March 13, 2025

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Share

*ମହିଳାଙ୍କ ବିରୁଦ୍ଧରେ ଭେଦଭାବ ଓ ହିଂସା ବିରୁଦ୍ଧରେ ସମାନତାର ଲଢେଇ ପାଇଁ ଡାକରା ।*

ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଗତିଶୀଳ ମହିଳା ସଂଗଠନ ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ନୀଳକଣ୍ଠପୁର ଗୁଡା ଠାରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହିଳା ନେତ୍ରୀ ସୂର୍ଯ୍ୟା ଶବରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶର ବରିଷ୍ଠ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଆମର ପୁରୁଷତାନ୍ତ୍ରିକ ସମାଜରେ ମହିଳାମାନେ ଆଜି ବି ଲିଙ୍ଗଗତ ବିଦ୍ୱେଷ ଓ ହିଂସାର ଶିକାର ହେଉଛନ୍ତି ବୋଲି କହିଥିଲେ । କେବଳ ଶାରୀରିକ ଗଠନକୁ ଛାଡ଼ିଦେଲେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଅନ୍ୟ କୌଣସି ପାର୍ଥକ୍ୟ ନାହିଁ ଓ ସମାଜରେ ଥିବା ସମସ୍ତ ପ୍ରକାରର ଭେଦଭାବ କେବଳ ମନୁଷ୍ୟକୃତ ବୋଲି କହିଥିଲେ । ଅତଏବ ସମାଜ ସଚେତିତ ଭାବେ ଚାହିଁଲେ ଏହି ଲିଙ୍ଗଗତ ଭେଦଭାବକୁ ଦୂର ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଆମ ସମାଜରେ ରହିଥିବା ପଶ୍ଚାଦପଦ ସାମନ୍ତବାଦୀ ମୂଲ୍ୟବୋଧର ମହିଳାମାନେ ସହଜ ଶୀକାର ହେଉଥିବାରୁ ତା’ର ବିରୁଦ୍ଧରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରସାରିତ କରିବାକୁ ହେବ । ମହିଳାଙ୍କ ବିରୁଦ୍ଧରେ ଭେଦଭାବ ଓ ହିଂସା ଉଭୟ ଘରେ ଓ ବାହାରେ ଘଟୁଥିବାରୁ ତା ବିରୁଦ୍ଧରେ ମହିଳାମାନେ ସଚତିତ ଭାବେ ଲଢେ଼ଇ କରିବାକୁ ହେବ ବୋଲି କହିଥିଲେ ।

କେନ୍ଦ୍ର ସରକାର ପ୍ରତିବର୍ଷ ବଜେଟରେ ମହିଳାଙ୍କ ପାଇଁ ବ୍ୟୟବରାଦ ହ୍ରାସ କରୁଥିବା ବେଳେ ଓଡ଼ିଶା ସରକାର ମହିଳା ସଶକ୍ତିକରଣ ନାଁରେ ବର୍ଷକୁ ଯେଉଁ ଦଶ ହଜାର ଟଙ୍କା ସହାୟତା ଦେଉଛନ୍ତି, ତାହା ଦେଶରେ ସବୁଠାରୁ କମ୍ ଏବଂ ମହିଳାମାନଙ୍କ ପ୍ରତି ପ୍ରତାରଣା ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜୁଲୁ ଶବର, ଅନୀତା ଶବର, ଶୋଭାବତୀ ଶବର, ଗଣଶ୍ରୀ ଶବର, ସାରା ନାୟକ , ରାଜୁଲୁ ଶବର ତଥା ଅଖିଳ ଭାରତ କିଶାନ୍ ମଜଦୂର ସଭାର ସମ୍ପାଦକ କେଦାର ଶବର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ସମାଜରେ ଲିଙ୍ଗଗତ ସମାନତା ପାଇଁ ଲଢେ଼ଇ କରିବାକୁ ଆହ୍ବାନ ଦେଇଥିଲେ । ଶେଷରେ ପ୍ରଗତିଶୀଳ ମହିଳା ସଂଗଠନର ସଦସ୍ୟା ବେର୍ଣ୍ଣିକା ଗମାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ ।