ବର୍ଷାର ଦେଖା ନାହିଁ , ଆଗେଇ ପାରୁନି ଚାଷକାମ , ଚିନ୍ତାରେ ଚାଷୀକୁଳ
ବର୍ଷାର ଦେଖା ନାହିଁ , ଆଗେଇ ପାରୁନି ଚାଷକାମ , ଚିନ୍ତାରେ ଚାଷୀକୁଳ

ବୁଗୁଡ଼ା : ତା ୦୭/୦୭/୨୩ : ଅଖି ମୁଠିରୁ ଚାଷୀ ତଳି ପକା ଆରମ୍ଭ କରିଥିବା ବେଳେ ଏ ମଧ୍ୟରେ ତିନି ମାସ ବିତି ଯାଇଥିଲେ ସୁଦ୍ଧା ବର୍ଷାର ଦେଖା ମିଳୁ ନ ଥିବା ଯୋଗୁଁ ବୁଗୁଡ଼ା ଅଞ୍ଚଳରେ ଚାଷ କାର୍ଯ୍ୟ ଅଟକି ରହିଥିବା ଜଣାଯାଇଛି । ଦୀର୍ଘ ଦିନ ହେଲା ତଳି ଘରାରେ ତଳି ପଡି ରହିଥିଲେ ହେଁ ବୃଷ୍ଟିପାତର ଅଭାବ ହେତୁ ଚାଷଜମି ଓଦା ହୋଇ ପାରୁନି କି ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରୁନି । ଚାଷୀ ଚାତକ ଭଳି ଚାହିଁ ରହିଛି ବର୍ଷାକୁ । ମଝିରେ ମଝିରେ ବୁଗୁଡ଼ା ଅଞ୍ଚଳର କେତେକ ସ୍ଥାନରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ତଳି ମରୁଡିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲେ ସୁଦ୍ଧା ଚାଷ କାର୍ଯ୍ୟ ଆରମ୍ଭର ଅନିଶ୍ଚିତତା ହେତୁ ଚାଷୀଙ୍କୁ ଚିନ୍ତା ଘାରୁଛି । ବୁଗୁଡା ଅଞ୍ଚଳର ମୋଟ ୧୦,୩୩୦ ହେକ୍ଟର ଚାଷଜମି ମଧ୍ୟରୁ ୫,୫୪୫ ହେକ୍ଟର ଜମି ପାଇଁ କେନାଲ ଯୋଗେ ଜଳସେଚନର ସୁବିଧା ରହିଥିଲେ ହେଁ ପାଣିର ଅଭାବ ଯୋଗୁଁ ସେଠାରେ ମଧ୍ୟ ଚାଷକାମ ଆଗେଇ ପାରୁନି । ଏ ବର୍ଷ ଜୁନ୍ ମାସରେ ୩ ଦିନର ହାରାହାରି ବୃଷ୍ଟିପାତ ୨୧ ମିଲିମିଟର ରହିଥିବା ବେଳେ ଜୁଲାଇ ମାସରେ ୨ ଦିନର ହାରାହାରି ବୃଷ୍ଟିପାତ ୩୦ ମି.ମି. ରହିଥିବା ସରକାରୀ ସୂତ୍ରରୁ ଜଣାଯାଇଛି । ଆଷାଢ଼ ଯାଇ ଶ୍ରାବଣ ହେଲାଣି ତଥାପି ବର୍ଷାର ଦେଖା ନାହିଁ । ଧାରା ଶ୍ରାବଣରେ ଝରି ବର୍ଷା ହେବା ବଦଳରେ ହେଉଛି ଟାଇଁ ଟାଇଁ ମୁଣ୍ଡ ଫଟା ଖରା । ଅଣଜଳସେଚିତ ଅଞ୍ଚଳର ଯେଉଁ କେତେକ ଚାଷୀ ପାଣିପାଗ ବିଭାଗର ଭରସାରେ ପକାଇଥିବା ତଳିର ଅବସ୍ଥା ବିଗିଡିବାକୁ ବସିଲାଣି । ତେବେ ବୁଗୁଡ଼ା ଅଞ୍ଚଳରେ ବୃଷ୍ଟିପାତର ଅନିଶ୍ଚିତତା ଯୋଗୁଁ ଚାଷୀଙ୍କ ଖରିଫ ଧାନ ଫସଲ ଅମଳକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
