April 25, 2025

ଶ୍ରଦ୍ଧା ଓ ଭକ୍ତିର ସହ ବାଲେଶ୍ୱରରେ ପାଳିତ ହେଲା ପ୍ରଭୁଯୀଶୁଙ୍କର ବଳିଦାନର ପର୍ବ ଶୁଭ ଶକ୍ରବାର

Share

 

 

ବାଲେଶ୍ଵର: ପ୍ରଭୁ ଯୀଶୁଙ୍କ ବଳିଦାନର ଦିବସ ଭାବେ ସମଗ୍ର ବିଶ୍ୱରେ ଆଜି ପବିତ୍ର ଶୁକ୍ରବାର ପାଳିତ ହୋଇଥିବା ବେଳେ ବାଲେଶ୍ୱରର ଖ୍ରୀଷ୍ଟଧର୍ମାବଲମ୍ବୀମାନେ ମଧ୍ୟ ଅନୁରୂପ ଭାବେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହିତ ଏହାକୁ ପାଳନ କରିଥିବା ଦେଖିବାକୁ ମିଳିଛି। ସକାଳରୁ ସ୍ନାନାଦି କାର୍ଯ୍ୟ ସମାପନ ସହ ନୂଆବସ୍ତ୍ର ପରିଧାନ ପୂର୍ବକ ଖ୍ରୀଷ୍ଟଧର୍ମୀ ଭାଇ-ଭଉଣୀମାନେ ଚର୍ଚ୍ଚରେ ପହଞ୍ଚି ପ୍ରଭୁଯୀଶୁଙ୍କୁ ପ୍ରାର୍ଥନା କରିଥିଲେ। ଅପରାହ୍ନ ପ୍ରାୟ ୨ଟା ୩୦ ସମୟରେ ସହରର ଶ୍ରୀକଣ୍ଠପୁର କ୍ୟାଥୋଲିକ୍ ପଡ଼ାର ଷ୍ଟାର କ୍ଲବ ନିକଟରୁ ପ୍ରଭୁଙ୍କର କ୍ରୁଶଯାତ୍ରା ବା ଯାତନାର ଯାତ୍ରା ଆରମ୍ଭ ହୋଇଥିଲା। ଏହି ଯନ୍ତ୍ରଣାର ଯାତ୍ରା ସହର ପରିକ୍ରମା ସହ ସ୍ଥାନୀୟ ଚର୍ଚ୍ଚରେ ପହଞ୍ଚିଥିଲା। ମୌଳବାଦୀଙ୍କ ଦ୍ୱାରା ପ୍ରଭୁଯୀଶୁଙ୍କୁ ଦିଆଯାଇଥିବା ନିର୍ଯାତନାର ନିଦର୍ଶନ ସ୍ୱରୂପ ସହର ରାସ୍ତାର ୧୪ ଗୋଟି ସ୍ଥାନରେ ଏହାର ପ୍ରତିକୃତି ସ୍ଥାପିତ ହୋଇଥିଲା। ଏହି ଶୋଭାଯାତ୍ରା ଯାଉଥିବା ବେଳେ ସେଠାରେ ଅଟକିବା ସହିତ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ମଧ୍ୟ କରାଯାଇଥିଲା। ଏହି ଯାତ୍ରା ଚର୍ଚ୍ଚରେ ପହଞ୍ଚିବା ପରେ ସେଠାରେ ଏକ ସାମୂହିକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ରୋମାନ କ୍ୟାଥୋଲିକ ଡାଇଓସିସର ମୁଖ୍ୟ ବିଶପ ଥୋଟମକରା ଏଥିରେ ଯୋଗଦେଇ ମାନବ ସମାଜର ଉଦ୍ଧାର ପାଇଁ ପ୍ରଭୁ ଯୀଶୁ ଯାତନା ସହିବାକୁ ପଛାଇ ନଥିଲେ ବୋଲି କହିଥିଲେ। ପ୍ରେମ, ଶାନ୍ତି ଓ ଏକତା ପାଇଁ ଯେ ଯାତନା ସହିବାକୁ ପଡ଼େ, ପ୍ରଭୁ ଯୀଶୁ ୨ ହଜାର ବର୍ଷ ପୂର୍ବରୁ ମାନବ ସମାଜକୁ ଏହି ବାର୍ତ୍ତା ଦେଇଥିଲେ ବୋଲି ବିଶପ ଥୋଟମକରା କହିଥିଲେ। ପୁଣ୍ୟ ଶୁକ୍ରବାରର ୪୦ ଦିନ ପୂର୍ବରୁ ଖ୍ରଷ୍ଟଧର୍ମୀ ଭାଇଭଉଣୀମାନେ ପବିତ୍ର ଶୁକ୍ରବାର ଉଦ୍ଦେଶ୍ୟରେ ଉପବାସ ବ୍ରତ ଆରମ୍ଭ କରିବା ସହିତ ପ୍ରଥମ ବୁଧବାର ଦିନରୁ ପ୍ରଭୁଙ୍କ କ୍ରୁଶବିଦ୍ଧ ଯନ୍ତ୍ରଣା ଅନୁଭବ କରିଥା’ନ୍ତି। ଏହି ଉପବାସର ପରିସମାପ୍ତି ୪୦ ଦିନର ଶେଷ ଶୁକ୍ରବାର ଦିନ ଘଟିଥାଏ। ତେବେ ପୁଣ୍ୟ ଶୁକ୍ରବାରର ପରଦିନ ଅର୍ଥାତ ଶନିବାର ରାତିରେ ପ୍ରଭୁଙ୍କର ପୁନଃରୁତ୍ଥାନକୁ ସଭିଙ୍କର ଅପେକ୍ଷା ଥାଏ ବୋଲି ବିଶପ ଥୋଟମକରା ପ୍ରକାଶ କରିଥିଲେ। ପ୍ରାୟ ୨ ହଜାର ବର୍ଷ ପୂର୍ବେ ସମାଜର ଉଦ୍ଧାର ପାଇଁ ପ୍ରଭୁ ଯୀଶୁ କାର୍ଯ୍ୟ କରିବା ଦ୍ୱାରା ତାଙ୍କ ପ୍ରତି ସାଧାରଣ ଲୋକଙ୍କ ସମର୍ଥନ ଓ ଭଲପାଇବା ବୃଦ୍ଧି ପାଇବା ଦେଖି ତତ୍କାଳୀନ ମୌଳବାଦୀ ଚିନ୍ତାଧାରାର ଗୋଷ୍ଠୀମାନେ ଈର୍ଷାପରାୟଣ ହୋଇ ଉଠିଥିଲେ। ଯୀଶୁଙ୍କ ନିକଟକୁ ରାଜକ୍ଷମତା ଚାଲିଯିବା ଭୟରେ ସେମାନେ ତାଙ୍କୁ ଗିରଫ କରି ଅକଥନୀୟ ନିର୍ଯାତନା ଦେବା ସହ କ୍ରୁଶବିଧ କରି କରିଥିଲେ। ଏହି ଶ୍ରୁକ୍ରବାର ଦିନ ତାଙ୍କର ମହାପ୍ରୟାଣ ଘଟିଥିଲା। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ସମଗ୍ର ବିଶ୍ୱରେ ଯାତନାର ପର୍ବ ବା ପୁଣ୍ୟ ଶୁକ୍ରବାର ଭାବେ ପାଳିତ ହୋଇଆସୁଛି ବୋଲି ବିଶପ ଥୋଟମକରା ପ୍ରକାଶ କରିଥିଲେ। ତେବେ ଆଜିର ଏହି ଗୁଡ୍ ଫ୍ରାଇଡେ’ ପାଳନରେ ଶ୍ରୀକଣ୍ଠପୁର ଅଞ୍ଚଳର ଖ୍ରୀଷ୍ଟଧର୍ମାବଲମ୍ବୀ ଯୁବକ ଯୁବତୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଉଦ୍ଦୀପନା ଲକ୍ଷ୍ୟ କରାଯାଇଥିଲା। ଧର୍ମମଣ୍ଡଳୀ ପରିଚାଳକ ଫାଦର ସାଜି ଯୋଶେଫ, ଫାଦର ଚାକୋ, ଫାଦର ଜର୍ଜ, ଫାଦର ରୟ ପ୍ରମୁଖ କ୍ୟାଥୋଲିକ ଚର୍ଚ୍ଚର ଫାଦର, ସିଷ୍ଟର ଓ ଧର୍ମମଣ୍ଡଳର ଯୁବଗୋଷ୍ଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀକଣ୍ଠପୁର ସ୍ଥିତ ଷ୍ଟାର କ୍ଲବର ସଦସ୍ୟମାନେ ଏହି ପୁଣ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ବାଲେଶ୍ଵର ରୁ ଶେଖ୍ ନଜୀମ ଙ୍କ ରିପୋର୍ଟ

You may have missed