ଫସଲ କ୍ଷତିପୂରଣ ଦାବିରେ ଏଆଇକେଏମଏସ୍ ପକ୍ଷରୁ ସୋରଡା ତହସିଲ ଅଫିସ୍ ଘେରାଉ
ଫସଲ କ୍ଷତିପୂରଣ ଓ ଅନ୍ୟାନ୍ୟ ଦାବି ନେଇ ଆଜି ଅଖିଳ ଭାରତ କିଶାନ୍ ମଜଦୂର ସଭା (ଏଆଇକେଏମଏସ୍) ପକ୍ଷରୁ ସୋରଡା ତହସିଲ ଅଫିସକୁ ଘେରାଉ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ନିକଟରେ ହୋଇଥିବା ଅଦିନିଆ ବର୍ଷା ଫଳରେ ଗଞ୍ଜାମ ଜିଲ୍ଲା ସମେତ ସମଗ୍ର ରାଜ୍ୟର ଚାଷୀମାନଙ୍କ ବ୍ୟାପକହାନୀ ହୋଇଛି । ଏହି ପରିପ୍ରେକ୍ଷୀରେ ସରକାର ଚାଷୀଙ୍କ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ କରି କ୍ଷତିପୂରଣ ପ୍ରଦାନ କରିବା, ଫସଲ କ୍ଷୟକ୍ଷତିର ଶିକାର ଭାଗ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ମଧ୍ୟ କ୍ଷତିପୂରଣ ରାଶି ପ୍ରଦାନ କରିବା, ଧାନ ଫସଲ ପାଇଁ ଏକର ପିଛା ୨୫ ହଜାର ଟଙ୍କା କ୍ଷତିପୂରଣ ଓ ପନିପରିବା ତଥା ଅନ୍ୟାନ୍ୟ ଫସଲର କ୍ଷୟକ୍ଷତି ପାଇଁ ଏକର ପିଛା ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା, ଆଗାମୀ ରବି ଫସଲ ପାଇଁ ଚାଷୀଙ୍କୁ ମାଗଣାରେ ମୁଗ, ବିରି, ଚିନାବାଦାମ ଆଦିର ବିହନ ବଣ୍ଟନ, ସବୁ ଚାଷୀଙ୍କ ଋଣଛାଡ଼, ଜଙ୍ଗଲ ଜମିରେ ହୋଇଥିବା ଫସଲ କ୍ଷୟକ୍ଷତି ପାଇଁ ଆଦିବାସୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଆଦି ଦାବିରେ ଏହି ଘେରାଉ ହୋଇଥିଲା । ଆଜି ପୂର୍ବାହ୍ନରେ ସ୍ଥାନୀୟ ପଞ୍ଚାନନ ମନ୍ଦିର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଶେଷରେ ତହସିଲ ଅଫିସ ସାମନାରେ ପହଞ୍ଚିଥିଲା । ଏଆଇକେଏମଏସର ବ୍ଲକ ସଭାପତି କାଳୀଚରଣ ନାୟକ ଓ ସମ୍ପାଦକ ସଂଗ୍ରାମ ନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି ଶୋଭାଯାତ୍ରାରେ ବ୍ଳକର ବିଭିନ୍ନ ଗାଁରୁ ଶହ ଶହ ଚାଷୀ ମୂଲିଆ ଓ ଭାଗଚାଷୀ ଯୋଗ ଦେଇଥିଲେ । ଶୋଭାଯାତ୍ରା ତହସିଲ ଅଫିସ ସାମନାରେ ପହଞ୍ଚିବା ପରେ ସେଠାରେ କାଳୀଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଖିଳ ଭାରତ କିଶାନ୍ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷକ ବିରୋଧି ନୀତିର ଅବତାରଣା କରିବା ସହ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଚିହ୍ନଟ କରି ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ନକଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଘୋଷଣା କରିଥିଲେ । ରାଜ୍ୟର ଅର୍ଦ୍ଧାଧିକ ଚାଷୀ ଭାଗଚାଷୀ ହୋଇଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ କ୍ଷତିପୂରଣ ଦେବାକୁ ସ୍ପଷ୍ଟ ଭାବେ ଘୋଷଣା ନକରିବା ସେମାନଙ୍କ ଚାଷୀ ବିରୋଧି ନୀତିକୁ ଉଜାଗର କରୁଛି ବୋଲି କହିଥିଲେ । ଘେରାଉରେ ଯୋଗ ଦେଇ ଏଆଇକେଏମଏସର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଆସୁଥିବା ମୁଗ, ବିରି ଚିନାବାଦାମ ଆଦି ବିହନକୁ ଚାଷୀଙ୍କୁ ଦେବା ବଦଳରେ ଦଲାଲ ଜରିଆରେ ବାଟମାରଣା କରାଯାଉଛି ବୋଲି ଅଭିଯୋଗ କରିଥିଲେ । ଏହା ସହ ଘରୋଇ କମ୍ପାନୀମାନଙ୍କୁ ପାଣି ଯୋଗାଇବାକୁ ସରକାର ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ଡ୍ୟାମ୍ ନିର୍ମାଣ କରିବାକୁ ଯେଉଁ ଉଦ୍ୟମ କରୁଛନ୍ତି ତାକୁ ବିରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ବ୍ଳକ୍ ସମ୍ପାଦକ ସଂଗ୍ରାମ ନାୟକ, ବ୍ଳକ୍ କମିଟି ସଭ୍ୟ ସଞ୍ଜୟ ନାୟକ, ପଞ୍ଚୁ ଗମାଙ୍ଗ, ଯୁବନେତା ଲକ୍ଷ୍ମୀ ନୃସିଂହ ରଥ, ଦୟାନିଧି ଗୌଡ଼ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।