ବ୍ଲକ ସାମ୍ବାଦିକ ସଙ୍ଘର ପ୍ରଥମ ପ୍ରତିଷ୍ଠା ଦିବସ ସମାରୋହ ( କୁନ୍ଦୁରାରେ ସାମ୍ବାଦିକ ଭବନ କରିବା ପାଇଁ ସାଂସଦଙ୍କ ପ୍ରତିଶୃତି )

ତାରିଖ, 22/2: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସଦର ଶିକ୍ଷକ ଭବନ ଠାରେ ୨୧ ତାରିଖ ଦିନ କୁନ୍ଦୁରା ବ୍ଲକ ସାମ୍ବାଦିକ ସଂଘର ପ୍ରଥମ ପ୍ରତିଷ୍ଠା ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଙ୍ଘର ସଭାପତି ସନ୍ତୋଷ ପ୍ରହରାଜଙ୍କ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମୁଖ୍ୟ ବକ୍ତା ଭାବେ କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ , ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜଯପୁର ଅଙ୍କିତ ବର୍ମା, ପ୍ରାଥମିକ ଶିକ୍ଷକ ସଭାପତି ଜିଲ୍ଲା ସଭାପତି ତ୍ରିନାଥ ହରିଜନ, ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା, ବିଡ଼ିଓ କପିଳେଶ୍ୱର ତାଣ୍ଡି, ତହସିଲଦାର ବିନୋଦ କୁମାର ନାଏକ, ସଙ୍ଘର ସମ୍ପାଦକ ହରିଶ୍ଚନ୍ଦ୍ର ବେହେରା ମଞ୍ଚାସିନ ଥିଲେ l ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଧୂପ ଦୀପ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ପ୍ରାରମ୍ଭରେ କାଉଡିଆଗୁଡା ବାଳିକା ଆବାସିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ସଂଘର ସମ୍ପାଦକ ହରିଶ୍ଚନ୍ଦ୍ର ବେହେରା ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଥିଲେ କି,ବହୁ ପୁରାତନ କାଳରୁ ସମାଜରେ ସାମ୍ବାଦିକଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଛି l ପୂର୍ବରୁ ଗୋଟିଏ ଖବର ଅନ୍ୟ ଏକ ସ୍ଥାନକୁ ପହଞ୍ଚାଇବାରେ ବହୁ ବିଳମ୍ବ ହେଉଥିଲା,ପରେ ପରେ ରେଡ଼ିଓ,ଖବର କାଗଜ,ଟେଲିଭିଜନ୍ ଆଦି ଦ୍ଵାରା ଖବର ପ୍ରକାଶିତ ହୋଇ ଆସୁଛି l ଆଜିର ଦିନରେ ଆହୁରି ଉନ୍ନତି କରିଛି ଜ୍ଞାନ କୌଶଳ ଖୁବ୍ କମ୍ ସମୟ ମଧ୍ୟରେ କୋଣ ଅନୁକୋଣର ଖବର ଫୋନ୍ ମାଧ୍ୟମରେ ହାତ ମୁଠାରେ ପହଞ୍ଚି ପାରୁଛି l କମ୍ ସମୟରେ ଖବର ସମଗ୍ର କରି ପ୍ରସାରଣ କରିବାରେ ସାମ୍ବାଦିକଙ୍କ ଦାୟିତ୍ଵ ବହୁ ଗୁଣା ବଢ଼ି ଯାଇଛି l ପ୍ରତିକୂଳ ପରିସ୍ଥିତିରେ ରହି ଜଣେ ସାମ୍ବାଦିକ ଖବର ସଂଗ୍ରହ କରିଥାଏ l ସତ୍ୟ ଖବର ପରିବେଷଣ ଦ୍ଵାରା ସମାଜର ମଙ୍ଗଳରେ ବହୁ ସହାୟକ ହୁଏ l ତେଣୁ ସଦାବେଳେ ସାହସିକତାର ସହ ନିରପେକ୍ଷ ଭାବେ ସତ୍ୟ ଖବର ପରିବେଷଣ କରି କୁନ୍ଦୁରା ବ୍ଲକ ଅଞ୍ଚଳର ବିକାଶ ଦିଗରେ ଏକ ପ୍ରମୁଖ ଭୂମିକା ତୁଲାଇବାକୁ ପରାମର୍ଶ ଦେଇଥିଲେ l ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ସାମ୍ବାଦିକ ସଙ୍ଘର ଅନେକ କାର୍ଯ୍ୟକ୍ରମ ଆୟୋଜନ ହେଉଛି କିନ୍ତୁ ବ୍ଲକ ସ୍ତରରେ ଏଭଳି ସୁନ୍ଦର ବ୍ୟବସ୍ଥା ପୂର୍ଣ୍ଣ ଆୟୋଜନ ମୁଁ ପ୍ରଥମ ଥର ଦେଖୁଛି ବୋଲି ସାଂସଦ ଶ୍ରୀ ମାଝୀ ନିଜ ବକ୍ତବ୍ୟରେ ସଙ୍ଘକୁ ପ୍ରଶଂସା କରିଥିଲେ l ସଂଘ ପାଇଁ ଏକ ସାମ୍ବାଦିକ ଭବନ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l
ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସେନା ବାହିନୀ ଓ ପୋଲିସ ବିଭାଗର ବିଭିନ୍ନ ପଦ ପଦବୀରେ ରହି ଦେଶ ଓ ସମାଜ ପାଇଁ ଗୁରୁତ୍ୱପୂର୍ଣ ଭୂମିକା ତୁଲାଇଥିବା କୁନ୍ଦୁରା ବ୍ଲକର ୬ ଜଣ ସ୍ଵତନ୍ତ୍ର ବ୍ୟକ୍ତି ବିଶେଷ..ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ସୁଶାନ୍ତ ଚୌଧୁରୀଙ୍କ ଧର୍ମପତ୍ନୀ ସଶ୍ମିତା କୁମାରୀ ପାଢ଼ୀ, କୋଲାବ ନଦୀ ଡ଼ଙ୍ଗା ବୁଡ଼ିରେ ୭ ଜଣଙ୍କ ଜୀବନ ବଞ୍ଚାଇଥିବା ସାହସୀ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁନ୍ଦର ଘିଉରିଆ, ନିଜ ସାହାଦିକତା ଏବଂ କାର୍ଯ୍ୟ ଦକ୍ଷତା ଯୋଗୁଁ ଗେଲେଣ୍ଟ୍ରି ପୁରସ୍କାର ପ୍ରାପ୍ତ ପୁଲିସ୍ କର୍ମଚାରୀ ସର୍ବେଶ୍ୱର ବେହେରା, ୩୨ ବର୍ଷ ଧରି ପାକିସ୍ତାନ, ଚୀନ,ବାଙ୍ଗଲାଦେଶ ସୀମାରେ ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟ କରିଥିବା ଏବଂ ରକ୍ତାକ୍ଷର ରେ ଲିପିବଦ୍ଧ ହୋଇଥିବା କାର୍ଗିଲ ଯୁଦ୍ଧ ଅଙ୍ଗେ ନିଭାଇ ଥିବା ଯବାନ ପ୍ରଭାତ ପାଣିଗ୍ରାହୀ,୩୦ ବର୍ଷ ଧରି ଭାରତୀୟ ସେନାରେ ନିଜ ଜୀବନକୁ ବାଜୀ ଲଗାଇ ଦେଶ ସେବା କରି ଅବସର ପ୍ରାପ୍ତ ସେନା ବୃନ୍ଦାବନ ଜେନା, ୨୦ ବର୍ଷ ଧରି ଦେଶ ସେବା କରିଥିବା ଭାରତୀୟ ଅବସରପ୍ରାପ୍ତ ସେନା ଗଙ୍ଗାଧର ପଟ୍ଟନାୟକଙ୍କୁ ମଞ୍ଚାସିନ ଅତିଥିଙ୍କ ଦ୍ୱାରା ପୁଷ୍ପଗୁଚ୍ଛ, ଉପଢୌକନ ଓ ସମ୍ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ଏଥି ସହ ଦୁଇଟି ଲେଖାଏଁ ଚାରା ପ୍ରଦାନ କରାଯାଇଥିଲା l ଏହି ଅବସରରେ କୁନ୍ଦୁରା ସାମ୍ବାଦିକ ସଙ୍ଘର ଆଇନ ପରାମର୍ଶଦାତା ଆଇନଜୀବୀ କିଶୋର ମିଶ୍ର, କାଁହୁ ଚରଣ ନାୟକ ଏବଂ ସଙ୍ଘର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପଟ୍ଟନାୟକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ଆଜିର ଏହି କାର୍ଯ୍ୟକ୍ରମରେ କୁନ୍ଦୁରା ବ୍ଲକର ସରକାରୀ ବିଭାଗୀୟ ମୁଖ୍ୟ, ସରପଞ୍ଚ, ସମିତି ସଭ୍ଯ ସଭ୍ଯା, ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ, ସ୍ଥାନୀୟ ବିଭିନ୍ନ କୂଳ ସାମାଜର ମୁଖିଆ, ସ୍ଥାନୀୟ ଲୋକ ସଂଗଠନର ମୁଖ୍ୟ ,ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ l ଉପ ସଭାପତି ଏନ୍ ସନ୍ତୋଷ କୁମାର ଧନ୍ୟବାଦ ଅର୍ପଣ କରିଥିଲେ l ସଂଘର ସହ ସମ୍ପାଦକ ସୁରେନ୍ଦ୍ର ସଗରିଆ କାର୍ଯ୍ୟକ୍ରମ ଓ ମଞ୍ଚ ପରିଚାଳନା କରିଥିଲେ l ସଂଘ ସଦସ୍ୟ ତଥା ସାମ୍ବାଦିକ ନିରଞ୍ଜନ ପାଣି, ରାମ ପ୍ରସାଦ ନାୟକ,ବୀର କିଶୋର ଶର୍ମା, ସୁରେନ୍ଦ୍ର ପ୍ରହରାଜ, ଶ୍ରୀରାମ ହରିଜନ,ମହେଶ ମଲ୍ଲିକ,ଶଙ୍କର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l