May 13, 2025

ରାସ୍ତା ସଫାକାରୀ ଯନ୍ତ୍ରର ଯନ୍ତ୍ରାଂଶ ଖତ ଖାଉଛି ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ଜୋର ଧରିଲା ..

Share

କୋରାପୁଟ—କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର ଓ ସୁନାବେଡା ମ୍ୟୁନସିପାଲଟି ଏବଂ କୋଟପାଡ଼ ଏନଏସି ପାଇଁ ୨୦୨୧ ମସିହାରେ ରାସ୍ତା ସଫାକାରୀ ଯନ୍ତ୍ର କ୍ରୟ କରାଯାଇଥିଲା । ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରୁ କ୍ରୟ କରାଯାଇଥିଲା।ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ମେସିନ କ୍ରୟ କରାଯାଇଥିଲା ।କିନ୍ତୁ ମେସିନ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ିରହିଛି। ଏହି ଯନ୍ତ୍ର କୁ ପୂର୍ବତନ ବିଧାୟକ ରଘୁରାମ ପଡ଼ାଲଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା। ଉଦଘାଟନ ପରେ ପରେ ମେସିନଟି ଅଚଳ ଅବସ୍ଥାରେ ଟାଉନ ହଲରେ ପଡି ରହି ଖତ ଖାଉଛି। ୩ ବର୍ଷରୁ ଉର୍ଦ୍ଧ୍ବ ହେବ ମେସିନଟି ପଡ଼ି ରହିବାରୁ ଏହାର ଯନ୍ତ୍ରାଂଶ ଗୁଡ଼ିକ ନଷ୍ଟ ହେବାକୁ ବସିଲାଣି ।କୋରାପୁଟ ଜିଲ୍ଲା ପାଇଁ ଉକ୍ତ ମେସିନର ଆବଶ୍ୟକତା ନ ଥିଲା ।ତଥାପି କାହିଁକି କ୍ରୟ କରାଗଲା ବୋଲି ସମାଜସେବୀ ଅଜିତ ପାତ୍ର ପ୍ରଶ୍ନ କରିଛନ୍ତି । ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ରାସ୍ତା ସଫା କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଝାଡୁଦାର ନିୟୋଜିତ ହୋଇଛନ୍ତି।ତଥାପି କାହା ଚାପରେ ମେସିନ କ୍ରୟ କରାଗଲା ବୋଲି ସମାଜସେବୀ ତଥା ଆଇନଜୀବୀ ରୂପକ ତୁରୁକ ପ୍ରଶ୍ନ କରିଛନ୍ତି। କୋରାପୁଟ ସହରରେ ଭଲ ରାସ୍ତାଟିଏ ନାହିଁ,ମେସିନ କଣ ପାଇଁ ଆଣିଥିଲେ ବୋଲି ସେ କହିଛନ୍ତି।ସରକାରୀ ବାବୁ ମାନେ ଲକ୍ଷ ଲକ୍ଷ ଟଙ୍କା ଅଜଥା ଖର୍ଚ୍ଚ କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିବା ସହ ଘୋର ନିନ୍ଦା କରିଛନ୍ତି।ଏଭଳି ବାଟମାରଣା ରୋକିବା ପାଇଁ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି।ଯଦି ଭିଜିଲାନ୍ସ ତଦନ୍ତ କରିବେ ନାହିଁ ତେବେ ଯେଉଁ ଅଧିକାରୀ ଓ କର୍ମଚାରୀ ମାନେ ଏଥିରେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ରାଜରାସ୍ତାରେ ସ୍ବର ଉଠିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେହିପରି ଜୟପୂର ପୌରପାଳିକାରେ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠି ପକ୍ଷରୁ ୨୦୨୧ ମସିହାରେ ୨୯ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ସଫାକାରୀ ଯନ୍ତ୍ର କ୍ରୟ କରାଯାଇଥିଲା। କିନ୍ତୁ କାର୍ଯ୍ୟକାରୀ ହେବାର ୭ ଦିନ ପରେ କୌଣସି ଏକ କାରଣରୁ ବ୍ୟବହାର ଉପଯୋଗୀ ନହୋଇ ପୌର କାର୍ଯ୍ୟାଳୟ ପରିସର ରେ ଖତ ଖାଇ ପଡ଼ିଛି। ଏପରି ଜୟପୂର ପୌର ପରିଷଦରେ ସ୍ୱଚ୍ଛତା ନାମରେ ଅନେକ ଅର୍ଥ ଖର୍ଚ୍ଚ କରାଯାଉଛି କିନ୍ତୁ ଦୁର ଦୃଷ୍ଟିର ଅଭାବ ଯୋଗୁଁ ସରକାରଙ୍କ ଅର୍ଥ ରାଶିକୁ ଅନର୍ଥ କରାଯାଉଛି। ଯଦି ଏପରି ମେସିନ୍ ସର୍ବ ସାଧାରଣଙ୍କ କାର୍ଯ୍ୟ ରେ ଆସିବ ନାହିଁ ତେବେ କାହା ସ୍ୱାର୍ଥରେ ଏହା କିଣା ଯାଇଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି, ଏବଂ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣ ଦାବି ହେଉଛି।

କୋରାପୁଟ ଜିଲ୍ଲା ପ୍ରତିନିଧି
ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed