ବୁଗୁଡ଼ା ଡାକ୍ତରଖାନା ବାରଣ୍ଡାରେ ପଡିରହିଛନ୍ତି ଅପରିଚିତା ବୃଦ୍ଧା, ପ୍ରଶାସନିକ ସହାୟତା ଦାବି…
ବୁଗୁଡ଼ା : ଦୀର୍ଘ ଦିନ ଧରି ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବାରଣ୍ଡାରେ ପଡି ରହିଛନ୍ତି ଜନୈକା ବୃଦ୍ଧା ମହିଳା । ବାଧକ ସାଜିଛି ତାଙ୍କର ପରିଚୟ । ତେବେ, କିଏ ଏହି ମହିଳାଙ୍କୁ ଆଣି ମେଡିକାଲ ବାରଣ୍ଡାରେ ଛାଡିଯାଇଛି ତାହାର କୌଣସି ଖବର ନାହିଁ । କିନ୍ତୁ, ମାନବିକତା ଦେଖାଇ ମେଡିକାଲ କର୍ମଚାରୀମାନେ ଏହି ମହିଳା ଜଣଙ୍କର ସେବା କରୁଥିବା ଦେଖିବାକୁ ମିଳିଛି । ଏପରିକି ମେଡ଼ିକାଲ କର୍ମଚାରୀମାନେ ଏହି ବୃଦ୍ଧା ଜଣଙ୍କର ଖାଦ୍ୟପେୟର ବନ୍ଦୋବସ୍ତ କରୁଛନ୍ତି । ସେ ମହିଳା ଜଣକ ଖାଉଥିଲେ ହେଁ ସ୍ମରଣ ଶକ୍ତି ଅଭାବରୁ ନିଜର ପରିଚୟ ସମ୍ପର୍କରେ କିଛି କହିପାରୁ ନାହାଁନ୍ତି । ଅସ୍ପଷ୍ଟ ସ୍ବରରେ କି ପ୍ରକାର ଭାଷା କହୁଛନ୍ତି ତାହା ବୁଝି ହେଉନାହିଁ । ଏହି ବୃଦ୍ଧା ଜଣକର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେଥିରୁ ପୋକ ବାହାରୁଛି । ଜୀବନ ଯନ୍ତ୍ରଣାରେ ଛଟପଟ ହୋଇ ଏହି ବୃଦ୍ଧା ଜଣକ ମେଡିକାଲ ବାରଣ୍ଡାରେ ସେମିତି ପଡି ରହିଛନ୍ତି । ଯଦି ଏହି ବୃଦ୍ଧା ଜଣକର ପରିଚୟ ମିଳିପାରନ୍ତା , ତେବ ସେ ଚିକିତ୍ସା ସୁବିଧା ପାଇବା ସହ ନିଜର ସ୍ମରଣ ଶକ୍ତି ଫେରି ପାଇପାରନ୍ତେ ବୋଲି କୁହାଯାଉଛି । ଏହି ଘଟଣାକୁ ନେଇ ମେଡିକାଲ ଡାକ୍ତର କହିଛନ୍ତି ଯେ, କୌଣସି ଅଜଣା ଲୋକ ଏହି ବୃଦ୍ଧା ଜଣକୁ ଆଣି ମେଡିକାଲ ବାରଣ୍ଡାରେ ଛାଡି ଚାଲିଯାଇଥିବା ବେଳେ ଆମର କର୍ମଚାରୀମାନେ ତାହାର ଯତ୍ନ ନେଉଛନ୍ତି । ଯଦି ଏହି ବୃଦ୍ଧାଙ୍କର ପରିବାର ଲୋକ କେହି ଆସିଥାନ୍ତେ, ତାହାହେଲେ ବୃଦ୍ଧା ଜଣକ ସଂପୂର୍ଣ୍ଣ ଭାବେ ଭଲ ହୋଇ ପାରନ୍ତେ । ତେବେ ଏ ଦିଗରେ ପ୍ରଶାସନିକ ସହାୟତା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।