May 10, 2026

ମହାଅଘଟଣରେ ତ୍ରାଣକାର୍ତ୍ତା ସାଜିଲେ ସ୍ବେଚ୍ଛାସେବୀ

IMG-20250227-WA0058
Share

ଭୁବନେଶ୍ୱର -୨୭/୨/୨୫-ପବିତ୍ର ମହାଶିବରାତ୍ରିରେ ଲକ୍ଷାଧିକ ଭକ୍ତ ଶ୍ରୀ ଲିଙ୍ଗରାଜ ମନ୍ଦିର ମହାଦୀପ ଉଠିବାକୁ ଚାହିଁ ରହିଥିବାବେଳେ ଅଚାନକ ଏକ ଅଘଟଣ ଘଟିଗଲା ଓ ସମର୍ଥା ସେବକ ମନ୍ଦିରରୁ ଅସାବଧାନତା ବଶତଃ ଖସିପଡିଥିଲେ ଓ କ୍ଷତାକ୍ତ ହୋଇଥିଲେ। ସେହି ପାଖରେ ଥିବା ଅନ୍ୟ ଜଣେ ସେବକ ବି ଆହତ ହେଇଥିଲେ। ଏହି ସମୟରେ କାଳ ବିଳମ୍ବ ନ କରି ସେଠାରେ ଉପସ୍ଥିତ ଥିବା ଭୁବନେଶ୍ୱରସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ସଞ୍ଜୟ ଦାସ ଓ ପ୍ରଦୀପ ସାହୁ ସେଠାରେ ଉପସ୍ଥିତ ଥିବା ପୋଲିସ ତଥା ଦୁର୍ଗା ପ୍ରସାଦ ପରିଡ଼ା, ଚେନା ବାରିକ, ବିକାଶ ମହାରଣାଙ୍କ ସହାୟତାରେ ତାଙ୍କୁ ନେଇ ଆମ୍ବୁଲାନ୍ସରେ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ପରେ କ୍ୟାପିଟାଲ ହସ୍ପିଟାଲରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସି ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିବା ସହ ସ୍ବେଚ୍ଛାସେବୀଙ୍କୁ ଧନ୍ୟବାଦ ଦେଇଥିଲେ।

 

ସୂଚନାଯୋଗ୍ୟ ଦୀର୍ଘ ୩୬ବର୍ଷ ଧରି ଏହି ସଙ୍ଗଠନ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ଯାନୀଯାତ୍ରାରେ ଲୋକଙ୍କ ସେବା କରି ଉଚ୍ଚ ପ୍ରଶଂସିତ ହେଉଛନ୍ତି। ଏ ବର୍ଷ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୫୦ଜଣିଆ ସ୍ବେଚ୍ଛାସେବୀ ଲିଙ୍ଗରାଜ ମନ୍ଦିରରେ ଉପସ୍ଥିତ ରହି ରାତି ୨ଘଟିକାରୁ ମହାଦୀପ ଉଠିବା ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ। ସର୍ବ ପ୍ରଥମେ ପିୟୁସ ମହାନ୍ତି, ବିକ୍ରମ ମହାରଣା, ଶ୍ରୀତମ ପଟ୍ଟନାୟକ, ଶ୍ରୁତିକ ନନ୍ଦଙ୍କ ନେତୃତ୍ୱରେ ମନ୍ଦିର ବାହାରେ ଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ଜଳ ବଣ୍ଟନ କରାଯାଇଥିଲା। ସେହିପରି ଟୁଟୁ ନାୟକ, ମନୋରଞ୍ଜନ ବେହେରା, ଲସିତ ବେହେରା, ମନୋଜ ମିଶ୍ରଙ୍କ ନେତୃତ୍ୱରେ ଗଞ୍ଜାମରୁ ଆସିଥିବା ସ୍ବେଚ୍ଛାସେବୀ ମନ୍ଦିର ପରିସର ସଫେଇ କରିବା ସହ ମହାପ୍ରଭୁଙ୍କର ସୁଚାରୁ ଦର୍ଶନ କିପରି ହେଇପାରିବ ସେ ନେଇ ବ୍ୟବସ୍ଥା କରିଥିଲେ। ସେହିପରି ସମୀର ପ୍ରଧାନ, ସଂଗ୍ରାମ ପ୍ରଧାନ, ବିଜୟ ଜେନାଙ୍କ ନେତୃତ୍ୱରେ ଅନୁଗୁଳ, କଟକର ସଦସ୍ୟମାନେ ବୟୋଜ୍ୟେଷ୍ଠଙ୍କୁ ଭଗବାନଙ୍କର ସୁଚାରୁ ଦର୍ଶନ କରାଇବା ସୁନିଶ୍ଚିତ କରାଇବା ସହ ପୋଲିସ ପ୍ରଶାସନକୁ ଆବଶ୍ୟକ ସହାୟତା କରିଥିଲେ।

 

ଏଥିସହ ଡ଼ଃ ଯଶୋବନ୍ତ ଜେନା ଓ ଡ଼ଃ ପ୍ରିୟବ୍ରତ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାଗରିକା ସାମନ୍ତରାୟ, ଦୀପା ମହାରଣା, ଦୀପ୍ତିବାଳା ସାହୁ ଓ ସ୍ରୋତ ଶାଶ୍ୱତ ଦାସଙ୍କ ସହାୟତାରେ ଆହତ ହୋଇଥିବା ତଥା ମୂର୍ଚ୍ଛା ଯାଇଥିବା ୧୦ଜଣ ଶ୍ରଦ୍ଧାଳୁଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଏହି ସଦସ୍ୟମାନେ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିଲେ। ସୂଚନାଯୋଗ୍ୟ, ଗତ ରଥଯାତ୍ରାରେ ଏହି ଦଳର ନିଷ୍ଠାପର ସେବାକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ ଓ ଏଥର ବି ଅନୁରୂପ ଭାବେ ପୂର୍ବତନ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ତଥା ଏକାମ୍ର ବିଧାୟକ ବାବୁ ସିଂ ଏହି ଦଳର ୨୪ଘଣ୍ଟିଆ ନିଷ୍ଠାପର ସେବାକୁ ନେଇ ପ୍ରଶଂସା କରିବା ସହ ଆଗକୁ ଏପରି ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ।