ଅର୍ଣ୍ଣବ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ଦେଲା ଛତ୍ରପୁର ର ୟୁରୋ ସ୍କୁଲଜିଲ୍ଲାପାଳଙ୍କୁ ଭେଟି ଚେକ୍ ପ୍ରଦାନ କଲେ ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର
ଛତ୍ରପୁର ତା ୧୪/୧୧/୨୬(ଅରୁଣ କୁମାର ପଣ୍ଡା )ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି ଛତ୍ରପୁରସ୍ଥିତ ୟୁରୋ ସ୍କୁଲ। ଅର୍ଣ୍ଣବ ରିଲିଫ୍ ପାଣ୍ଠିକୁ ସ୍କୁଲ ପକ୍ଷରୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଏକ ମହତ୍ ଉଦାହରଣ ସୃଷ୍ଟି କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।ବନ୍ୟା ବିପର୍ଯ୍ୟୟରେ ପ୍ରଭାବିତ ଜନସାଧାରଣଙ୍କୁ ରିଲିଫ୍ ଓ ଆବଶ୍ୟକୀୟ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଗଠିତ ଅର୍ଣ୍ଣବ ରିଲିଫ୍ ପାଣ୍ଠିକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ, ପୋଲିସ ବିଭାଗ, ସାମ୍ବାଦିକ ସଂଘ ସମେତ ବିଭିନ୍ନ ସଂସ୍ଥା ଓ ସଂଗଠନ ସ୍ୱେଚ୍ଛାକୃତ ଭାବେ ଆର୍ଥିକ ସହଯୋଗ ପ୍ରଦାନ କରୁଛନ୍ତି। ଏହି ମହତ୍ ଅଭିଯାନରେ ସାମିଲ ହୋଇ ୟୁରୋ ସ୍କୁଲ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛି। ସ୍କୁଲର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର ପବିତ୍ର ଶିଶୁ ଦିବସ ଅବସର ରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସାକ୍ଷାତ କରି ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଜିଲ୍ଲାର ପ୍ରଥମ ସ୍କୁଲ ଭାବେ ୟୁରୋ ସ୍କୁଲ ଏହି ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି। ବିପତ୍ତି ସମୟରେ ଏଭଳି ସାମାଜିକ ଦାୟିତ୍ୱବୋଧ ଓ ମାନବିକତାପୂର୍ଣ୍ଣ ପଦକ୍ଷେପ ଅନ୍ୟ ଶିକ୍ଷାନୁଷ୍ଠାନ ଓ ସଂଗଠନଗୁଡ଼ିକୁ ମଧ୍ୟ ସହଯୋଗ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି। ଅନ୍ୟପଟେ ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ମହତ ପଦକ୍ଷେପ ଙ୍କୁ ଗଞ୍ଜାମ ଜିଲ୍ଲାପାଳ ପ୍ରଂଶସା କରିବା ସହିତ ଧନ୍ୟବାଦ ଜଣାଇଥିଲେ lଉଲ୍ଲେଖଯୋଗ୍ୟ ଯେ, ୟୁରୋ ସ୍କୁଲ କେବଳ ଗୁଣାତ୍ମକ ଓ ବୈଷୟିକ ଶିକ୍ଷାଦାନରେ ସୀମିତ ନ ରହି ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟକଳାପରେ ମଧ୍ୟ ନିଜର ଯୋଗଦାନ ରଖିଆସିଛି। କରୋନା ମହାମାରୀ ସମୟରେ ସ୍କୁଲ ପକ୍ଷରୁ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ମାସ୍କ ଓ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏଥିସହ ସ୍କୁଲ ଆରମ୍ଭ ହେବାଠାରୁ ଅନେକ ଗରିବ ଓ ଅସହାୟ ପରିବାରର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରି ଶିକ୍ଷା ସହ ସେବା ଓ ସାମାଜିକ ଦାୟିତ୍ୱବୋଧର ଉଦାହରଣ ସୃଷ୍ଟି କରିଆସିଛି। ଏହି ପଦକ୍ଷେପ ମାଧ୍ୟମରେ ବିପନ୍ନଙ୍କ ଦୁଃଖରେ ସାମିଲ ହୋଇ ମାନବିକତାର ପରିଚୟ ଦେଇଛି ୟୁରୋ ସ୍କୁଲ।
