ଋଷିକୂଲ୍ୟା ନଦୀ ତଥା ବ୍ରହ୍ମପୁର ସହରର ପାନୀୟ ଜଳ ଯୋଗାଣକୁ ବିପଦ ସୃଷ୍ଟି କରିବାକୁ ଯାଉଥିବା ପିପଳପଙ୍କା ଡ୍ୟାମକୁ ବାତିଲ କରିବା ଦାବିରେ ବ୍ରହ୍ମପୁରରେ ଦୁଇ ଦିନିଆ ପଦଯାତ୍ରା ଆରମ୍ଭ..

ବ୍ରହ୍ମପୁର ( ଲମ୍ବୋଦର ସାହୁ)ଘରୋଇ କମ୍ପାନୀଙ୍କୁ ପାଣି ଯୋଗାଇବାକୁ ରାଜ୍ୟ ସରକାର ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ସୋରଡା ବ୍ଳକର ପିପଳପଙ୍କା ଠାରେ ଯେଉଁ ବୃହତ ଜଳଭଣ୍ଡାର କରିବାକୁ ଯାଉଛନ୍ତି, ତା’ରି ଫଳରେ ଋଷିକୂଲ୍ୟା ନଦୀ ମରିଯିବା ସହ ଗଞ୍ଜାମ ଜିଲ୍ଲାର କୃଷି, ଜଳସେଚନ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବ ବୋଲି ମତପ୍ରକାଶ ପାଇଛି । ଋଷିକୂଲ୍ୟା ନଦୀର ସୁରକ୍ଷା ଦାବିରେ ଆଜି ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ଠାରେ ଆୟୋଜିତ ଦୁଇ ଦିନିଆ ପଦଯାତ୍ରା ଅବସରରେ ସହର ବୁଦ୍ଧିଜୀବିଙ୍କ ସମେତ ଜିଲ୍ଲାର ବହୁ ଚାଷୀନେତା, ସାମାଜିକ କର୍ମୀ ଓ ପରିବେଶବିଦ୍ ଯୋଗଦେଇ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମକୁ ବିରୋଧ କରିଥିଲେ । ଏହି ଡ୍ୟାମ୍ ଜରିଆରେ ନଦୀର ଉପରମୁଣ୍ଡରୁ କମ୍ପାନୀଙ୍କୁ ପାଣି ଚାଲିଗଲେ ବର୍ତ୍ତମାନ ବର୍ଷସାରା ପ୍ରାୟତଃ ଶୁଖିଲା ରହୁଥିବା ନଦୀ ସମ୍ପୂର୍ଣ୍ଣ ରୂପେ ମରିଯିବ । ଯାରି ଫଳରେ ପିପଳପଙ୍କା ଠାରୁ ଗଞ୍ଜାମ ମୁହାଣ ପର୍ଯ୍ୟନ୍ତ ସମଗ୍ର ଋଷିକୂଲ୍ୟା ନଦୀର ପାଣିର ଭୟଙ୍କର ସଂକଟ ଦେଖାଯିବ । ବର୍ତ୍ତମାନ ବ୍ରହ୍ମପୁର ସହର ସମେତ ଜିଲ୍ଲାର ଲକ୍ଷାଧିକ ଏକର ଜମିକୁ ପାଣି ଯୋଗାଉଥିବା ଋଷିକୂଲ୍ୟା ନଦୀର ଜାନିବିଲି ବ୍ୟାରେଜରେ ଡ୍ୟାମ୍ ଫଳରେ ପାଣି କମିଗଲେ ସେଠାରୁ ବାହାରିଥିବା ଋଷିକୂଲ୍ୟା କେନାଲ ବ୍ୟବସ୍ଥା ଓ ବ୍ରହ୍ମପୁର ସହରର ଜଳଯୋଗାଣ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବ । ବର୍ତ୍ତମାନ ଉପର ମୁଣ୍ଡରେ ଡ୍ୟାମ୍ ନିର୍ମାଣ ନହେଉଣୁ ସହରରେ ପାନୀୟ ଜଳର ସଙ୍କଟ ଦେଖାଯାଉଥିବା ବେଳେ ଥରେ ଡ୍ୟାମ୍ ନିର୍ମାଣ ହୋଇଗଲେ, ଏହି ସମସ୍ୟା ଭୟଙ୍କର ରୂପ ଧାରଣ କରିବ । ବର୍ତ୍ତମାନ ଜାନିବିଲି ବ୍ୟାରେଜରେ ଆବଶ୍ୟକୀୟ ପାଣି ନଥିବାରୁ ଜନସ୍ବାସ୍ଥ୍ୟ ବିଭାଗ ବ୍ରହ୍ମପୁର ସହରକୁ ଦୈନିକ ମାତ୍ର ଦୁଇ ଘଂଟା ପାଣି ଯୋଗାଇବାକୁ ଘୋଷଣା କରିଥିବା ବେଳେ ଭବିଷ୍ୟତରେ ଉପରମୁଣ୍ଡରେ ପିପଳପଙ୍କା ଡେମ୍ ନିର୍ମାଣ ହେଲେ ସହରରେ ପାନୀୟ ଜଳର ସଙ୍କଟ ଉତ୍କଟ ହେବ ।
ଏହା ବ୍ୟତୀତ ଡେମ୍ ଫଳରେ ଗାଜଲବାଡ଼ି ପଞ୍ଚାୟତର ଦୁଇ ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଘଞ୍ଚ ଜଙ୍ଗଲ ସବୁଦିନ ପାଇଁ ଜଳମଗ୍ନ ହେବା ସହ ତା’ରି ମଧ୍ୟରେ ପୁରୁଷ ପୁରୁଷ ଧରି ବସବାସ କରୁଥିବା ୨୩ଟି ଗାଁର ତିନି ହଜାରରୁ ଅଧିକ ଲୋକଙ୍କ ଜୀବିକା ଚାଲିଯିବ ।
ସରକାର କେବଳ ଘରୋଇ କମ୍ପାନୀଙ୍କ ସ୍ଵାର୍ଥରେ କରିବାକୁ ଯାଉଥିବା ଏହି ପ୍ରକଳ୍ପ ଯୋଗୁଁ ଭବିଷ୍ୟତରେ ଐତିହାସିକ ଋଷିକୂଲ୍ୟା ନଦୀ ଓ ତା’ ଉପରେ ନିର୍ଭରଶୀଳ ଜିଲ୍ଲାର କୃଷି, ମାଛଚାଷ ଓ ସର୍ବୋପରି ପିଇବା ପାଣି ପ୍ରଭାବିତ ହେବାକୁ ଯାଉଥିବାରୁ ସେଥିରୁ ସୁରକ୍ଷା ପାଇଁ ଜିଲ୍ଲାର ବୁଦ୍ଧିଜୀବୀ, ସାମାଜିକ, ରାଜନୈତିକ କର୍ମୀ, ଚାଷୀ ସଂଗଠନମାନେ ଅଣ୍ଟା ଭିଡିଛନ୍ତି ।
ଏ଼ହି କ୍ରମରେ ଋଷିକୂଲ୍ୟା ନଦୀର ଜଳ ଉପରେ ନିର୍ଭରଶୀଳ ବ୍ରହ୍ମପୁର ସହରର ନାଗରିକମାନଙ୍କୁ ନେଇ ଏକ ଦୁଇ ଦିନିଆ ପଦଯାତ୍ରାର ଆୟୋଜନ କରାଯାଇଛି । ଆଜି ପଦଯାତ୍ରାର ପ୍ରଥମ ଦିନରେ ସହର ଉପକଣ୍ଠରେ ଥିବା ଖୋଡାସିଙ୍ଗି ଠାରୁ ପଦଯାତ୍ରା ବାହାରି ଇଂଜିନିୟର ସ୍କୁଲ ଛକ, କମାପଲ୍ଲୀ, ବିଜିପୁର ଛକ ଦେଇ ଗୋଷାଣୀ ନୂଆଗାଁରେ ପହଞ୍ଚିଥିଲା । ରାସ୍ତାରେ ପଦଯାତ୍ରୀମାନେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ସହରର ବିଭିନ୍ନ ବର୍ଗର ନାଗରିକଙ୍କ ସମେତ ଜିଲ୍ଲାର ଅନେକ ବୁଦ୍ଧିଜୀବି, ଚାଷୀ ନେତା ଓ ପରିବେଶ କର୍ମୀମାନେ ଯୋଗଦେଇଥିଲେ । କମିଟିର ଆବାହକ ସୁଧୀର ରାଉତଙ୍କ ସମେତ ସଂଯୋଜକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଋଷିକୂଲ୍ୟା ରୟତ ସଂଘର ସମ୍ପାଦକ ସୀମାଞ୍ଚଳ ନାହାକ, ଶ୍ୟାମସୁନ୍ଦର ଖାଡଙ୍ଗା, ସାମାଜିକ କର୍ମୀ ଆଦିତ୍ୟ ରଥ, ସୁବାଷ ରାଉତ, କେ ନାନ୍ଦେଶୁ ସେନାପତି, କିଶୋର ଚନ୍ଦ୍ର ପାତ୍ର, ଅଶୋକ ଦଳାଇ, କବିରାଜ ସାହୁ, ବିଜୟ କୁମାର ବେହେରା, କିଶୋର ସ୍ଵାଇଁ, ଲୋକନାଥ ପରିଡା, ମତ୍ସ୍ୟଜୀବୀ ନେତା ମାଗତା ବେହେରା, ଜାମୁଲା ସୁରେଶ, ଲକ୍ଷ୍ମୀ ନୃସିଂହ ରଥ, ଆଇଏଫଟିୟୁ ସଭାପତି ପ୍ରତାପ ପ୍ରଧାନ, ଆଦିବାସୀ ନେତା ଲିଙ୍ଗା ଗମାଙ୍ଗ, ଚାଷୀ ନେତା ବୃନ୍ଦାବନ ଖଟେଇ, ଯୁବନେତା କେ ସଞ୍ଜିବ ରେଡ୍ଡୀ ଓ ସାମ୍ବାଦିକ ବିଘ୍ନେଶ୍ୱର ସାହୁ ପ୍ରମୁଖ ଯୋଗଦେଇଥିଲେ ।