ଭକ୍ତିମୟ ପରିବେଶରେ ନାଲକୋ ନଗରରେ ମା’ କାଳୀଙ୍କ ପୂଜା ଉଦ୍ଯାପିତ
ବାଦଦଣ୍ଡ ଓ ଭଜନ ସନ୍ଧ୍ୟାରେ ଜମିଲା ଆସର, ଶୋଭାଯାତ୍ରା ପରେ ମା’ଙ୍କୁ ଦିଆଗଲା ମେଲାଣି
ନାଲକୋ ନଗର: ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହର ମାହୋଲ ମଧ୍ୟରେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ନଗରରେ ଚାରିଦିନ ବ୍ୟାପୀ ମା’ କାଳୀଙ୍କ ପୂଜା ମହୋତ୍ସବ ଶେଷ ହୋଇଛି। ଦୀପାବଳିଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ପୁରୁଣା କୋ-ଅପରେଟିଭ୍ ମାର୍କେଟ ପରିସରରେ ଧାର୍ମିକ ରୀତିନୀତି ସହ ବିଭିନ୍ନ ସାଂସ୍କୃତିକ ଆୟୋଜନ ମାଧ୍ୟମରେ ଧୁମ୍ଧାମରେ ପାଳିତ ହୋଇଥିଲା।
ଉତ୍ସବର ଆକର୍ଷଣ ପାଲଟିଥିଲା ପାରମ୍ପରିକ ବାଦଦଣ୍ଡ ଓ ଭଜନ ସନ୍ଧ୍ୟା। ସୋମବାର ସନ୍ଧ୍ୟାରେ ଆୟୋଜିତ ବାଦଦଣ୍ଡ କାର୍ଯ୍ୟକ୍ରମରେ ଗିରାଙ୍ଗ ଓ ଚନ୍ଦ୍ରବାହାଳର ଦୁଇଟି ଦଳ ନିଜର କଳାକୌଶଳ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ପାରମ୍ପରିକ କଳା ପରିବେଷଣ ଦେଖିବା ପାଇଁ ମାର୍କେଟ ପରିସରରେ ଦର୍ଶକଙ୍କ ଭିଡ଼ ଜମିଥିଲା। କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ପାଇଁ ତାଳଚେର ନକେଇପଶିର ହେମନ୍ତ ଦାସ ଓ ଦିଲ୍ଲୀପ କୁମାର ଦାସ ଏବଂ ଅନୁଗୋଳ କୁମୁରିସିଂହାର ଯୋଗେନ୍ଦ୍ର ବିଶ୍ୱାଳ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।
ସେହିପରି ମଙ୍ଗଳବାର ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ଭାବନାରେ ଭରି ଦେଇଥିଲା। ଭୁବନେଶ୍ୱରରୁ ଆସିଥିବା ‘ଭକ୍ତିପୂର୍ଣ୍ଣ ଭଜନ ସନ୍ଧ୍ୟା’ ଦଳର କଳାକାରମାନେ ମନଛୁଆଁ ଭଜନ ପରିବେଷଣ କରିଥିଲେ। ଭକ୍ତିମୟ ସଙ୍ଗୀତରେ ଉପସ୍ଥିତ ଶ୍ରଦ୍ଧାଳୁ ମନ୍ତ୍ରମୁଗ୍ଧ ହୋଇଥିଲେ।
ନାଲକୋ ଦୁର୍ଗା ଓ କାଳୀ ପୂଜା କମିଟି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରାଯାଇଥିଲା। କମିଟି ସଭାପତି ହିମାଂଶୁ ଶେଖର ପଣ୍ଡା, ଉପସଭାପତି ବାମଦେବ ସେଠ, ନଟବର ମହାନ୍ତି ଓ ନରେଶ ଚନ୍ଦ୍ର ପରିଡ଼ା, ସମ୍ପାଦକ ବିରଞ୍ଚି ନାରାୟଣ ସାମଲ, କୋଷାଧ୍ୟକ୍ଷ ଶୀତେନ୍ଦୁ ମହାରଣା ଏବଂ ସହକୋଷାଧ୍ୟକ୍ଷ ତ୍ରିଲୋଚନ ବିଶ୍ୱାଳଙ୍କ ସମେତ ଅନ୍ୟ ସଦସ୍ୟମାନେ ଆୟୋଜନରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।
ପୂଜା ଆୟୋଜନକୁ ସହଯୋଗ କରିବା ପାଇଁ ରଞ୍ଜିତ କନଷ୍ଟ୍ରକ୍ସନ, ନାଲକୋ ଏବଂ ଓମ୍ ଫିଲିଂ ଷ୍ଟେସନର ମାଲିକଙ୍କ ପକ୍ଷରୁ କମିଟିକୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିଲା।
ବୁଧବାର ସନ୍ଧ୍ୟାରେ ସୁସଜ୍ଜିତ ଆଲୋକମାଳା ଓ ରୋଶଣି ମଧ୍ୟରେ ମା’ କାଳୀଙ୍କୁ ନଗର ପରିକ୍ରମା କରାଯାଇଥିଲା। ପରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ବିସର୍ଜନ କରାଯିବା ସହ ଚାରିଦିନିଆ ପୂଜା ମହୋତ୍ସବର ପରିସମାପ୍ତି ଘଟିଥିଲା।
ଏହି ଉତ୍ସବ ନାଲକୋ ନଗରବାସୀଙ୍କ ମଧ୍ୟରେ ଧାର୍ମିକ ଭାବନା ସହ ସାମାଜିକ ଏକତା, ସହଯୋଗ ଓ ଭାଇଚାରାର ବାର୍ତ୍ତା ବହନ କରିଥିଲା।
