ହଜାର ହଜାର ଭକ୍ତଙ୍କ ଗହଣରେ ଉଠିଲା ବାବା ହରିଶ୍ୱର ଦେବଙ୍କ ମହାଦୀପ ..

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପଣସପଦା ଠାରେ ପ୍ରାଚୀନ ଶୈବପୀଠ ବାବା ହରିଶ୍ୱର ଦେବଙ୍କ ପୀଠରେ ୧୯୬୯ ମସିହା ରୁ ଜାଗର ମହୋତ୍ସବ ମହାଡ଼ମ୍ବରରେ ପାଳନ କରାଯିବା ସହିତ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ କରାଯାଉଛି l ଚଳିତ ବର୍ଷ ବାବାଙ୍କ ପୀଠରେ ଜାଗର ଯାତ୍ରା ମହାଡ଼ମ୍ବରରେ ପାଳନ କରାଯାଇଛି l ବାବାଙ୍କ ପୀଠରେ ଶ୍ରଦ୍ଧାଳୁମାନେ ସନ୍ଧ୍ୟାରେ ଦୀପ ଲଗାଇ ବାବାଙ୍କୁ ସ୍ମରଣ କରି ବସିବା ସହିତ ବିଶ୍ଵଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୁତି ର ଦର୍ଶନ କରିଥିଲେ l ଏଥିସହିତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଯାତ୍ରା ସ୍ବର୍ଣ୍ଣ ମହଲ ଦ୍ୱାରା ନାଟକ ପରିବେଷଣ କରାଯାଇଥିଲା l ରାତ୍ର ୨ଟା ୩୦ମିନିଟରେ ଘଣ୍ଟଘଣ୍ଟା ମୃଦଙ୍ଗ ର ତାଳେତାଳେ ହଜାର ହଜାର ଭକ୍ତଙ୍କ ହରିବୋଲ ହୁଳହୁଳି ରେ ବାବାଙ୍କ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥିଲା l ପରେପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଫଗୁଖେଳ ସହିତ ଗ୍ରାମଦେବତା ବୃନ୍ଦାବନ ଏବଂ ବାବା ହରିଶ୍ୱର ଦେବଙ୍କ ମଧ୍ୟରେ ହରିହର ଭେଟ ମହାଡ଼ମ୍ବରରେ କରାଯାଇଥିଲା l ପରେପରେ ରାତ୍ର ଚାରିଟା ସମୟ ରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ହଜାର ହଜାର ଭକ୍ତ ପ୍ରସାଦ ସେବନ କରି ଫେରିଥିଲେ l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ପରିଚାଳନା କମିଟିର ସଭାପତି ଆଲୋକ କୁମାର ପ୍ରଧାନ, ଉପସଭାପତି ଜୟକୃଷ୍ଣ ପ୍ରଧାନ, ସମ୍ପାଦକ ପ୍ରଦୀପ୍ତ କୁମାର ସାହୁ, କୋଷାଧକ୍ଷ ଅକ୍ଷୟ କୁମାର ସାହୁ, ଜିତେନ୍ଦ୍ର କୁମାର ପ୍ରଧାନ ଏବଂ ଯାତ୍ରା ପରିଚାଳନା କମିଟିର ଦିଜବର ଦଳାଇ, ବ୍ରଜକିଶୋର ପ୍ରଧାନ, ଚନ୍ଦ୍ରମଣି ପ୍ରଧାନ, ବିଦ୍ୟାଧର ପ୍ରଧାନ ଓ ବିଜୟ କୁମାର ସାହୁଙ୍କ ସହିତ ପଣସପଦା ଗ୍ରାମବାସୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ