March 13, 2026

ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ହେବ ଉଜ୍ଜୀବିତ-ମନ୍ତ୍ରୀ ସୂର୍ଯ୍ୟବଂଶୀ

IMG-20240618-WA0008
Share

      ଭୁବନେଶ୍ବର:(ରାଜାରାମ ଷଡଙ୍ଗୀ):ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ବିଭାଗ ଓଡ଼ିଆ ଅସ୍ମିତାର ସୁରକ୍ଷା ଦିଗରେ ଗୁରୁ ଭୂମିକା ତୁଲାଉଥିବାରୁ ଏହାର କାର୍ଯ୍ୟଧାରା ଓଡିଶାବାସୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଅନୁଭୂତି ଆଣିଦେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।
ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆରେ ନାମ ଫଳକ ଲେଖା ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ଭାଷା କମିଶନ ପ୍ରତିଷ୍ଠା, ସଂସ୍କୃତି ଓ ଐତିହ୍ୟ ନୀତି ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରଣୟନ, ସାହିତ୍ୟ ଏକାଡେମୀର ବାକି ଥିବା ପୁରସ୍କାର ପ୍ରଦାନ ଏବଂ ବିଭିନ୍ନ ଏକାଡେମୀର କାର୍ଯ୍ୟନିର୍ବାହୀ କମିଟି ଗଠନ ନିମନ୍ତେ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସେହିଭଳି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀ ଓ ବର୍ତ୍ତମାନ ଜୀବିତ ଥିବା ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତା ମାନଙ୍କୁ ସହାୟତା ରାଶି ସମୟାନୁଯାୟୀ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେବା ସହ ଏକ ଅସ୍ମିତା ଭବନ ନିର୍ମାଣ ପାଇଁ ମଧ୍ୟ ପଦକ୍ଷେପ ନେବାକୁ କହିଥିଲେ। ସେହିଭଳି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଆସନ୍ତା ଶହେ ଦିନରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଓଡିଆ ପ୍ରାଣରେ ନୂଆଁ ଉଜ୍ଜା ଦେଖାଦେଇଛି।