ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ମେଳା
ପାରଳାଖେମୁଣ୍ଡି ,
ଗଜପତି ଜିଲ୍ଲାରେ ଆସନ୍ତା ମାର୍ଚ୍ଚ ୫ ତାରିଖ ଠାରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟ ଅଡିଟୋରିୟମ ଠାରେ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି ।
ଏହି ମେଳାରେ ଗଜପତି ଜିଲ୍ଲାର କୋଣ ଅନୁକୋଣରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଗଣ ଏହି ମେଳାରେ ଅଂଶ ଗ୍ରହଣ କରି ପ୍ରସ୍ତୁତ ହୋଇଥିବା ଷ୍ଟଲ ଗୁଡିକରେ ନିଜର ଉତ୍ପାଦିତ ଦ୍ରବ୍ୟ ଏବଂ ସେମାନଙ୍କ ସଂସ୍ଥା ଦ୍ବାରା ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରାଇବେ । ଜିଲ୍ଲାରେ ଓୌଦ୍ୟୋଗିକ ସମୃଦ୍ଧିକରଣ ନିମନ୍ତେ ଆଲୋଚନାଚକ୍ର ଏବଂ କର୍ମଶାଳା ଆୟୋଜିତ ହେବ । ଏହି କର୍ମଶାଳାର ଜିଲ୍ଲାର ଶିକ୍ଷିତ ବେକାର ଯୁବକଯୁବତୀ ମାନଙ୍କୁ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତି ଆଗ୍ରହ ସୃଷ୍ଟି କରାଯିବ ଏବଂ ଏଥିରେ ଅଂଶୀଦାରୀ ହେବା ନିମନ୍ତେ ସରକାରଙ୍କ ଦ୍ବାରା ପରିଚାଳିତ ନୀତି ନିୟମ ସମ୍ପର୍କରେ ଅବଗତ କରାଇ ଦିଆଯିବ । ଜିଲ୍ଲାର କୁଶଳୀ କାରିଗର, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ବୃହତ୍ ଶିଳ୍ପର ପ୍ରତିନିଧି ମାନଙ୍କୁ କର୍ମଶାଳା ମାଧ୍ୟମରେ ପ୍ରୋତ୍ସାହନ ଦିଆଯିବ । ସେମାନେ ଶିଳ୍ପ ସଂସ୍ଥା ପ୍ରତି କିଭଳି ଆଗ୍ରହୀ ହେବେ ଏବଂ ଏଥି ସକାଶେ ବ୍ୟାଙ୍କ ସହିତ ସଂଯୋଗ ସ୍ଥାପନ କରିବେ ତାହା ଅବଗତ ହୋଇ ପାରିବେ । ପାଞ୍ଚ ଦିନ ବ୍ୟାପୀ ହେଉଥିବା ଏହି ପ୍ରଦର୍ଶନୀ ଏବଂ କର୍ମଶାଳାରେ ଯୁବକ ମାନଙ୍କ ମଧ୍ୟରେ ବୈଷୟିକ ଦକ୍ଷତା ବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ଦକ୍ଷତା ଭିତ୍ତିରେ କୁଶଳୀ ଏବଂ ଅଣ କୁଶଳୀ ମାନଙ୍କୁ କିଭଳି ଆତ୍ମ ନିଯୁକ୍ତି ଦିଆଯିବ ସେଥି ସକାଶେ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଜିଲ୍ଲାରେ ଉପଲବ୍ଧ କଞ୍ଚାମାଲ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥାରୁ ନିର୍ଗତ ଅପବ୍ୟବହାର ସାମଗ୍ରୀରୁ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ସାଧିତ ହୋଇପାରିବ । ପ୍ରତ୍ୟେକ ଦିନ ସଂଧ୍ୟା ୫ ଘଟିକା ଠାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥା ସାଧାରଣ ପରିଚାଳକ ଶ୍ରୀଯୁକ୍ତ ସୁନାରାମ ସିଂ ଜଣାଇଛନ୍ତି ।
