June 13, 2026

ଆଜି ପବିତ୍ର ଘୋଷଯାତ୍ରା:ପୁରୀ ବଡ ଦାଣ୍ଡ ଜନ ସମୁଦ୍ର

IMG-20240707-WA0005
Share

L

 

ପୁରୀ,(ରାଜାରାମ ଷଡଙ୍ଗୀ):ଆଜି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା । ଜନ ସମୁଦ୍ରରେ ଉଛୁଳୁଛି ବଡ ଦାଣ୍ଡ।ରତ୍ନବେଦୀ ଛାଡି ରଥାରୁଢ଼ ହୋଇ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂରତି । ମହାପ୍ରଭୁଙ୍କ ୯ ଦିନିଆ ରଥଯାତ୍ରା ପାଇଁ ରଥ-ପଥ ଓ ଭକ୍ତ ପ୍ରସ୍ତୁତ । ବଡ଼ଦାଣ୍ଡରେ ତିନି ଠାକୁରଙ୍କ ଅପେକ୍ଷାରେ ତିନି ରଥ । ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ରଥ ପ୍ରସ୍ତୁତ ହୋଇ ରହିଛି । ଧାଡି ପହଣ୍ଡିରେ ରଥକୁ ବିଜେ କରିବେ ଠାକୁର । ଆରମ୍ଭ ହେବ ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା। ଭାଇଭଉଣୀଙ୍କ ସହିତ କାଳିଆ ସାଆନ୍ତ ଘୋଷଯାତ୍ରାରେ ବାହାରିବେ। ଆଜି ଆଷାଢ଼ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ବଡ଼ଦାଣ୍ଡରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ପର୍ବ ଅନୁଷ୍ଠିତ ହେବ।

ଆଉ ଏହି ମହା ମିଳନ ପର୍ବରେ ଭାରତ ବର୍ଷର ମହାମହିମା ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଉପସ୍ଥିତି ଆଉ ଏକ ଗୌରବାନ୍ବିତ ମିଳନର ସଂଯୋଗ।ରାଷ୍ଟ୍ରପତି ଙ୍କ ଠାରୁ ଗ୍ରାମାଞ୍ଚଳର ସାଧାରଣ ଜନତାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ ଦେଖିବାକୁ ମିଳିବ ଏହି ପବିତ୍ର ଘୋଷ ଯାତ୍ରାରେ।

 

ବର୍ତ୍ତମାନକୁ ରଥଯାତ୍ରା ପାଇଁ ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଭାବେ ଟୋଲ୍ ନମ୍ବର ଜାରି କରିଛି ପୋଲିସ୍।ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ସକାଳ ସାଢ଼େ ୯ଟାରେ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ ।

 

ଆଜି ଦିନ ୧:୨୦ ରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ସାଢେ଼ ୨ଟା ସୁଦ୍ଧା ସରିବ ଛେରାପହଁରା ନୀତି। ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ରଥଯାତ୍ରା। ଏଥର ଗୋଟିଏ ଦିନରେ ପଡ଼ିଛି ନବଯୌବନ, ଉଭା ଓ ରଥଯାତ୍ରା। ଏହି ବିରଳ ସଂଯୋଗ ୫୩ ବର୍ଷ ପରେ ପଡ଼ିଛି। ଚଳିତ ବର୍ଷ ଦୁଇ ଦିନ ହେବ ରଥଟଣା।ଏଥିପାଇଁ ଭକ୍ତଙ୍କ ମନରେ ଭରିଛି ଅକୁଣ୍ଠ ଉତ୍ସାହ।