March 12, 2026

ଡିସାଲିନେସନ ପାଣି ପ୍ଲାଣ୍ଟ ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

IMG-20250810-WA0082
Share

 

ଛତ୍ରପୁର : ୧୦.୦୮.୨୫(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଇଆରଇ ପରିସରରେ ରହିଥିବା ଡିସାଲିନେସନ ପ୍ଲାଣ୍ଟର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ଆଇଆରଇରେ ପହଞ୍ଚିବା ପରେ ପ୍ରଥମେ ପ୍ଲାଣ୍ଟର‌ ଶୁଭାରମ୍ଭ କରିଥିଲେ । ପରେ ପ୍ଲାଣ୍ଟ ବୁଲି ଦେଖିଥିଲେ । ଏହାପରେ ପ୍ଲାଣ୍ଟକୁ ପରିଚାଳନା କରୁଥିବା ଟେକ୍ନିକାଲ ଟିମ୍ ସହ ମିଶି ଏହି ପ୍ଲାଣ୍ଟ କିଭଳି ସମୁଦ୍ରର ଲୁଣି ଜଳକୁ ମିଠା କରିଥାଏ ସେ ନେଇ ପଚାରି ବୁଝିଥିଲେ ।‌ ଏହି ପ୍ଲାଣ୍ଟ ପ୍ରତିଦିନ ୫ ଏମଏଲଡି ସମୁଦ୍ରର ଲୁଣି ପାଣିକୁ ମିଠା ପାଣିରେ ପରିବର୍ତ୍ତନ କରିବ । ଏହି ମିଠା ପାଣିକୁ ଆର୍ଯ୍ୟପଲ୍ଲୀ ଓ ମିଟିଖାଲ ଗାଁରେ ପାଇପ ଲାଇନ ଯୋଗେ ଛଡ଼ାଯିବ । ଏହି ଦୁଇ ଗାଁକୁ ବାଦ ଦେଲେ ଆଇଆରଇରେ ମଧ୍ୟ ଏହି ପାଣିକୁ ବ୍ୟବହାର କରାଯିବ । ଭାବା ଅଟୋମିକ ରିସର୍ଚ୍ଚ ସେଣ୍ଟରର ନିଜସ୍ବ ଜ୍ଞାନ କୌଶଳରେ ଏହି ପ୍ଲାଣ୍ଟ ପରିଚାଳିତ ହେଉଛି । ଏହି ପ୍ଲାଣ୍ଟରେ ମୋଟ ୧୩୬ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ଗସ୍ତ ସମୟରେ ସେଠାରେ ଏଭଳି ଲୁଣି ପାଣିକୁ ମିଠା ପାଣି କରିବାର ପଦକ୍ଷେପ ଆପଣାଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ପରେ ଏଭଳି ଏକ ପ୍ଲାଣ୍ଟ କରିବାରେ ସଫଳ ହୋଇଛି ଆଇଆରଇ। ବିଶେଷକରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପାଣି ସମସ୍ୟା ଲାଗି ରହିଥିବା ବେଳେ ଆଇଆରଇ ସାମାଜିକ ଉତ୍ତର ଦାୟିତ୍ଵ ମାଧ୍ୟମରେ ଡିସାଲିନେସନ ପ୍ଲାଣ୍ଟ ନିର୍ମାଣ କରି ଦୁଇ ଗାଁକୁ ମିଠା ପାଣି ଯୋଗାଇଦେବା ଏକ ବଡ଼ ପଦକ୍ଷେପ । ଏଭଳି ପଦକ୍ଷେପ ନେଇଥିବା ଯୋଗୁଁ ଆଇଆରଇକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସେପଟେ ଏହି ପ୍ଲାଣ୍ଟ ଖରା ହେବ ଅଥବା ବର୍ଷା କୌଣସି ସମୟରେ ମଧ୍ୟ ଏହା ବନ୍ଦ ହେବ ନାହିଁ ଆଗାମୀ ଦିନରେ ଏହାର କ୍ଷମତାକୁ ବୃଦ୍ଧି କରାଯାଇ ଅଧିକରୁ ଅଧିକ ଲୋକଙ୍କୁ କିଭଳି ଭାବେ ପାଣି ଯୋଗାଇ ଦିଆଯାଇପାରିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇଆରଇର ବରିଷ୍ଠ ଅଧିକାରୀ ସାରଦା ଭୂଷଣ ମହାନ୍ତି ।