April 20, 2025

ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ ବନ୍ଦ ଡାକରା..

Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ):ଆଜି ଭବାନୀପାଟଣା ବିଧାୟକ ଶ୍ରୀ ସାଗର ଚରଣ ଦାସଙ୍କ ଆହ୍ୱାନରେ ସଂପୂର୍ଣ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ବନ୍ଦ ଦିଆଯାଇଛି। ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହେବା ଯୋଗୁଁ ଧାନ ଗୁଡିକ କିଛି ପରିମାଣରେ ଓଦା ହୋଇ ନଷ୍ଟ ହୋଇଯାଇଛି ଏବଂ ବଳକା ଧାନକୁ ନେଇ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି। ଜିଲ୍ଲାରେ ମିଲର ମାନଙ୍କ ମନମୁଖୀ ମନୋଭାବ ଏବଂ ଦଲାଲ ମାନଙ୍କ ଦୌରାତ୍ମ୍ୟ ଏବେ ଚାଷୀ ମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ବର୍ତ୍ତମାନ ଜିଲ୍ଲାର ଧାନ ମଣ୍ଡି ଗୁଡିକରେ ଧାନର ଧାର୍ଯ୍ୟ ମୂଲ୍ୟ ଠାରୁ କମ ମୂଲ୍ୟରେ ଧାନ କିଣା ଚାଲିଛି। ମିଲର ମାନେ ଚାଷୀଙ୍କ ଠାରୁ ବସ୍ତା ପିଛା,ପ୍ଲାଷ୍ଟିକ ବସ୍ତାରେ ପାଞ୍ଚ କେ.ଜି. ଓ ଅଖା ବସ୍ତାରେ ଛଅ କେ.ଜି. ହିସାବରେ ସିଧାସଳଖ କାଟୁଛନ୍ତି। ଯଦି ଚାଷୀ ଏହି କାଟ ଛାଟକୁ ନେଇ କିଛି କହେ,ସେତେବେଳେ ମିଲର ମାନେ ଧାନର ମାନ ବିଶ୍ଳେଷଣ ବାହାନାରେ ଚଉଦରୁ ପନ୍ଦର କେ.ଜି. ଧାନ କାଟିଦେଉଛନ୍ତି। ଏଥିରେ ଚାଷୀମାନେ ବାଧ୍ୟ ହୋଇ କମ ମୂଲ୍ୟରେ ଧାନ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି। ତେଣୁ ଏହି ସବୁ କାଟ ଛାଟ ଆଦିକୁ ବନ୍ଦ କରି ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ପ୍ରଦାନ ଦାବିରେ ସଦର ବିଧାୟକ ଶ୍ରୀ ସାଗର ଚରଣ ଦାସ ଚାଷୀଭାଇ ମାନଙ୍କୁ ଏକଜୁଟ ହେବା ପାଇଁ ଏବଂ ଚାଷୀଙ୍କ ହକ ପ୍ରଦାନ ପାଇଁ ଯେଉଁ ବନ୍ଦ ଡାକରା ଦିଆଯାଇଛି ତାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ବନ୍ଦ ଡାକରା ଯୋଗୁଁ ଭବାନୀପାଟଣା ସହର ସହ ସଦର ନିର୍ବାଚନ ମଣ୍ଡଳୀର ସମସ୍ତ ଅଂଚଳର ଦୋକାନ ବଜାର ସଂପୂର୍ଣ ବନ୍ଦ ରହିବା ସହ ସମସ୍ତ ଯାନ ବାହାନ ଚଳାଚଳ ବନ୍ଦ ରହିଛି।