May 11, 2026

ଡଙ୍ଗରିଆଙ୍କ ନିୟମରାଜା ପର୍ବ ସମ୍ପନ୍ନ 

IMG-20250224-WA0016
Share

ଲାଞ୍ଜିଗଡ଼ – ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ନିୟମଗିରି ଶିଖରର ଧଙ୍ଗଡ଼ାଭଟାରେ ଥିବା ଆଦିବାସୀଙ୍କ ଧରଣୀ ପେନୁରେ ତିନି ଦିନ ଧରି ଚାଲିଥିବା ନିୟମ ରାଜା ପରବ ସମ୍ପନ୍ନ ହୋଇଛି l ଗତ 21,22 ଓ 23 ତାରିଖ ତିନି ଦିନ ଧରି ଚାଲିଥିବା ଏହି ପର୍ବ ନିୟମଗିରିରେ ବସବାସ କରୁଥିବା ଡଙ୍ଗରିଆ ଓ ଝରଣିଆ କନ୍ଧ ଆଦିବାସୀ ମାନେ ଦୀର୍ଘ ବର୍ଷ ଧରି ପାଳନ କରି ଆସୁଛନ୍ତି l ନିୟମଗିରି ପର୍ବତରେ ଏହି ଡଙ୍ଗରିଆ ଓ ଝରଣିଆ ଆଦିବାସୀ ମାନଙ୍କର 112 ଟି ଗ୍ରାମ ରହିଛି ଏବଂ ସେହି ଗ୍ରାମ ସବୁରେ ପ୍ରାୟ ବାର ହଜାର ଆଦିବାସୀ ବାସ କରନ୍ତି ଏହି ଆଦିବାସୀମାନେ ପର୍ବତ ଉପରେ କାଙ୍ଗୁ, ମାଣ୍ଡିଆ, କାନ୍ଦୁଲ, କମଳା, କଦଳୀ, ଅଦା, ହଳଦୀ, ସପୁରି ଆଦି ଚାଷ କରି ନିଜର ଜୀବିକା ନିର୍ବାହ କରନ୍ତି l କିନ୍ତୁ ବେଦାନ୍ତ କମ୍ପାନୀ ହାତରେ ଖଣି ଖନନ ପାଇଁ ସରକାର ନିୟମଗିରିକୁ ଟେକି ଦେବାକୁ ନେଇ ଏହି ଆଦିବାସୀ ମାନେ ଦୀର୍ଘ ଦିନ ହେଲା ବିରୋଧ କରି ଆସୁଛନ୍ତି l ତେଣୁ ସେମାନେ ନିୟମଗିରି ସହିତ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ନିୟମରାଜା ପରବ ଦିନ ଶପଥ ନେଇଛନ୍ତି l

 

ଆଦିବାସୀଙ୍କ ଏହି ନିୟମରାଜା ପରବରେ ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ସ୍ବେଛାସେବୀ ସଂଗଠନ ଯୋଗ ଦେଇଥିଲେ l ଏହି ପରବରେ ଧରଣୀ ପେନୁ ନିକଟରେ ପୋଢ଼ ସହିତ ଛେଳି, ମେଣ୍ଢା, କୁକୁଡ଼ା ଓ ପାରା ବଳି ଦିଆ ଯାଇଥାଏ l ଆଦିବାସୀମାନେ ସେମାନଙ୍କର ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଗୀତରେ ଉତ୍ସବ ମନାଇଁଥାଆନ୍ତି l ଆଖ ପାଖ ଅଞ୍ଚଳର ସହସ୍ରାଧିକ ଲୋକ ଏହି ନିୟମରାଜା ପର୍ବ ଉତ୍ସବରେ ଯୋଗ ଦେଇଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ସହଯୋଗ କରିଥିଲା l ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର