November 15, 2026

ଶିଶୁଙ୍କ ଉପଯୁକ୍ତ ଯତ୍ନ ଓ ସର୍ବାଙ୍ଗୀନ ବିକାଶ ହିଁ ଶ୍ରେଷ୍ଠ ରାଷ୍ଟ୍ର ନିର୍ମାଣର ମୂଳଦୁଆବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ

IMG-20261114-WA0084
Share

ପାଳିତସମ୍ବଲପୁର, ୧୪/୧୧: ଆଜିର ଶିଶୁ ଆସନ୍ତାକାଲିର ନାଗରିକ ଏବଂ ରାଷ୍ଟ୍ରର ଭବିଷ୍ୟତ। ଶିଶୁମାନଙ୍କୁ ଉପଯୁକ୍ତ ଯତ୍ନ, ଉତ୍ତମ ସ୍ୱାସ୍ଥ୍ୟ, ନୈତିକ ମୂଲ୍ୟବୋଧ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଗଢ଼ି ତୋଳିପାରିଲେ ସେମାନେ ଭବିଷ୍ୟତରେ ଏକ ସମୃଦ୍ଧ ଓ ଶ୍ରେଷ୍ଠ ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇପାରିବେ। ଏଥିପାଇଁ ସରକାର, ଶାସନ ଓ ପ୍ରଶାସନ ସମନ୍ୱିତ ଯୋଜନା ପ୍ରସ୍ତୁତ କରିବା ସହ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ଶୋଷଣରୁ ମୁକ୍ତ କରି ସେମାନଙ୍କ ମୌଳିକ ଅଧିକାର ସୁନିଶ୍ଚିତ କରିବା ଆବଶ୍ୟକ। ଏଥିସହ ସମାଜରେ ଜନଜାଗରଣ ଓ ଶିଶୁ ଅଧିକାର ସମ୍ପର୍କିତ ସଚେତନତା ସୃଷ୍ଟି କରିବାରେ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ମୁଖ୍ୟଅତିଥି ସମାଜସେବୀ ତଥା ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ମତବ୍ୟକ୍ତ କରିଛନ୍ତି।ସମ୍ବଲପୁର ବଡ଼ବଜାରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପକ୍ଷରୁ ଶିଶୁ ଦିବସ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ବହିଦାର ଏହି ମତ ରଖିଥିଲେ। ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ସୁଶ୍ରୀ ପରବୀନ୍ ନିଶାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ‘ପଲ୍ଲୀଶ୍ରୀ କଥା’ର ସମ୍ପାଦକ ହରିଶଙ୍କର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ପ୍ରାରମ୍ଭରେ ମଞ୍ଚାସୀନ ଅତିଥିମାନେ ସ୍ୱାମୀ ବିବେକାନନ୍ଦ ଓ ଚାଚା ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ, ଧୂପ ପ୍ରଦାନ ଓ ଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସମ୍ବଲପୁରୀ ଡାଲଖାଇ ନୃତ୍ୟ ପରିବେଷିତ ହୋଇଥିବାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୌତୁକ ପୋଷାକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇଥିବା ସମସ୍ତ ଛାତ୍ରଛାତ୍ରୀ କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା।ଶିକ୍ଷୟିତ୍ରୀ ରୋଶନୀ ମହାପାତ୍ର, ଶୀଲା ମୋଦକ, ଇଶିକା କୌର ଓ ସନ୍ତୋଷିନୀ ସୁନା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିବାବେଳେ ଶିକ୍ଷୟିତ୍ରୀ ରୋଶନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।