା,କୋଟଦ୍ୱାର,ବନ୍ଧଗୁଡା, କପାଗୁଡ଼ା,ବାଳିପଡ଼ା,ବେଲମ୍ବା, ସିନ୍ଧିବାହାଲି,ବୁଣ୍ଡେଲ,ଚଣାଲିମା, କେନ୍ଦୁଗୁଡ଼ା,ଟାଙ୍ଗନକଣା, କାଶୀବାଡ଼ି,ବାରବୁଲି, ଲେପଟାଗୁଡ଼ା,ଛତ୍ରପୁର, ବାତେଲିମା,ଜଗନ୍ନାଥପୁର, କେନ୍ଦୁବର୍ଡି,ଉପର ପାତଳମା, ଖାଲଗୁଡ଼ା ଓ ପୁଟୁରିଭଟା।ସମୟ ସମୟରେ ରେଡ଼ମଡ଼ ପଣ୍ଡର କଷ୍ଟିକ ଯୁକ୍ତ ଲାଲ ପାଣି ବଂଶଧାରା ନଦୀରେ ଛାଡ଼ି ଦିଆଯାଏ।ଲୋକେ ସେଇ ଜଳ ବ୍ୟବହାର କରି ଚର୍ମ ରୋଗ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୁଅନ୍ତି।କିନ୍ତୁ ଏ ବିଷୟ ପ୍ରତି ଆଦୌ ଦୃଷ୍ଟି ଦିଏ ନାହିଁ।ତେଣୁ ଲୋକେ ବେଦାନ୍ତ କମ୍ପାନୀ ଉପରେ ଅତ୍ୟନ୍ତ ଖପ୍ପା।ଏଣେ କମ୍ପାନୀ ନିୟମଗିରି ରୁ ବକ୍ସାଇଟ ନେବା ପାଇଁ ଚକ୍ରାନ୍ତ ଚଳାଇଛି।ତେଣୁ ନିୟମଗିରି ଅଞ୍ଚଳର ସମସ୍ତ ବାସିନ୍ଦା କମ୍ପାନୀକୁ ଘୋର ବିରୋଧ କରୁଥିବା ଦେଖିବାକୁ ମିଳେ।

You may have missed