May 10, 2026

ବରିଷ୍ଠ ସାମ୍ବାଦିକ ନୀଳମଣି ସାହୁଙ୍କ ବିୟୋଗରେ ଶୋକସଭା

IMG-20250308-WA0003
Share

 

ଖଣ୍ଡପଡ଼ା, ୭|୩: ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ସାମ୍ବାଦିକ ନୀଳମଣି ସାହୁଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ସଂଘର ସଭାପତି ବିନାୟକ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ଦୁଇମିନିଟ ନୀରବପ୍ରାର୍ଥନା କରିବା ସହ ସ୍ବର୍ଗତ ନୀଳମଣି ସାହୁଙ୍କ ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ସାହୁ ରାଜ୍ୟ ସ୍ତରରେ ଜଣେ ଆଗଧାଡିର ସାମ୍ବାଦିକ ଭାବେ ସୁନାମ ଅର୍ଜନ କରିଥିବା ବେଳେ ତାଙ୍କ ଅକାଳ ବିୟୋଗରେ ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ମାନେ ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ସ୍ବର୍ଗତ ନୀଳମଣି ସାହୁଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସେହିପରି ସଂଘର ବରିଷ୍ଠ ସଦସ୍ୟ ରାମେଶ୍ବର ଶତପଥୀ, ସଂଘର ସମ୍ପାଦକ ଭବାନି ଶଙ୍କର ସିଂସାମନ୍ତ ଏବଂ କୋଷାଧ୍ୟକ୍ଷ ଶାନ୍ତିଶେଖର ରଥ ପ୍ରମୁଖ ସ୍ବର୍ଗତ ସାହୁଙ୍କ ସ୍ମୃତିଚାରଣ କରିବା ସହ ସେ ମହାନ ଆତ୍ମାର ସଦଗତି କାମନା କରିଥିଲେ। ସୂଚନା ଥାଉକି ଗତ ୫ଦିନ ତଳେ ସ୍ବର୍ଗତ ନୀଳମଣି ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୂତ୍ରରୁ ପ୍ରକାଶ। ଶୋକସଭା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ମନୋରଞ୍ଜନ ରଥ, ରବୀନ୍ଦ୍ର ବେହେରା, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ସମ୍ବିତ ଭୂଷଣ ସେନାପତି, ଭବାନି ଶଙ୍କର ମହାନ୍ତି, ସନ୍ତୋଷ କୁମାର ସାହୁ, ବିଷ୍ଣୁ ପ୍ରସାଦ ମହାନ୍ତି, ମାନସ ସେଠୀ, ସୁଶାନ୍ତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ।