November 17, 2026

ଏ ଗାଁ ପ୍ରତି ସରକାରଙ୍କ ଟିକିଏ ଦୃଷ୍ଟି ପଡୁ 

IMG-20250101-WA0007
Share

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଓ ଲାଞ୍ଜିଗଡ଼ ପଞ୍ଚାୟତର ଗୋଟିଏ ଗାଁ ହେଉଛି ଭଟାଜୋରି l ଏହି ଗ୍ରାମରେ ଏକତିରିଶଟି ଆଦିବାସୀ ପରିବାର ବାସ କରନ୍ତି l ଲାଞ୍ଜିଗଡ଼ରୁ ଗ୍ରାମର ଦୂରତ୍ୱ ମାତ୍ର ସାତ କିଲୋମିଟର ହେବ l ତଥାପି ଦୀପତଳ ଅନ୍ଧାର ପରି ଆଜିଯାଏ ଏ ଗ୍ରାମର ଲୋକେ ବିକାଶର ସ୍ୱାଦ ଚାଖି ନାହାନ୍ତି l

ଏ ଗାଁକୁ ଆମେ ଯାଇଥିଲୁ ସେଠାକାର ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ l ଏଇ ଗାଁ ଟି ପାହାଡ଼ ଉପରେ ଅବସ୍ଥିତ l ଗାଁ ପର୍ଯ୍ୟନ୍ତ ଯାଇଥିବା ହାରାହାରି ତିନି କିଲୋମିଟର ରାସ୍ତା ଅତ୍ୟନ୍ତ ଯନ୍ତ୍ରଣା ଦାୟକ l ଅନେକ କଷ୍ଟରେ ବାଇକ ଯୋଗେ ଗାଁରେ ପହଞ୍ଚିଲୁ l ସେଠାରେ ଗାଁ ଲୋକଙ୍କ ସହିତ ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କଲୁ l ସେମାନଙ୍କର କହିବା କଥା ଯେ, ଗାଁକୁ ଆସିବାକୁ ରାସ୍ତା ନାହିଁ l ଯେଉଁ ଆବଡ଼ା ଖାବଡା ରାସ୍ତା ଖଣ୍ଡିକ ଗାଁ ପର୍ଯ୍ୟନ୍ତ ଆସିଛି, ସେଥିରେ ଚାଲିକି ଯିବା ମଧ୍ୟ କଷ୍ଟକର l କୌଣସି ରୋଗୀ କିମ୍ବା ଗର୍ଭିଣୀ ମହିଳାକୁ ଡାକ୍ତରଖାନା ନେବା ପାଇଁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନାହିଁ l ଏଠାରୁ ଖଟରେ ବୋହି ନେବାକୁ ପଡୁଛି, ଯାହାକି ଅତ୍ୟନ୍ତ ଅସୁବିଧା ଜନକ ଏବଂ ସମୟ ସମୟରେ ତାହା ମଧ୍ୟ ସମ୍ଭବ ହୁଏନାହିଁ l

ପାନୀୟ ଜଳର ମଧ୍ୟ ଅଭାବ ଅଛି l ଚାରୋଟି ନଳକୂପ ମଧ୍ୟରୁ ଅନେକ ଦିନ ହେଲା ଦୁଇଟି ଅଚଳ ହୋଇଯାଇଛି ଏବଂ ଆଉ ଦୁଇଟିରୁ ଅଳ୍ପ ଅଳ୍ପ ପାଣି ଆସୁଛି l ବିଜୁଳି ଆଲୁଅର ତ ଦେଖା ନାହିଁ l କୌଣସି ବେସରକାରୀ ସଂସ୍ଥା ଦ୍ୱାରା କିଛି ସୋଲାର ପ୍ଲେଟ ଲଗାଇ ଆଲୋକର ବ୍ୟବସ୍ଥା କରାଯାଇଥିଲା, କିନ୍ତୁ ତାହା ମଧ୍ୟ ଠିକ ଭାବେ କାର୍ଯ୍ୟ କରୁନି l ପ୍ରାଥମିକ ବିଦ୍ୟାଳୟଟିଏ ଅଛି, କିନ୍ତୁ ରାସ୍ତା ଖରାପ ଯୋଗୁଁ ଦୁଇଟି ଶିକ୍ଷକ ଅନେକ କଷ୍ଟରେ ଆସୁଛନ୍ତି, ଅନେକ ସମୟରେ ତା ବି ସମ୍ଭବ ହେଉନାହିଁ l

ନିର୍ବାଚନ ସମୟରେ ନେତାମାନେ ଆସି ଭୋଟ ପାଇବା ପାଇଁ ଗ୍ରାମରେ ବିକାଶର ସ୍ବପ୍ନ ଦେଖାଇ ଅନେକ ପ୍ରତିଶୃତି ଦେଇଥାନ୍ତି, କିନ୍ତୁ ପରେ ଆଉ କାହାରି ଦେଖା ମିଳେନି l ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାହାରି ଘରଟିଏ ହୋଇ ପାରିନାହିଁ l ଭିନ୍ନକ୍ଷମ, ବିଧବା ଏବଂ ବାର୍ଦ୍ଧକ୍ୟ ଭତ୍ତାରୁ ଅନେକେ ବଞ୍ଚିତ l ପ୍ରାଥମିକ ବିଦ୍ୟାଳୟର ପାଚେରୀଟିଏ ମଧ୍ୟ ନିର୍ମାଣ ହୋଇପାରିନାହିଁ l ଗ୍ରାମରୁ କେହି କେହି ଯୁବକ ଦାଦନ ଖଟି ଯିବାକୁ ବି ପ୍ରସ୍ତୁତ ହେଉଛନ୍ତି l ମୋଟା ମୋଟି ଭାବେ ଦେଖିବାକୁ ଗଲେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି ଆଲୁଅ, ପାନୀୟଜଳ ପ୍ରଭୃତି ସମସ୍ତ ଦିଗରୁ ଗ୍ରାମଟି ଅବହେଳିତ l ଏପରିକି ଯେଇଁ ଜଙ୍ଗଲ ଜମି ସେମାନେ ପୁରୁଷ ପୁରୁଷ ଧରି ଚାଷ କରି ଆସୁଛନ୍ତି, ତାହା ମଧ୍ୟ ସେମାନଙ୍କ ନାମରେ ଆଜିଯାଏଁ ହୋଇପାରିନାହିଁ l ତେଣୁ ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ସରକାରଙ୍କ ନିକଟରେ ତାହା ଜଣାଇ ତାର ପ୍ରତିକାର ପାଇଁ ଜିଲ୍ଲାପାଳଙ୍କ ନିକଟରେ ଧାରଣାରେ ବସିବେ ବୋଲି ପ୍ରସ୍ତୁତ ହେଉଛନ୍ତି l ସରକାରଙ୍କର ଏ ଗ୍ରାମ ପ୍ରତି ସୁଦୃଷ୍ଟି ପଡ଼ିବ ବୋଲି ଆଶା କରାଯାଏ l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର

You may have missed