September 26, 2026

ବୁଗୁଡ଼ା ବ୍ଲକରେ ବାଟ ହୁଡିଛି ବିକାଶ , ଗୋଲିଆଠୁ ତାଳସର ରାସ୍ତାର ଅବସ୍ଥା ଶୋଚନୀୟ , ତେଜୁଛି ଜନ ଅସନ୍ତୋଷ, ପ୍ରତିକାର ଦାବି 

IMG-20250104-WA0023
Share

 

ବୁଗୁଡ଼ା : ତା ୦୪/୦୧/୨୫ : ଦେଶ ସ୍ବାଧୀନତାର ଦୀର୍ଘ ୭୭ ବର୍ଷ ବିତିଯାଇଥିଲେ ବି ନିଜ ଗାଁକୁ ଭଲ ରାସ୍ତାଟିଏ ଲୋକେ ପାଇପାରି ନାହାନ୍ତି । ଖରା ଓ ଶୀତ ଦିନରେ ଖାଲ ଢେପରେ ପଡି ଲୋକେ ଗାଁକୁ ଯାଉଥିବା ବେଳେ ବର୍ଷା ଦିନେ ଯମ ଯନ୍ତ୍ରଣା ଭୋଗୁଛନ୍ତି । ସ୍ଥାନୀୟ ପ୍ରଶାସନର ଉଦାସୀନତା ଓ ନେତାଙ୍କ ଅପାରଗତା ଯୋଗୁଁ ତିନି ଖଣ୍ଡ ଗାଁର ଲୋକେ ଦୁର୍ଦ୍ଦଶା ଭୋଗିଆସୁଛନ୍ତି । ଏଭଳି ଅତ୍ଯନ୍ତ ଶୋଚନୀୟ ଅବସ୍ଥାରେ ରହିଥିବା ରାସ୍ତାର ଦୃଶ୍ୟ ବୁଗୁଡା ବ୍ଲକ ଉପାଧ୍ୟକ୍ଷଙ୍କ ନିଜସ୍ବ ଗୋଲିଆ ପଞ୍ଚାୟତରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ଗୋଲିଆ ଗ୍ରାମ ଉପକଣ୍ଠସ୍ଥ କୋଇଲୁଣ୍ଡି ଛକଠାରୁ ମରେଇପଲ୍ଲୀ ଓ ଡାହାଣୀପଲ୍ଲୀ ଗାଁ ଦେଇ ତାଳସର ଗ୍ରାମକୁ ଯାଇଥିବା ରାସ୍ତାର ଅବସ୍ଥା ଦୟନୀୟ ହୋଇପଡିଛି। ଏ ନେଇ ଏହି ତିନିଗୋଟି ଗାଁରେ ଲୋକେ ଅନେକ ଥର ଗୁହାରି କରିଥିଲେ ମଧ୍ୟ ସ୍ଥାନୀୟ ବ୍ଲକ୍ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହେଉଛି। ଗତ ୨୮ ଅଗଷ୍ଟ ୨୦୨୩ ତାରିଖ ଦିନ ଏହି ରାସ୍ତା ଯୋଗୁଁ ହିନସ୍ଥା ହେଉଥିବା ଗ୍ରାମବାସୀମାନେ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରି ରାସ୍ତା ତିଆରି ନକଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ । ବିଡିଓ ବାବୁ ରାସ୍ତା ନିର୍ମାଣର ଆଶ୍ବାସନା ଦେଇ ଲୋକଙ୍କୁ ଫେରାଇ ଦେଇଥିଲେ ଏବଂ ପରବର୍ତ୍ତୀ ନିର୍ବାଚନ ସମୟରେ ନେତାଗଣଙ୍କ ମିଥ୍ଯା ପ୍ରତିଶ୍ରୁତିରେ ଭଳିଯାଇ ଲୋକେ ଭୋଟ ମଧ୍ୟ ଦେଇଥିଲେ । ଭୋଟ ସରିଯାଇ ସରକାର ବଦଳି ଯାଇଥିଲେ ସୁଦ୍ଧା ସେହି କଦର୍ଯ୍ୟ ରାସ୍ତାର ଅବସ୍ଥା ବଦଳିଲା ନାହିଁ କି ଗାଁ ଲୋକଙ୍କ ଦୁର୍ଦ୍ଦଶା ଦୂର ହେଲାନାହିଁ। ବର୍ଷା କାଳରେ ସେହି ପାଣିଭରା ଖାଲଖମା ରାସ୍ତାରେ ଯାନବାହାନ ଚଳାଚଳ କଷ୍ଟକର ହେଉଥିବା ବେଳେ ଗୋଲିଆ ଗ୍ରାମସ୍ଥ ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ପଢୁଥିବା ଛାତ୍ରଛାତ୍ରୀ ଏବଂ ଭତ୍ତା ଓ ରାସନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାଆସିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ଅନ୍ଯପକ୍ଷରେ ବିପଦ ସମୟରେ ଆମ୍ବୁଲାନ୍ସ ମରେଇପଲ୍ଲୀ ଗାଁ ପାଖକୁ ଯାଇପାରୁଥିବା ବେଳେ ଅନ୍ୟ ଦୁଇ ଗାଁକୁ ଯାଇ ନପାରି ବାଟରେ ଅଟକି ଯାଉଥିବାରୁ ଲୋକେ ରୋଗୀକୁ ଆମ୍ବୁଲାନ୍ସ ପାଖକୁ ଆଣିବାକୁ ପଡୁଛି। ଏ ନେଇ ଲୋକଙ୍କ ବାରମ୍ବାର ଅଭିଯୋଗକୁ ହେୟଜ୍ଞାନ ମନେକରି ସ୍ଥାନୀୟ ବ୍ଲକ ପ୍ରଶାସନ ଏବଂ ଜନପ୍ରତିନିଧିଗଣ ଅଣଦେଖା କରୁଥିବାରୁ ଜିଲ୍ଲା ଓ ରାଜ୍ୟ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରତିକାର କରିବା ପାଇଁ ଦୃଢ ଦାବି ହେଉଛି।

You may have missed