September 29, 2024

ଛେଳିଗଡ ବିସ୍ଥାପିତ କଲୋନୀ ଜିଲ୍ଲା ପ୍ରଶାସନ ସହ ପରିଦର୍ଶନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର ..

Share


ଗଜପତି ଜିଲ୍ଲା ଅନ୍ତର୍ଗତ ଛେଳିଗଡ ଜଳସେଚନ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଦୀର୍ଘ ୧୦ ବର୍ଷ ହେଲା ବିସ୍ଥାପିତ କଲୋନୀ ରେ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର, ପାନୀୟଜଳ ସମସ୍ୟା ଭଳି ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ। ସେମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ ଏହି କଲୋନୀରେ ଥଇଥାନ କରାଯାଇଥିଲା ସେହି ପ୍ରତିଶ୍ରୁତି ପ୍ରଶାସନ କିମ୍ବା ସରକାର ପାଳନ କିଛି ମାତ୍ରାରେ ସମ୍ପୂର୍ଣ ହୋଇନାହିଁ ବର୍ତ୍ତମାନ ସୁଦ୍ଧା। ବିସ୍ଥାପିତ ପରିବାରଙ୍କୁ ଯେଉଁ ପ୍ୟାକେଜ ମିଳିବା କଥା ତାହା ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପ୍ରଦାନ କରାଯାଇନଥିବା ପ୍ରକାଶ କରିଛନ୍ତି ବିସ୍ଥାପିତ କଲୋନୀ ରେ ଥିବା ପରିବାର। ଯେଉଁ ଜମିରେ ସେମାନଙ୍କ ପାଇଁ ଘର ନିର୍ମାଣ କରାଯାଇଛି ତାହାର ପଟ୍ଟା ମଧ୍ୟ ଦିଆଯାଇନାହିଁ। ରାସନ କାର୍ଡ ସାମଗ୍ରୀ ଓ ଭତ୍ତା ଟଙ୍କା ପାଇଁ ସେମାନେ ଗଜପତି ଆର.ଉଦୟଗିରି ବ୍ଲକକୁ ଦୀର୍ଘ ୪୦କିଲୋମିଟର ଯିବାକୁ ପଡୁଛି। ଏଭଳି ସ୍ଥିତିରେ ମଧ୍ୟ ସେମାନେ ପ୍ରଶାସନ ଉପରେ ଭରସା କରି ରହିଛନ୍ତି। ସୋମବାର ଦିଗପହଣ୍ଡି ନବ ନିର୍ବାଚିତ ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦିନିକିଆ ଛେଳିଗଡ ଜଳ ସେଚନ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ବ୍ୟକ୍ତି ଙ୍କ ସହ ଆଲୋଚନା ସହ ବିସ୍ଥାପିତ କଲୋନୀ ଗସ୍ତ କରି ବିଭିନ୍ନ ଅଭିଯୋଗ ଶୁଣି ଥିଲେ। ସେମାନଙ୍କ ଅଭିଯୋଗ ଶୁଣି ଦୁଃଖ ପ୍ରକାଶ କରିଛନ୍ତି ବିଧାୟକ ସିଦ୍ଧାନ୍ତ ମହାପାତ୍ର। କେବଳ ୪୧୧ ଏକର ରୁ ଉର୍ଦ୍ଧ୍ବ ଜମି ବିସ୍ଥାପିତ ମାନଙ୍କୁ ପ୍ରଦାନ କରାଯାଇଛି। ସେହି ସ୍ଥାନକୁ ଅକ୍ତିଆର କରି ଦିଗପହଣ୍ଡି ତହସିଲ ଗଡ ସାମନ୍ତରାପପୁର ଗ୍ରାମ ବାସୀ ଚାଷ କାର୍ଯ୍ୟ କରୁଥିଲେ ଏବଂ ସରକାରଙ୍କୁ ଖଜଣା ମଧ୍ୟ ଦେଉଥିଲେ। ଛେଳିଗଡ ବିସ୍ଥାପିତଙ୍କ ପାଇଁ ସେହି ଜମିରେ କଲୋନୀ ନିର୍ମାଣ ପାଇଁ ଯେଉଁ କଥା ଉଠିଲା ସେତେବେଳେ ପ୍ରଶାସନ ଗଡ ସାମନ୍ତରାପୂରଗ୍ରାମବାସୀଙ୍କ ପକ୍ଷେ ଏକ ସର୍ତ୍ତ ରଖିଥିଲା। ସେହି ଜମି ଛାଡିଲେ ତାହା ବଦଳରେ ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ପାଳନ କରାଯାଉନଥିବା ଯୋଗୁଁ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏଭଳି ବିବାଦୀୟ ଅଭିଯୋଗ ଶୁଣିବା ପରେ ବିଧାୟକ ସିଦ୍ଧାନ୍ତ ମହାପାତ୍ର ସାତ ଦିନ ମଧ୍ୟରେ ବିସ୍ଥାପିତ ମାନଙ୍କୁ ଜମି ପଟ୍ଟା ଯୋଗାଇଦେବା ନିମନ୍ତେ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରଯ୍ୟାୟ କ୍ରମେ ବିସ୍ଥାପିତ ମାନଙ୍କୁ ମୌଳିକ ସୁବିଧା ଓ ଗଡ ସାମନ୍ତରାପୁର ଗ୍ରାମ ବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ଆପୋଷ ଆଲୋଚନା କରି ଏହାର ସମାଧାନ ଦିଗରେ ଉଦ୍ୟମ ଜାରି ରଖିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଦିଗପହଣ୍ଡି ବିଧାୟକ ଶ୍ରୀ ମହାପାତ୍ର ବ୍ଲକରେ ଅଞ୍ଚଳରେ ଥିବା ବାବୁଲି ବନ୍ଧ, ବାଲିପାଟ, ଚାକୁଣ୍ଡାପଲ୍ଲୀ ଓ ଗଡ ସାମନ୍ତରାପୁର ଏହି ଚାରି ଗୋଟି ବିସ୍ଥାପିତ କଲୋନୀ ବୁଲି ଦେଖିଥିଲେ। ବିଧାୟକଙ୍କ ଗସ୍ତ ସମୟରେ ଗଜପତି ଜିଲ୍ଲାପଳସ୍ମୃତି ରଞ୍ଜନ ପ୍ରଧାନ, ବଂଶଧାରା ନାଗାବଳୀ ଜଳ ସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା, ଦିଗପହଣ୍ଡି ତହସିଲଦାର ଅନିତା କୁମାରୀ ସାହୁ, ଛେଳିଗଡ ଜଳ ସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ଈଂ. ଧୀରେନ୍ଦ୍ର କୁମାର ଜଗତ, ଛେଳିଗଡ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ଦେବାଶିଷ ନାୟକ, ଘୋଡାହାଡ ଉପଖଣ୍ଡ ପ୍ରକଳ୍ପ ସହକାରୀ ନିର୍ବାହୀ ଯନ୍ତ୍ରୀ ଏ. ଗୋପାଳ ରାଓ ଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହି ଛେଳିଗଡ ଜଳ ସମ୍ପ୍ରସାରଣ ର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନ, କେ. ହରିବନ୍ଧୁ ରେଡ୍ଡୀ, ମନୋଜ କୁମାର ସାହୁ, ବାପି ପ୍ରଧାନ ଙ୍କ ସମେତ ବହୁ ଦଳୀୟ କର୍ମୀ ବିସ୍ଥାପିତ କଲୋନୀ ପରିଦର୍ଶନ ସମୟରେ ବିଧାୟକଙ୍କ ସହ ସାମିଲି ଥିଲେ।