September 26, 2026

୩ଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷାଦାନ ! ଶ୍ରେଣୀ ଗୃହ ଅଭାବ

IMG-20250108-WA0005
Share

କୋଲନରା : (ସଞ୍ଜୀବ କଣ୍ଡାଗରୀ ): ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ର ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ଦାନ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ଶିକ୍ଷା ବ୍ୟବସ୍ଥା ରେ ଅଧୁରା ରହୁଥିବା ଦେଖିବାକୁ ମିଳୁଛି। ରାୟଗଡା ଜିଲ୍ଲା କୋଲନରା ବ୍ଲକ ରେଖାପଦର ଗ୍ରାମ ପଞ୍ଚାୟତର ପାଣ୍ଡରତୋଳା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩ଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି | ବାରମ୍ବାର ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କ ଅବଗତ କରିଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିବା କୁହାଯାଇଛି | ସୂଚନା ଅନୁଯାୟୀ, ପାଣ୍ଡରତୋଳା ଗ୍ରାମର ଏହି ବିଦ୍ୟାଳୟ ଭାରତ ସ୍ୱାଧୀନ ହେବାର ତିନି ବର୍ଷ ପରେ ୧୯୫୦ ମସିହାରେ ସ୍ଥାପିତ ହୋଇ ଆଜକୁ ଦୀର୍ଘ ୭୪ ବର୍ଷର ଏହି ବିଦ୍ୟାଳୟରେ ଆଖି ଦୃଶିଆ କୌଣସି ଉନ୍ନତି ଏ ପର୍ଯ୍ୟନ୍ତ ହୋଇପାରି ନାହିଁ | ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୮ ଜଣ, ଦ୍ଵିତୀୟ ଶ୍ରେଣୀରେ ୧୦, ତୃତୀୟରେ ୫, ଚତୁର୍ଥରେ ୧୩, ପଞ୍ଚମରେ ୧୧, ଷଷ୍ଠରେ ୭, ସପ୍ତମରେ ୯ ଓ ଅଷ୍ଟମ ଶ୍ରେଣୀରେ ୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି | ଉକ୍ତ ବିଦ୍ୟାଳୟରେ ଗୋଟିଏ ପରିତ୍ୟକ୍ତ କାମଚଳା କାର୍ଯ୍ୟାଳୟ ମିଶାଇ ୩ଟି ଅତିରିକ୍ତ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଅଧ୍ୟୟନରତ |କେତେ ବେଳେ କେତେବେଳେ ବିଦ୍ୟାଳୟ ର ପାଚେରୀ ନ ଥିବା ଯୋଗୁଁ ଜଙ୍ଗଲି ସରୀସୃପ ମଧ୍ୟ ବିଦ୍ୟାଳୟ ଭିତରକୁ ପଶିଆସୁ ଥିବା ଅବିଭାଵକ ମାନେ କହିଛନ୍ତି ।ନିହାତି ପାଚେରୀ ର ଆବଶ୍ୟକ ନିର୍ମାଣ କରାଗଲେ ସରୀସୃପ ମାନଙ୍କ କବଳରୁ ଛାତ୍ର ଛାତ୍ରୀ ମାନେ ରକ୍ଷା ପାଇପାରିବେ। ଯେଉଁ କଠୋରୀରେ ବିଦ୍ୟାଳୟ କାର୍ଯ୍ୟାଳୟ ରହିଛି ବର୍ଷା ଦିନରେ ପାଣି ଗଳିବା ଦ୍ଵାରା ବିଦ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓଦା ହୋଇ ନଷ୍ଟ ହେଉଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କହିଛନ୍ତି । ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ଶବର ବହୁବାର ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ | ଉକ୍ତ ବିଦ୍ୟାଳୟରେ ଥିବା ୩ଟି ଶ୍ରେଣୀ ଗୃହ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଅନ୍ୟ ୩ଟି ଶ୍ରେଣୀ ଗୃହରେ ଶିକ୍ଷାଦାନ ଚାଲିଛି | ସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ଓ ଉଜ୍ଜଳ ଭବିଷ୍ୟତ ଗଠନ କରୁଥିବା ବେଳେ ମାଳ ଅଞ୍ଚଳରେ ତାହା କାର୍ଯ୍ୟକାରୀ ହୋଇପାରୁ ନ ଥିବା ଏଥିରୁ ଅନୁମେୟ | ଉକ୍ତ ବିଦ୍ୟାଳୟରେ ଗୋଟିଏ ଭଲ ରୋଷେଇ ଗୃହ ମଧ୍ୟ ନାହିଁ | ଯେଉଁ ଗୃହରେ ରୋଷେଇ ହେଉଛି କେତେବେଳେ ଯେ ତାହା କାହା ଉପରେ ଭୁଶୁଡ଼ି ପଡ଼ିବ କିଛି କହିହେବ ନାହିଁ | କେବଳ ସେତିକି ନୁହେଁ ଉକ୍ତ ବିଦ୍ୟାଳୟର ଚାରି ପଟେ ପାଚେରୀ ମଧ୍ୟ ନ ଥିବା ହେତୁ ପ୍ରତ୍ୟେକ ଦିନ ବିଦ୍ୟାଳୟ ଭିତରକୁ ଗାଈଗୋରୁ, କୁକୁର ସହ ଅନ୍ୟ ଜୀବଜନ୍ତୁ ଭିତରକୁ ପଶି ଯାଉଛନ୍ତି ବୋଲି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଶବର କହିଥିଲେ | ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ଜଣେ ସହକାରୀ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ରହିଛନ୍ତି | କିନ୍ତୁ ବିଦ୍ୟାଳୟର ଭିତ୍ତିଭୂମିର ଅଭାବ ଯୋଗୁଁ ଶିକ୍ଷାଦାନରେ ବାଧା ପ୍ରାପ୍ତ ହେଉଥିବା ସେ କହିଛନ୍ତି | ଯଦି ବିଦ୍ୟାଳୟ ପାଇଁ ୩ଟି ଅତିରିକ୍ତ ଶ୍ରେଣୀ ଗୃହ ସହ ଆଉ ଜଣେ ଶିକ୍ଷକଙ୍କୁ ଏହି ବିଦ୍ୟାଳୟରେ ନିଯୁକ୍ତି ଦିଆଯାଏ ତାହେଲେ ବିଦ୍ୟାଳୟ ପାଇଁ ଭଲ ରହିବ ଏବଂ ଶିକ୍ଷାଦାନ କରିବାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ଶ୍ରୀ ଶବର କହିଥିଲେ | ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଉକ୍ତ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ, ଶିକ୍ଷକ ନିଯୁକ୍ତି ସହ ବିଦ୍ୟାଳୟର ଉନ୍ନତି ଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ଅଭିଭାବକ ମାନେ ଦାବି କରିଛନ୍ତି |

You may have missed