November 16, 2024

ଓଡ଼ିଆ ଭାଷା-ସାହିତ୍ୟ ଓ ସଂସ୍କୃତିର ଜାଗ୍ରତ ପ୍ରହରୀ ‘ନବୀନ’ : ଗିରିଧର ଗମାଙ୍ଗ

Share

*ଓଡ଼ିଆ ଭାଷା-ସାହିତ୍ୟ ଓ ସଂସ୍କୃତିର ଜାଗ୍ରତ ପ୍ରହରୀ ‘ନବୀନ’ : ଗିରିଧର ଗମାଙ୍ଗ *

‘ନବୀନ’ର 25ତମ ବିଷୁବ ମିଳନ ଓ ରଜତ ଜୟନ୍ତୀ ସମାରୋହ

ବ୍ରହ୍ମପୁର,14/4 : ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ସ୍ବାଧୀନତା ସଂଗ୍ରାମରେ ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର ‘ନବୀନ’ର ଅବଦାନ ଅବିସ୍ମରଣୀୟ । ବିଶେଷକରି ଓଡ଼ିଆ ଭାଷା-ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଦିଗରେ ଏହି ସମ୍ବାଦପତ୍ର ଜାଗ୍ରତ ପ୍ରହରୀର ଭୂମିକା ଗ୍ରହଣ କରିଆସିଛି ବୋଲି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶ୍ୱବିଖ୍ୟାତ ଲୋକବାଦ୍ୟ କଳାକାର ଡ଼. ଗିରିଧର ଗମାଙ୍ଗ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ନବୀନ ଭବନ ପରିସରରେ ନବୀନର ସମ୍ପାଦକ ତଥା ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠତ 25ତମ ବିଷୁବ ମିଳନ ଓ ରଜତ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଡ଼. ଗମାଙ୍ଗ ଯୋଗଦେଇ ଉପରୋକ୍ତ ମତ ରଖିଥିଲେ । ସ୍ବାଗତ ସମିତି ଅଧ୍ୟକ୍ଷ ପଣ୍ଡିତ ଜଗନ୍ନାଥ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ଐତିହାସିକ ଡ଼. ମନ୍ମଥ ପାଢ଼ୀ ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଇଂ. ଯାମିନୀକାନ୍ତ ଦାସ ପ୍ରମୁଖ ଯୋଗଦେଇ ଓଡ଼ିଶାର କବି-ସାହିତ୍ୟିକ ମାନଙ୍କୁ ପ୍ରେରଣା ଯୋଗାଇବାରେ ‘ନବୀନ’ର ଭୂମିକା ସର୍ବାଗ୍ରେ ବୋଲି କହିଥିଲେ । ପ୍ରତିଷ୍ଠାନର ସମ୍ପାଦକ ସୁଶାନ୍ତ କର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଶିଷ୍ଟ ଆଧ୍ୟାତ୍ମିକବାଦୀ ବିପ୍ରଚରଣ ପାତ୍ର, ସୁଲେଖିକା କଲ୍ୟାଣୀ ସଂଘମିତ୍ରା ଦେବୀ, ସମାଜସେବୀ ବଂଶୀଧର ନାୟକ, ସଂଗୀତଜ୍ଞ ପ୍ରଶାନ୍ତ କୁମାର ନାୟକ ଓ ଗବେଷିକା ଡ଼. ନଳିନୀପ୍ରଭା ଦାସଙ୍କୁ ‘ନବୀନ ବିଷୁବ ସମ୍ମାନ-2023’ରେ ସମ୍ମାନିତ କରାଯାଇଥିଲା । ଏହା ସହିତ ଅତିଥିଙ୍କ ଦ୍ୱାରା ଆଶୁକବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ ନାଟକ ପୁସ୍ତକ ‘ମହାକବି ଉପେନ୍ଦ୍ର ଭଞ୍ଜ’ ଓ ପ୍ରଫେସର ଡ଼ମ୍ବରୁଧର ସାହୁଙ୍କ ରଚିତ ‘ମାର୍ଗଦର୍ଶିକା’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ପ୍ରଥମ ଅଧିବେଶନ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶଶିଭୂଷଣ ରଥ ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼, କାହ୍ନୁ ଚରଣ ପାଢ଼ୀ ଯୋଗ ଦେଇଥିଲେ । କବି ଚିନ୍ମୟ ରଞ୍ଜନ ମିଶ୍ର, ସୁପ୍ରଜିତ କୁମାର ସାହୁ ଓ ବନ୍ଦନା ମିଶ୍ର ପ୍ରମୁଖ କବିତା ସଂଯୋଜନା କରିଥିଲେ । ଶତାଧିକ କବି-କବୟିତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଶେଷରେ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରାମକୃଷ୍ଣ ପାତ୍ର, ଇଂ. ମାନସ ରଞ୍ଜନ ତ୍ରିପାଠୀ, ପବିତ୍ର କୁମାର ଚୌଧୁରୀ, ବି. ସତ୍ୟମ ଆଚାରୀ ପ୍ରମୁଖ ସହଯୋଗ କରିଥିଲେ ।

 

ସୁଶାନ୍ତ କର

ସମ୍ପାଦକ